ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଅର୍ଥନୀତିଜ୍ଞଙ୍କୁ ନେଇ ନୀତି ଆୟୋଗ ବୈଠକ କରୁଥିଲେ ହେଁ ଏଥିରେ ଅର୍ଥମନ୍ତ୍ରୀଙ୍କ ଅନୁପସ୍ଥିତି ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ଏହା ପ୍ରାକ୍ ବଜେଟ୍ ମାନସ ମନ୍ଥନ ବୈଠକ ହୋଇଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସିନଥିଲେ। ପରେ ଜଣାପଡ଼ିଛି ଅର୍ଥମନ୍ତ୍ରୀ ବିଜେପି କାର୍ଯ୍ୟାଳୟର ଦଳର ନେତାମାନଙ୍କ ଦାବି ଶୁଣୁଥିଲେ। ସେ ୩ ଘଣ୍ଟା କାଳ ଏଥିରେ ବ୍ୟସ୍ତ ଥିଲେ।
ଏହି ବୈଠକ ୧.୩୦ ବଦଳରେ ୩ ଘଣ୍ଟା ପୂର୍ବରୁ ୧୦.୩୦ ବେଳେ ଆରମ୍ଭ ହୋଇଥିଲା। ତେବେ ଏହି ରୁଦ୍ଧ ଦ୍ୱାର ବୈଠକରେ ବିଜେପି ଦାବି ରଖିନି ବରଂ ନୀତିଗତ ସୁଧାର ଆଣିବାକୁ ପରାମର୍ଶ ଦେଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ପ୍ରଥମ ଥର ପାଇଁ ବିଜେପି ବିଭିନ୍ନ ବିଶେଷଜ୍ଞଙ୍କ ସହ ଏପରି ଆଲୋଚନା କରୁଛି। ଏଭଳି ଲଗାତାର ବୈଠକ ଆୟୋଜିତ ହେଉଥିବା ବିଜେପି ପକ୍ଷରୁ କୁହାଯାଇଛି। ବିଭିନ୍ନ କ୍ଷେତ୍ରରୁ ୨୦୦ ଜଣ ବିଶେଷଜ୍ଞଙ୍କଠାରୁ ଚଳିତ ବଜେଟ୍ ପାଇଁ ପରାମର୍ଶ ନିଆଯାଇଛି।
ତେବେ ବିଜେପି ପକ୍ଷରୁ ଅର୍ଥମନ୍ତ୍ରୀଙ୍କୁ ପରାମର୍ଶ ଦିଆଯାଇଛି, ଏହା ଏକ ଗାଁ, ଗରିବ ଏବଂ କୃଷକ ବଜେଟ୍ ହେବ। ଏନେଇ ଦଳର ସାଧାରଣ ସମ୍ପାଦକ ଅରୁଣ ସିଂହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଯଦିଓ ସେ ଏହାକୁ ସ୍ପଷ୍ଟ ବଖାଣି ନାହାନ୍ତି, କୃଷି କ୍ଷେତ୍ରକୁ ଏଥର ଗୁରୁତ୍ୱ ମିଳିବା ସ୍ପଷ୍ଟ ହୋଇଛି। କୃଷକଙ୍କ ପାଇଁ ମଧ୍ୟ ଏଥର ଉପହାର ରହିବ। ତେବେ ସରକାର କୃଷି ଋଣ ଛାଡ଼ କରିବାର ନାହିଁ ବୋଲି ମଧ୍ୟ ପରୋକ୍ଷରେ ସ୍ପଷ୍ଟ ହୋଇଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ୨ ଘଣ୍ଟା ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ଅନୁପସ୍ଥିତ ରହିବା ଏହି ବୈଠକକୁ ପାଣିଚିଆ କରିଦେଇଥିଲା। ମୋଦିଙ୍କ ବୈଠକରେ ୩୦ ଜଣ ଶିଳ୍ପ ବିଶେଷଜ୍ଞ ଏବଂ ଅର୍ଥନୀତିଜ୍ଞ ଯୋଗ ଦେଇଥିଲେ। ଏହା ଭାରତର ଅର୍ଥନୀତି ଓ ବେକାରୀ ସୁଧାରିବା ଉଦ୍ଦିଷ୍ଟ ଥିଲା। ମୋଦିଙ୍କ ବ୍ୟତୀତ ଏନ୍ଡିଏ ସରକାରର ପ୍ରମୁଖ ମନ୍ତ୍ରୀମାନେ ଯଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ସଡ଼କ ଓ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଯୋଗଦେଇଥିଲେ।