ଭୋପାଲ: ସୋମବାର କମଲନାଥ ସରକାର ବିଧାନସଭାରେ ଆସ୍ଥା ଭୋଟ ଦେବା ଦରକାର। ମଧ୍ୟପ୍ରଦେଶ ବିଜେପିର ବିଧାୟକ ଦଳ ରାଜ୍ୟପାଳ ଲାଲଜି ଟଣ୍ଡୋନଙ୍କୁ ଭେଟି ଏହି ଦାବି କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଧାୟକ ଶିବରାଜ ସିଂହ ଚୌହ୍ୱାନଙ୍କ ନେତୃତ୍ୱରେ ବିଜେପି ବିଧାୟକ ଦଳ ଶନିବାର ରାଜ୍ୟପାଳଙ୍କୁ ଭେଟିଛି। ସୋମବାର କମଲନାଥ ସରକାରଙ୍କୁ ଆସ୍ଥା ଭୋଟର ପରୀକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳଙ୍କୁ ଚିଠି ଜରିଆରେ ନିବେଦନ କରିଛି ବିଜେପି।
କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ଦେବା ପରେ ୨୨ ବିଧାୟକ ଇସ୍ତଫା ଦେଇଛନ୍ତି। ଏହାପରେ କମଲନାଥ ସରକାର ଅଡ଼ୁଆରେ ପଡ଼ିଛନ୍ତି। ତେବେ ବିଧାୟକଙ୍କ ଇସ୍ତଫା ଗ୍ରହଣ ହୋଇନାହିଁ। କମଲନାଥ ସରକାର ବିଧାୟକଙ୍କୁ ବୁଝାଇ ସୁଝାଇ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ଚେଷ୍ଟା କରୁଥିବା ସୂଚନା ରହିଛି। ଆଗକୁ ରାଜ୍ୟସଭା ନିର୍ବାଚନ ରହିଛି। ଏହାରି ଭିତରେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ଇସ୍ତଫା ଦେଇଥିବା ବିଧାୟକ।
୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ଏବେ ୨୨୮ ଜଣ ବିଧାୟକ ରହିଛନ୍ତି। ସରକାର ଗଢ଼ିବା ପାଇଁ ୧୧୫ ବିଧାୟକଙ୍କ ସମର୍ଥନ ଆବଶ୍ୟକ ରହିଛି। ଏବେ କଂଗ୍ରେସ ସରକାର ପାଖରେ ୧୨୧ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଯେଉଁଥିରେ ଚାରିଜଣ ସ୍ୱାଧୀନ, ଦୁଇଜଣ ବାହୁଜନ ସମାଜ ପାର୍ଟି (ବିଏସପି) ବିଧାୟକ ଏବଂ ଗୋଟିଏ ସମାଜବାଡି ପାର୍ଟି (ଏସପି) ବିଧାୟକ ରହିଛନ୍ତି। ଯଦି ବାଚସ୍ପତି ଏନପି ପ୍ରଜାପତି ବିଦ୍ରୋହୀ ୨୨ ବିଧାୟକଙ୍କ ଇସ୍ତଫା ଗ୍ରହଣ କରନ୍ତି, ତାହେଲେ କଂଗ୍ରେସ ପାଖରେ ୧୦୪ ବିଧାୟକ ରହିବେ। ସରକାର ଗଢ଼ିବା ପାଇଁ ୨୦୬ ରହିବ ମ୍ୟାଜିକ ନମ୍ୱର। କଂଗ୍ରେସ ପାଖରେ ମୋଟ୍ ବିଧାୟକ ରହିବେ ମାତ୍ର ୯୨ ଜଣ। ବିଜେପି ପାଖରେ ରହିବ ୧୦୭ ଜଣ। ଏହି ସ୍ଥିତିରେ ଯଦି କମଲନାଥ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ ତାହେଲେ ସରକାର ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ।
ନିକଟରେ କଂଗ୍ରେସର ବିଧାୟକ ଦଳ ବୈଠକ ବସିଥିଲା। ଏଥିରେ ଇସ୍ତଫା ଦେଇଥିବା ବିଧାୟକଙ୍କୁ ବାଦ୍ ଦେଇ ସମସ୍ତ ବିଧାୟକ ଯୋଗ ଦେଇଥିଲେ ବୋଲି କଂଗ୍ରେସ କହିଥିଲା। ହେଲେ ବିଏସପି ଓ ଏସପିର ମୋଟ୍ ଦୁଇ ବିଧାୟକ ବୈଠକରେ ସାମିଲ୍ ହୋଇନଥିବା ଜଣାପଡ଼ିଥିଲା।