ନୂଆଦିଲ୍ଲୀ: ଜମ୍ମୁକଶ୍ମୀରରେ ମୁତୟନ ହୋଇଥିବା ଯବାନଙ୍କ ସଂଖ୍ୟା ବୃଦ୍ଧି ଏବଂ ସୀମାରେ କଡ଼ା ସୁରକ୍ଷା ପରେ ମଧ୍ୟ ପାକିସ୍ତାନ କିଛି ଜୈଶ୍-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ପାକ ସେନା ସହାୟତାରେ ଭାରତ ପଠାଇଥିବାର ସୂଚନା ମିଳିଛି। ଚାରି ଚାରି ଥର ଭାରତୀୟ ଯବାନ ପାକିସ୍ତାନର ଏହି ଚକ୍ରାନ୍ତକୁ ପଣ୍ଡ କରିବାରେ ସମର୍ଥ ହୋଇଥିଲେ ମଧ୍ୟ ପାକିସ୍ତାନର ବର୍ଡର ଆକସନ୍ ଟିମ୍ (ବ୍ୟାଟ) ଏପରି କରାଇବାରେ ସଫଳ ହୋଇଛି। ବର୍ଡର ଆକସନ୍ ଟିମ୍ ବା ବ୍ୟାଟ ପାକିସ୍ତାନ ସେନାର ଏକ ସ୍ୱତନ୍ତ୍ର ବାହିନୀ, ଯାହା ସେନାର ସହାୟତାରେ ଆତଙ୍କବାଦୀଙ୍କୁ ଏଲ୍ଓସି ପାର କରାଇଥାଏ।
ଗତ ସପ୍ତାହରେ ପାକିସ୍ତାନ ସେନା ସମର୍ଥନରେ ଆତଙ୍କବାଦୀଙ୍କ ପକ୍ଷରୁ ବାରମ୍ବାର ବେଆଇନ ଅନୁପ୍ରବେଶ ପାଇଁ ପ୍ରୟାସ ହୋଇଥିଲା। ଯଦିଓ ୪ଥର ଏହିଁ ପ୍ରୟାସ ବିଫଳ ହୋଇଛି, ତଥାପି ୪-୫ ଜଣ ଜୈଶ୍ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିଥିବା କୁହାଯାଉଛି।
ଗତକାଲି ଏଭଳି ଏକ ଘଟଣାରେ ୪ ଜଣ ବେଆଇନ ଅନୁପ୍ରବେଶକାରୀ ସେନାଙ୍କ ହାତରେ ନିପାତ ହୋଇଥିଲେ। ଏପରିକି ସେମାନଙ୍କ ମୃତଦେହ ଭାରତୀୟ ସୀମା ପଟେ ପଡ଼ିରହିଥିବାର ଫଟୋ ଜାରି କରିଥିଲା ଭାରତୀୟ ସେନା। ଏହି ଶବସବୁକୁ ନେଇଯିବା ପାଇଁ ଭାରତ ପକ୍ଷରୁ ପାକିସ୍ତାନକୁ କୁହାଯାଇଛି। ଜମ୍ମୁକଶ୍ମୀରର କେରାନ୍ ସେକ୍ଟରରେ ଏହି ଘଟଣା ଘଟିଥିଲା।
ସେନା ସୂତ୍ରରୁ କୁହାଯାଇଛି, “କେବଳ କେରାନ୍ ସେକ୍ଟର ନୁହେଁ, ଗତ ସପ୍ତାହରେ ଏଲ୍ଓସିକୁ ଲାଗି କରି ଥିବା ବିଭିନ୍ନ ସେକ୍ଟରରେ ଏଭଳି ବେଆଇନ ଅନୁପ୍ରବେଶ ପାଇଁ ଉଦ୍ୟମ ଜାରି ରଖିଛି ପାକିସ୍ତାନ। ଏସବୁ ବାବଦରେ ଆଗୁଆ ଜଣାପଡ଼ିଯିବାରୁ ଗୁରେଜ୍, ଟଙ୍ଗଧର ଏବଂ ମାଛିଲ୍ଠାରେ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ ହୋଇଥିଲା।”
ତେବେ ଜୁଲାଇ ୩୧- ଅଗଷ୍ଟ ୧ ରାତିରେ ପାକିସ୍ତାନର ବର୍ଡର ଆକସନ୍ ଟିମ୍ କିଛି ଜୈଶ ଆତଙ୍କବାଦୀଙ୍କୁ ସୀମା ପାର୍ କରାଇଥିବାର ସୂଚନା ମିଳିଛି। ଗତ ୪୮ ଘଣ୍ଟାରେ ସୀମା ବେଶି ଅଶାନ୍ତ ହୋଇଥିବା ଜଣାପଡ଼ୁଥିଲେ ହେଁ, ବେଶ୍ କିଛି ଦିନ ଧରି ଉଭୟ ପଟୁ ଗୁଳିଗୋଳା ବର୍ଷଣ ଚାଲୁ ରହିଥିବା ଜଣାପଡ଼ିଛି। ଜଣେ ବରିଷ୍ଠ ସେନା ଅଧିକାରୀ ନିଜ ପରିଚୟ ଗୋପନ ରଖି କହିଛନ୍ତି, ପାକିସ୍ତାନ ଜୈଶ୍ ଆତଙ୍କବାଦୀଙ୍କୁ ଭାରତ ପଠାଇବା ପାଇଁ ବେଶ୍ କିଛି ଦିନ ହେଲା ପ୍ରୟାସ କରୁଛି। ତେବେ ଭାରତୀୟ ଯବାନ ଯେଉଁଭଳି ପ୍ରତିକ୍ରିୟା ଦେଉଛନ୍ତି ସେଥିରୁ ସ୍ପଷ୍ଟ ଯେ କଶ୍ମୀର ଉପତ୍ୟକାରେ ଆତଙ୍କବାଦୀଙ୍କ ଦ୍ୱାରା କିଛି ଅଘଟଣ ଘଟିବାର ଆଶଙ୍କା ନିଶ୍ଚୟ ରହିଛି।
ଅନ୍ୟପକ୍ଷରେ ଜମ୍ମୁକଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ୍ଙ୍କ ମନ୍ତବ୍ୟ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ସେ ପୂର୍ବରୁ କହିଥିଲେ, ପ୍ରାୟ ୪ଟି ଟେରର ଲଞ୍ଚପ୍ୟାଡ୍ ଅଧିକ ସକ୍ରିୟ ହୋଇଛି। ଏତେ ସଂଖ୍ୟାରେ ଜେଟ୍ ଉଡ଼ିବାର ଏବଂ ଶ୍ରୀନଗରରେ ଏତେ ସଂଖ୍ୟକ ସୁଖୋଇ ଯୁଦ୍ଧ ବିମାନ ପ୍ରସ୍ତୁତ ରହିବା ସେ ପୂର୍ବରୁ କେବେ ଦେଖିନଥିବା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।