ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଥିବା ଆମେରିକାର ପୁଞ୍ଜି ନିବେଶକାରୀ କମ୍ପାନୀ ଗୋଲ୍ଡମ୍ୟାନ ସାକ୍ସ ବ୍ୟାଙ୍କ ଆକାଉଣ୍ଟରୁ ୩୮ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଗୋଲ୍ଡମ୍ୟାନ୍ ସାକ୍ସ କମ୍ପାନୀର ଉପସଭାପତି ଅଶ୍ୱିନୀ ଉପାଧ୍ୟାୟ ବେଆଇନ ଅନ୍ ଲାଇନ୍ ଟ୍ରାଞ୍ଜାକସନ ଜରିଆରେ ହଙ୍ଗକଙ୍ଗର ଏକ ବ୍ୟାଙ୍କକୁ ପଇସା ପଠାଉଥିବା ବେଳେ ଧରାପଡ଼ି ଗିରଫ ହୋଇଛନ୍ତି। ଏବେ ଠକେଇ ହୋଇଥିବା ସମସ୍ତ ଟଙ୍କା ଗୋଲ୍ଡମ୍ୟାନ ସାକ୍ସକୁ ଫେରାଇ ଦିଆଯାଇଛି। ଅଶ୍ୱିନୀ ଅନଲାଇନ ଗେମ୍ ଖେଳି ୫୦ ଲକ୍ଷ ଟଙ୍କା କରଜ କରିଥିଲେ। ଏହାପରେ ଋଣ ସୁଝିବା ପାଇଁ ଏଭଳି ଠକେଇ କରିବା ପାଇଁ ଚିନ୍ତା କରିଥିଲେ ବୋଲି ଜଣାପଡ଼ିଛି।
ଏହି ମାମଲାରେ ଗୋଲ୍ଡମ୍ୟାନ ସାକ୍ସର ପୂର୍ବତନ ଉପସଭାପତି ବେଦାନ୍ତ ରୁଙ୍ଗଟା ମଧ୍ୟ ଗିରଫ ହୋଇଛନ୍ତି। ସେ ଅନଲାଇନ୍ ଟ୍ରାଞ୍ଜାକସନ ମାଧ୍ୟମରେ ଠକେଇ କରିବା ପାଇଁ ଅଶ୍ୱିନୀଙ୍କୁ ଉସୁକାଇଥିଲେ ବୋଲି ଜଣାପଡ଼ିଛି। ପୁଲିସ ଏବେ ଉଭୟଙ୍କୁ ଗିରଫ କରିଛି।
୩୬ ବର୍ଷୀୟ ଅଶ୍ୱିନୀଙ୍କ ଘର କୋଲକାତା। ସେ ତାଙ୍କ ବାପା, ମା’ ଓ ସ୍ତ୍ରୀଙ୍କ ସହ ବେଙ୍ଗାଲୁରୁର ମୁରୁଗୋଶପାଲ୍ଯାରେ ରହୁଥିଲେ। ହାଇଦ୍ରାବାଦରେ ଥିବା ଆଇବିଏସ କଲେଜରୁ ଏମବିଏ ପାସ୍ କରିଥିଲେ। ୨୦୧୫ରେ ସେ ଗୋଲ୍ଡମ୍ୟାନ ସାକ୍ସରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ୪ଟି କମ୍ପାନୀରେ ଅଶ୍ୱିନୀ କାମ କରିଥିଲେ। ତେବେ ସୋଶାଲ ମଡିଆ ଲିଙ୍କଡ ଇନ୍ରେ ତାଙ୍କ ବାବଦରେ ସେ କିଛି ସୂଚନା ଦେଇଛନ୍ତି ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି ତାଙ୍କ ପାଖରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ଓ ବଜାର ଉପରେ ୧୪ ବର୍ଷର ଅଭିଜ୍ଞତା ରହିଛି।
