ନୂଆଦିଲ୍ଲୀ:ଜୀବନ ଅଛିତ ମୃତ୍ୟୁ ଅଛି। ଏହା ହେଉଛି ଚିରନ୍ତନ ସତ୍ୟ। ଆଉ ପୁନର୍ଜନ୍ମ ପ୍ରସଙ୍ଗ ହେଉଛି ଏକ ଅସମାହିତ ପ୍ରଶ୍ନ। ମରଣ ମୁହଁରୁ ବର୍ତ୍ତି ହୁଏ କିନ୍ତୁ ମରିଗଲେ ଆଉ ଫେରିବା ଅସମ୍ଭବ। ଯଦି ଆପଣ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଖବର ବାରମ୍ବାର ଶୁଣିବେ ନିଶ୍ଚୟ ଅଡ଼ୁଆ ଲାଗିବ। ମନରେ ଉଙ୍କିମାରିବ ସମ୍ପୃକ୍ତ ବ୍ୟକ୍ତି ଜଣକ ନିଶ୍ଚୟ କୌଣସି ଯୋଗୀ କିମ୍ବା ତାଙ୍କ ପାଖରେ କିଛି ଅଲୌକିକ ଶକ୍ତି ଥିବ। ହେଲେ ଏଠି ଯେଉଁ ବ୍ୟକ୍ତିଙ୍କ କଥା ଉଠୁଛି ସେ ଯୋଗୀ କିମ୍ବା ତାଙ୍କ ପାଖରେ ସେମିତି କିଛି ଚମତ୍କାର ଗୁଣ ନାହିଁ। ସେ ହେଉଛନ୍ତି ଜଣେ କୁଖ୍ୟାତ ଆତଙ୍କବାଦୀ ଅବୁ-ବକର-ଅଲବାଗଦାଦି। ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିବା ପୁଣି ଥରେ ପ୍ରଚାର ହୋଇଛି। ସାରା ବିଶ୍ୱରେ ଚହଳ ପକାଇଥିବା ଆତଙ୍କବାଦୀ ସଙ୍ଗଠନ ଆଇଏସ(ଇସଲାମିକ୍ ଷ୍ଟେଟ)ର ମୁଖ୍ୟ ହେଉଛନ୍ତି ଏହି ଅଲବାଗଦାଦି।
ଏହି ଆତଙ୍କବାଦୀଙ୍କ ନେତୃତ୍ୱରେ ଆଇଏସ ସଙ୍ଗଠନ ଉଭୟ ସିରିୟା ଏବଂ ଇରାକରେ ମୃତ୍ୟୁର ତାଣ୍ଡବ ମଚାଇ ଆସୁଛି। ଏହି କୁଖ୍ୟାତ ଆତଙ୍କବାଦୀ ବାଗଦାଦିଙ୍କ ପୁଣି ଥରେ ମଙ୍ଗଳବାର ମୃତ୍ୟୁ ଘଟିଥିବା ସିରିୟା ପର୍ଯ୍ୟବେକ୍ଷକ ପକ୍ଷରୁ କୁହାଯାଇଛି। ଆଇଏସର ଟପ୍ କମାଣ୍ଡର ଡେୟାର ଏଜର୍ ମଧ୍ୟ ବାଗଦାଦିଙ୍କ ମୃତ୍ୟୁକୁ ନେଇ ସ୍ୱୀକାର କରିଛନ୍ତି। ପୂର୍ବ ସିରିୟାରେ ବାଗଦାଦିଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏହା ପୂର୍ବରୁ ଅନେକଥର ବାଗଦାଦିଙ୍କ ମୃତ୍ୟୁ ଘଟିଥିବା ଚର୍ଚ୍ଚା ହୋଇଥିଲା। ଶେଷ ଥର ପାଇଁ ଗତ ମେ ୨୮ରେ ଏ ସମ୍ପର୍କରେ ଋସ ପକ୍ଷରୁ ଘୋଷଣା କରାଯାଇଥିଲା। ସେତେବେଳେ ଆଇଏସ ଉପରେ ଋସ ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ଏଥିରେ ବହୁ ଆତଙ୍କବାଦୀଙ୍କ ମୃତ୍ୟ ଘଟିଥିଲା। ଏପରିକି ଏଥିରେ ବାଗଦାଦିଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ପ୍ରଚାର ହୋଇଥିଲା । କିନ୍ତୁ କୌଣସି ପ୍ରମାଣ ମିଳି ନ ଥିଲା। ଏହା ପୂର୍ବରୁ ଅନେକଥର ଏପରି ଘୋଷଣା କରାଯାଇଥିଲା। କିନ୍ତୁ ମୃତଦେହ ମିଳି ନ ଥିଲା। ବାଧ୍ୟ ହୋଇ ଆମେରିକା ବାଗଦାଦିଙ୍କ ମୁଣ୍ଡ ପାଇଁ ୨୫ ନିୟୁତ ଡଲାର ପୁରସ୍କାର ଘୋଷଣା କରିଥିଲା।