ନୂଆଦିଲ୍ଲୀ: ଗତ ୩ ବର୍ଷରେ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଖାଇ ୯୦୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ହେଲେ କୌଣସି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିନାହିଁ। ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଆଜି ଏହା ସ୍ପଷ୍ଟ କରିଛି। ୩ ବର୍ଷ ମଧ୍ୟରେ ମଧ୍ୟାହ୍ନ ଭୋଜନରେ ନିମ୍ନ ମାନର ଖାଇବା ଦିଆଯାଉଥିବା ନେଇ ୩୫ଟି ଅଭିଯୋଗ ଆସିଛି। ଏହି ଅଭିଯୋଗ ୧୫ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ଆସିଛି।
ଖାଦ୍ୟର ମାନକୁ ନେଇ ବାରମ୍ୱାର ପ୍ରଶ୍ନ ଉଠୁଥିବାରୁ ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ହେଉଥିବା ଏହି ମଧ୍ୟାହ୍ନ ଭୋଜନ ଯୋଜନାକୁ ସଠିକ୍ ଢଙ୍ଗରେ ପରିଚାଳନା କରିବା ପାଇଁ ସମସ୍ତ ରାଜ୍ୟକୁ ପରାମର୍ଶ ଦିଆଯାଇଛି। ମୁଖ୍ୟତଃ ଖାଦ୍ୟର ମାନ ଉପରେ ଗୁରୁତ୍ୱ ଦେବା ପାଇଁ କେନ୍ଦ୍ର ସବୁ ରାଜ୍ୟଙ୍କୁ ପରାମର୍ଶ ଦେଇଛି ।
ସୂଚନାଯୋଗ୍ୟ, ସ୍କୁଲ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବଢ଼ାଇବା ଉଦ୍ଦେଶ୍ୟରେ ଏହି ମଧ୍ୟାହ୍ନ ଭୋଜନ ଯୋଜନା ଆରମ୍ଭ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଚାଲିଥିବା ମଧ୍ୟାହ୍ନ ଭୋଜନ ପାଇଁ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମୁଣ୍ଡପିଛା ଦୈନିକ ୩ ଟଙ୍କା ୭୯ ପଇସା ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ୫ ଟଙ୍କା ୬୫ ପଇସା ଖର୍ଚ୍ଚ ଧାର୍ଯ୍ୟ କରାଯାଇଛି।
ଆଗାମୀ ଦିନରେ ଖାଦ୍ୟର ମାନ ଠିକ୍ ରହୁଛି କି ନାହିଁ ଜାଣିବା ପାଇଁ ରାଜ୍ୟ ସରକାରଙ୍କୁ ଆକ୍ସନ ଟେକେନ ରିପୋର୍ଟ (ଏଟିଆର) ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯଦି ଖାଦ୍ୟର ମାନ ଖରାପ ରହେ, ତା'ହେଲେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଅଧିକାରୀ ଓ ଏନଜିଓଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ।
ଏଥିସହ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଥିବା ସ୍ଥାନ କିଭଳି ରହିବ ସେ ନେଇ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି। ରୋଷେଇ ସରିବା ପରେ ଛାତ୍ରଛାତ୍ରୀ ଖାଇବା ଆଗରୁ ସ୍କୁଲ ପରିଚାଳନା କମିଟିର ତିନି ଜଣ ବୟସ୍କ ବ୍ୟକ୍ତି ଓ ଜଣେ ଶିକ୍ଷକ ରନ୍ଧା ଯାଇଥିବା ଖାଦ୍ୟ ଚାଖିବାର ବ୍ୟବସ୍ଥା କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।