ନୂଆଦିଲ୍ଲୀ: ଏଆଇଏମଆଇଏମ ନେତା ବାରିସ ପଠାନଙ୍କ ୧୫ କୋଟି ମୁସଲମାନ ବନାମ ବାକି ୧୦୦ କୋଟି ମନ୍ତବ୍ୟକୁ ନେଇ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବାରିସ ପଠାନଙ୍କ ବିବାଦୀୟ ମନ୍ତବ୍ୟ ପରେ ଦଳର ସୁପ୍ରିମୋ ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓଓ୍ୱେସୀ ସମାଲୋଚନାର ଶିକାର ହୋଇଥିଲା। ଏହାପରେ ବାରିସ ପଠାନ ମିଡିଆରେ କିମ୍ୱା ସାର୍ବଜନୀନ ଭାବରେ କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ଆଗାମୀ ନିର୍ଦ୍ଦେଶ ଯାଏ ବାରିସଙ୍କ ବିରୋଧରେ ଏହି ଅଙ୍କୁଶ ବଳବତ୍ତର ରହିବ ବୋଲି ଏଆଇଏମଆଇଏମ ପକ୍ଷରୁ କୁହାଯାଇଛି।
ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଗୁରୁବାର କର୍ଣ୍ଣାଟକର ଗୁଲବର୍ଗାରେ ଜନସଭା ହୋଇଥିଲା। ଏହି ସମୟରେ ବାରିସ ପଠାନ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ଆମେ ୧୫ କୋଟି ହିଁ ୧୦୦ କୋଟି ଲୋକଙ୍କ ଉପରେ ଭାରି ପଡ଼ିବୁ। ବାରିସ ପଠାନ ଏହି ମନ୍ତବ୍ୟ ଦେବା ବେଳେ ଓଓ୍ୱେସୀ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ। ଯଦିଓ ଓଓ୍ୱେସୀ ହଠାତ୍ କିଛି ମନ୍ତବ୍ୟ ଦେଇନଥିଲେ ହେଲେ ପରେ ବାରିସଙ୍କ ଏହି ମନ୍ତବ୍ୟକୁ ଓଓ୍ନେସୀ ନିନ୍ଦା କରିଥିଲେ। ହେଲେ ବାରିସ କ୍ଷମା ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିବେ ନାହିଁ ବୋଲି କହିଥିଲେ। ପଠାନ ଏଆଇଏମଆଇଏମର ମୁଖପାତ୍ର। ମହାରାଷ୍ଟ୍ରର ଏହି ନେତା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ହାରିଛନ୍ତି।
ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ବାରିସ ପଠାନଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି। ଏଭଳି ବିବାଦୀୟ ମନ୍ତବ୍ୟ ଦେବା ବେଳେ ତାଙ୍କୁ ଗିରଫ କରିବାର ଥିଲା ବୋଲି ତେଜସ୍ୱୀ କହିଛନ୍ତି। ଏହାସହିତ ଏଆଇଏମଆଇଏମକୁ ବିଜେପିର ବି ଟିମ୍ ବୋଲି ତେଜସ୍ୱୀ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।