ଅଯୋଧ୍ୟା: ବାବ୍ରି ମସିଜିଦ୍- ରାମ ଜନ୍ମଭୂମି ମାମଲାର ଅନ୍ୟତମ ପକ୍ଷ ସୁନ୍ନି ୱାକ୍ଫ ବୋର୍ଡ ପକ୍ଷରୁ କୁହାଯାଇଛି ଏହା ୫ ଏକର ଜମି ଗ୍ରହଣ କରିବା ନେଇ ନିଷ୍ପତ୍ତି ନେବାକୁ ସମୟ ନେବ। ସୁପ୍ରିମ୍କୋର୍ଟ ରାୟରେ ଉଲ୍ଲେଖ କରିଥିବା ୫ ଏକର ଜମି ବାବଦରେ ଆଗାମୀ ୧୫ ଦିନ ପରେ ନିଷ୍ପତ୍ତି ନିଆଯିବ ବୋଲି ୱାକ୍ଫ ବୋର୍ଡ ପକ୍ଷରୁ କୁହାଯାଇଛି।
ସୁନ୍ନି ୱାକ୍ଫ ବୋର୍ଡ ଅଧ୍ୟକ୍ଷ ଜାଫର ଫାରୁକି କହିଛନ୍ତି ୧୫ ଦିନ ପରେ ଏକ ବୈଠକ ହେବ। ଏହି ବୈଠକରେ ୫ ଏକର ଜମି ବାବଦରେ ନିଷ୍ପତ୍ତି ନିଆଯିବ। କିଛି ଲୋକ ଏହାକୁ ଗ୍ରହଣର ନ କରିବାକୁ କହୁଛନ୍ତି। କିନ୍ତୁ ମୋର ବ୍ୟକ୍ତିଗତ ମତ, ସକାରାତ୍ମକ ପଦକ୍ଷେପ ନକାରାତ୍ମକତା ଦୂରେଇ ହେବ। ଜମି ଗ୍ରହଣ ନ କରିବା ନକାରାତ୍ମକତା ବୃଦ୍ଧି କରିବ।
ସେ କହିଛନ୍ତି, ଏହି ବୈଠକ ନଭେମ୍ବର ୧୩ରେ ହେବାର ଥିଲା। କିନ୍ତୁ ଏବେ ଏହି ବୈଠକ ନଭେମ୍ବର ୨୬ ତାରିଖରେ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକରେ ବୋର୍ଡ ପୂର୍ବରୁ ନେଇଥିବା ନିଷ୍ପତ୍ତି ସବୁ ବାବଦରେ ଆଲୋଚନା ହେବ। ଏଥିସହିତ ମୁସଲିମ୍ ଧର୍ମ ସହ ଜଡ଼ିତ ବିଭିନ୍ନ ସ୍ଥାନର ସୁରକ୍ଷା ବାବଦରେ ମଧ୍ୟ ଏହି ଅବସରରେ ଆଲୋଚନା ହେବ।