ସେହିପରି ଗିରଫ ହୋଇଥିବା ଅନ୍ୟତମ ବ୍ୟକ୍ତି ତଥା ଗୋଲ୍ଡମ୍ୟାନ୍ ସାକ୍ସର ପୂର୍ବତନ ଉପସଭାପତି ବେଦାନ୍ତ ରୁଙ୍ଗଟା ୧୮ ମାସ ପୂର୍ବରୁ ଠକେଇ ଅଭିଯୋଗରେ ଗୋଲ୍ଡ ସାକ୍ସରୁ ବିଦା ହୋଇଥିଲେ।
ଏହି ଠକେଇ କରିବା ପାଇଁ ଅଶ୍ୱିନୀ ପ୍ରଥମେ ସେପ୍ଟେମ୍ୱର ୨ରେ ପ୍ରଥମେ ଆରମ୍ଭ କରିଥିଲା। ଏହି ଦିନ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କାଢ଼ି ଏକ ଥାର୍ଡ ପାର୍ଟି ଆକାଉଣ୍ଟ ତିଆରି କରି ହଙ୍ଗ କଙ୍ଗର ଏକ ଫାର୍ମ ହାଉସକୁ ଦୁଇଟି କିସ୍ତିରେ ପଇସା ପଠାଇବା ପାଇଁ ୪ ତାରିଖରେ ମଞ୍ଜୁରୀ ଦେଇଥିଲେ। ଯାହାକୁ କମ୍ପାନୀର ଆର୍ଥିକ ମାମଲା ବୁଝୁଥିବା କର୍ମଚାରୀ ଗୌରବ ମିଶ୍ର ୬ ତାରିଖରେ ନୋଟିସ କରିଥିଲେ ଏବଂ ଟ୍ରାଞ୍ଜାକସନକୁ ରେଡ୍ ସିଗନାଲ ଦେଇଥିଲେ। ଏହାପରେ ମରଠାହଲ୍ଲୀ ପୁଲିସରେ ୮ ତାରିଖରେ କମ୍ପାନୀ ଅଭିଯୋଗ କରିଥିଲା।
ପୁଲିସ ତଦନ୍ତ କରି ପ୍ରତିକ୍ରିୟାରେ କହିଛି ଅଶ୍ୱିନୀ ତାଙ୍କର ତିନି ଜୁନିୟର କର୍ମଚାରୀ ଗୌରବ ମିଶ୍ର, ଅଭିଷେକ ଯାଦବ ଏବଂ ସୁଜିତ ଅପ୍ପାରିଆଙ୍କୁ ଏକ କମ୍ୟୁଟର ଟ୍ରେନିଂ ଦେଉଥିଲେ। ଏହି ସମୟରେ ତିନି କର୍ମଚାରୀଙ୍କୁ ପାଣି, ଚା ଆଣିବା ପାଇଁ ଅଶ୍ୱିନୀ କହିଥିଲେ। ଏହାରି ଭିତରେ ତାଙ୍କ ଜୁନିୟର କର୍ମଚାରୀ ନଥିବା ଦେଖି ମାତ୍ର ୧୦ ମିନିଟରେ ସେ ଗୌରବଙ୍କ କମ୍ୟୁଟରରୁ ପଇସା ପଠାଇଥିଲେ। ହେଲେ ଟ୍ରାଞ୍ଜାକସନ ବିଫଳ ହୋଇଥିଲା।
ଗୌରବ ମିଶ୍ର ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଅଶ୍ୱିନୀଙ୍କ କାର୍ଯ୍ୟ ସନ୍ଦେହ ଲାଗିବାରୁ ସେ କମ୍ପାନୀର ଆଇନ ବିଶେଷଜ୍ଞଙ୍କ ସହ ପରାମର୍ଶ କରିଥିଲେ। ଏହାପରେ ସିସିଟିଭି ଫୁଟେଜ ପୁଲିସ ଚେକ କରିବା ପରେ ଅଶ୍ୱିନୀ ହଙ୍ଗକଙ୍ଗର ଏକ ଘରୋଇ ବ୍ୟାଙ୍କ ସିନର୍ଜି ଓ୍ୱିଜଡମକୁ ପଠାଇବା ପାଇଁ ଚେଷ୍ଟା କରିଥିଲେ ବୋଲି ଜଣାପଡ଼ିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।