ଇସ୍ଲାମାବାଦ୍: ଦୁର୍ନୀତି ମାମଲାରେ ଫସିଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍ ନିଜକୁ ସ୍ୱଚ୍ଛ ବୋଲି ପ୍ରମାଣ ଦେବାକୁ ଯାଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ୧୯୯୮ରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ତାଙ୍କୁ ପରମାଣୁ ପରୀକ୍ଷା ନ କରିବାକୁ ୫ ବିଲିୟନ ଡଲାର ଅର୍ଥାତ ୫୦୦ କୋଟି ଡଲାର ଲାଞ୍ଚ ଯାଚିଥିଲେ।
କିନ୍ତୁ ମୁଁ ଏହାକୁ ଗ୍ରହଣ କରି ନ ଥିଲି। ଯଦି ଦେଶ ପ୍ରତି ମୋର ଆନୁଗତ୍ୟ ନ ଥାଆନ୍ତା ତେବେ ମୁଁ ଏହି ଲାଞ୍ଚ ନିଶ୍ଚୟ ଗ୍ରହଣ କରି ଥାଆନ୍ତି ବୋଲି ସେ କହିଛନ୍ତି। ନୱାଜ୍ ସରିଫ ନିଜେ ଏବଂ ନିଜ ପରିବାର ସଦସ୍ୟଙ୍କ ନାମରେ ବେଆଇନ ଭାବେ ସମ୍ପତ୍ତି ହାତେଇବା ଥିବା ପାନାମା ପେପରରେ ପ୍ରକାଶ ପାଇଛି। ଏ ସମ୍ପର୍କରେ ତାଙ୍କ ବିରୋଧରେ ତଦନ୍ତ ପାଇଁ ପାକ୍ ସୁପ୍ରିମକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଏପରିକି ପଦ ଛାଡ଼ିବା ପାଇଁ ବିରୋଧୀଙ୍କ ପକ୍ଷରୁ ଦାବି ହୋଇଛି। ଏହାର ଜବାବ ରଖିବାକୁ ଯାଇ ନୱାଜ୍ ସରିଫ୍ ଉପରୋକ୍ତ ମତ ରଖିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ୧୯୯୮ରେ ଭାରତର ବାଜପେୟୀ ସରକାର ପୋଖରାନରେ ପରମାଣୁ ପରୀକ୍ଷା କରିବା ପରେ ପାକିସ୍ତାନ୍ ପରମାଣୁ ପରୀକ୍ଷା କରିଥିଲା।