ମୁମ୍ବାଇ: ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ ଗୁରୁବାର କହିଛନ୍ତି, ବିଜେପି ବର୍ତ୍ତମାନ ଏଭଳି ସ୍ଥିତି ସୃଷ୍ଟି କରୁଛି ଯାହାଫଳରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହୋଇପାରିବ। ସରକାର ଗଠନରେ ବିଳମ୍ବ କରାଇ ବିଜେପି ଏପରି କରୁଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଶିବସେନା ନେତା କହିଥିଲେ, ବିଜେପି ସରକାର ଗଠନ କରିବାରେ ଅସମର୍ଥ ବୋଲି ଘୋଷଣା କରିବା ଉଚିତ। ଏହାପରେ ଯାଇ ଶିବସେନା ଆଗେଇବ।
ସେ ପୁରୁଣା ଦାବିକୁ ଏହି ଅବସରରେ ଦୋହରାଇଛନ୍ତି। ରାଉତ କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ କେବଳ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱରେ ଥିବା ଦଳରୁ ହିଁ ହେବେ। ସେ ଦବା କରିଥିଲେ, ଆପଣ ଗୃହର ଫ୍ଲୋର୍ରେ ଜାଣିଯିବେ। ଆମ ପାଖରେ ସଂଖ୍ୟା ଅଛି।
ସେ ପ୍ରଶ୍ନ କରିଛନ୍ତି, ବିଜେପି ନେତାମାନେ ଆଜି ରାଜ୍ୟପାଳଙ୍କୁ ଭେଟିଥିଲେ ମଧ୍ୟ ସରକାର ଗଠନ ପାଇଁ ଦାବି କଲେନି କାହିଁକି? ସେମାନେ ଖାଲି ହାତରେ ଫେରିଲେ କାହିଁକି? ସେମାନେ ରାଷ୍ଟ୍ରପତି ଶାସନ ଜାରି ହେବାର ସ୍ଥିତି ତିଆରି କରୁଛନ୍ତି। ବିଜେପି ପାଖରେ ସଂଖ୍ୟା ନାହିଁ।
ଶିବସେନା ବିଧାୟକମାନଙ୍କୁ ଏକ ହୋଟେଲ୍ରେ ନେଇ ରଖିବା ପ୍ରଶ୍ନକୁ ସେ ସିଧାସଳଖ ଜବାବ ଦେଇନାହାନ୍ତି। ସେ କେବଳ କହିଛନ୍ତି, ସବୁ ବିଧାୟକଙ୍କର ମୁମ୍ବାଇରେ ଘର ନାହିଁ। ତେଣୁ ସମମ୍ତଙ୍କୁ କିଭଳି ଗୋଟିଏ ଛାତ ତଳେ ସୁବିଧା ମିଳିପାରିବ ତାହା କେବଳ ବ୍ୟବସ୍ଥା କରିଛୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।