ନୂଆଦିଲ୍ଲୀ: ଶନିବାର ସୁପ୍ରିମ୍କୋର୍ଟରେ ଅଯୋଧ୍ୟା ରାୟ ଶୁଣାଇବାକୁଥିବା ଖଣ୍ଡପୀଠର ୫ ଜଣ ବିଚାରପତିଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ପ୍ରଧାନବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଏହି ଖଣ୍ଡପୀଠ ଗତ ଅକ୍ଟୋବର ୧୬ରୁ ଲଗାତାର ୪୦ ଦିନର ଶୁଣାଣି କରି ଆସୁଥିଲେ। ଏହି ଖଣ୍ଡପୀଠରେ ଜଷ୍ଟିସ୍ ଗୋଗୋଇଙ୍କ ବ୍ୟତୀତ ଜଷ୍ଟିସ୍ ଏସ୍ଏ ବୋବ୍ଡେ, ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଏସ୍ ଅବ୍ଦୁଲ ନାଜୀର ମଧ୍ୟ ସଦସ୍ୟ ଅଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଜଷ୍ଟିସ୍ ଗୋଗୋଇଙ୍କ ସୁରକ୍ଷା ଜେଡ୍ କାଟାଗୋରୀକୁ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ସୁରକ୍ଷା ଦୃଷ୍ଟିକୋଣରୁ ଉତ୍ତରପ୍ରଦେଶ ଏବଂ ଅନ୍ୟ କିଛି ସମ୍ବେଦନଶୀଳ ସ୍ଥାନରେ ୧୪୪ ଜାରି କରାଯାଇଛି। ଉତ୍ତରପ୍ରଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ବେଙ୍ଗାଲୁରୁ ଏବଂ ଅନ୍ୟ କିଛି ସହରରେ ମଧ୍ୟ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସେହିଭଳି ଜମ୍ମୁରେ ମଧ୍ୟ ୧୦ଟି ଜିଲ୍ଲାରେ ୧୪୪ ଜାରି କରାଯାଇଛି। ସରକାରୀ ସ୍କୁଲ ଏବଂ କଲେଜ୍ ଶନିବାର ବନ୍ଦ ରହିବ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଟ୍ୱିଟ୍ କରିଛନ୍ତି। ସେ ଏଥିରେ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି, ମୁଁ ମୋ ଦେଶବାସୀଙ୍କୁ ଆହ୍ୱାନ କରୁଛି, ଅଯୋଧ୍ୟା ରାୟ ପରେ ଶାନ୍ତି ଏବଂ ଭାଇଚାରାର ପରମ୍ପରାକୁ ଆମେ ଅକ୍ଷୁର୍ଣ୍ଣ ରଖିବା। ବିଭିନ୍ନ ବ୍ୟକ୍ତି ଏବଂ ସଂଗଠନ ଭାଇଚାରାର ବାତାବରଣ ବଜାୟ ରଖିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ରାୟ ଆସିବା ପରେ ଆମେ ସଦ୍ଭାବ କାଏମ ରଖିବା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ କହିଛନ୍ତି, ଗୁଜବକୁ ଗୁରୁତ୍ୱ ନଦେଇ ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିବା।