ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମିରେ ମସଜିଦ୍ ନିର୍ମାଣ କରି କ୍ଷମତାଲୋଭୀ ଶାସକ ବାବର କରିଥିବା ଐତିହାସିକ ଭୁଲ୍ ସୁଧାରିବାର ସମୟ ଆସିଛି ବୋଲି ଆଜି ସୁପ୍ରିମ୍କୋର୍ଟରେ ମତ ରଖିଛନ୍ତି ହିନ୍ଦୁ ପକ୍ଷ। ମଙ୍ଗଳବାର ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ବିବାଦ ମାମଲାର ଶୁଣାଣିରେ ଏଭଳି କୁହାଯାଇଛି।
ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଆଗରେ ଏଭଳି ମତ ରଖିଛନ୍ତି ଆଟର୍ଣ୍ଣି ଜେନେରାଲ ତଥା ବରିଷ୍ଠ ଓକିଲ କେ ପରାଶରନ୍। ସେ ହିନ୍ଦୁ ପକ୍ଷ ତରଫରୁ ଏଭଳି ଯୁକ୍ତି ରଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଅଯୋଧ୍ୟାରେ ବହୁତ ମସଜିଦ୍ ରହିଛି ଯେଉଁଠାରେ ମୁସଲିମ୍ମାନେ ପ୍ରାର୍ଥନା ଓ ଉପାସନା କରିପାରିବେ। କିନ୍ତୁ ହିନ୍ଦୁମାନେ ରାମଙ୍କ ଜନ୍ମସ୍ଥାନ ବଦଳାଇପାରିବେନି।
ପରାଶରନ୍ ମହନ୍ତ ସୁରେଶ ଦାସଙ୍କ ପକ୍ଷରୁ ଏହି ମାମଲା ଲଢ଼ୁଛନ୍ତି। ସେ କହିଥିଲେ, ବାବର ଭାରତ ବିଜୟ ପରେ ରାମ ଜନ୍ମଭୂମିରେ ମସଜିଦ୍ ନିର୍ମାଣ କରି ଐତିହାସିକ ଭୁଲ୍ କରିଥିଲେ। ସେ ନିଜକୁ ଆଇନର ଊର୍ଦ୍ଧ୍ୱରେ ବିଚାର କରିଥିଲେ।
ଏହି ଖଣ୍ଡପୀଠରେ ଜଷ୍ଟିସ୍ ଏସ୍ଏ ବୋବ୍ଡେ, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଏସ୍ଏ ନାଜିର ମଧ୍ୟ ଅଛନ୍ତି। ଏହି ଖଣ୍ଡପୀଠ ପରାଶରନ୍ଙ୍କୁ ପଚାରିଥିଲେ, ସେମାନେ (ମୁସଲିମ୍ ପକ୍ଷ) କହୁଛନ୍ତି ଥରେ କେବେ ମସଜିଦ୍ ଥିଲା ମାନେ ଏହା ସବୁବେଳେ ମସଜିଦ୍। ଆପଣ ଏଥିରେ ରାଜି ତ? ପରାଶରନ୍ ଏହାର ଉତ୍ତରରେ କହିଥିଲେ, ନା ମୁଁ ଏହାକୁ ସମର୍ଥନ କରେନି। ମୁଁ କହିବାକୁ ଚାହିଁବି ପୂର୍ବରୁ ମନ୍ଦିର ଥିଲା ମାନେ ଏହା ସବୁବେଳେ ମନ୍ଦିର।