ଜାତୀୟ ସଙ୍ଗୀତ ବାଜିବା ପୂର୍ବରୁ ଗୃହରୁ ପଳାଇଲେ ବିଜେପି ବିଧାୟକ ଓ ଅସ୍ଥାୟୀ ବାଚସ୍ପତି

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା ଜାତୀୟ ସଙ୍ଗୀତକୁ ଅସମ୍ମାନ କରିବା ଘଟଣାକୁ ନେଇ ଏକ ଭିଡିଓ ଭାଇରାଲ୍‌ ହୋଇଥିବା ବେଳେ ଏବେ ରାଜ୍ୟ ବିଧାନସଭାର ଅସ୍ଥାୟୀ ବାଚସ୍ପତି କେ.ଜି ବୋପାୟା, ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା ଓ ସମସ୍ତ ବିଜେପି ବିଧାୟକଙ୍କ ଜାତୀୟ ସଙ୍ଗୀତକୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଗତକାଲି (ଶନିବାର) ସନ୍ଧ୍ୟାର। ଆସ୍ଥା ଭୋଟ୍ ପାଇଁ ବିଧାନସଭା ବସିଥିଲା। ତେବେ ଆସ୍ଥା ଭୋଟ୍ ପୂର୍ବରୁ ଗୃହରେ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ତାଙ୍କର […]

assembly

Rakesh Mallick
  • Published: Sunday, 20 May 2018
  • , Updated: 20 May 2018, 11:58 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା ଜାତୀୟ ସଙ୍ଗୀତକୁ ଅସମ୍ମାନ କରିବା ଘଟଣାକୁ ନେଇ ଏକ ଭିଡିଓ ଭାଇରାଲ୍‌ ହୋଇଥିବା ବେଳେ ଏବେ ରାଜ୍ୟ ବିଧାନସଭାର ଅସ୍ଥାୟୀ ବାଚସ୍ପତି କେ.ଜି ବୋପାୟା, ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା ଓ ସମସ୍ତ ବିଜେପି ବିଧାୟକଙ୍କ ଜାତୀୟ ସଙ୍ଗୀତକୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି।

ଘଟଣାଟି ଗତକାଲି (ଶନିବାର) ସନ୍ଧ୍ୟାର। ଆସ୍ଥା ଭୋଟ୍ ପାଇଁ ବିଧାନସଭା ବସିଥିଲା। ତେବେ ଆସ୍ଥା ଭୋଟ୍ ପୂର୍ବରୁ ଗୃହରେ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ତାଙ୍କର ଇସ୍ତଫା ଘୋଷଣା କରିଥିଲେ। ଗୃହରେ ଭାଷଣ ଶେଷ କରିବା ପରେ ସେ ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫାପତ୍ର ଦେବା ପାଇଁ ବାହାରି ଗଲେ। ଏହା ପରେ ପରେ ଅସ୍ଥାୟୀ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରି ଦେଇ ଗୃହରୁ ଚାଲିଗଲେ। ଜାତୀୟ ସଙ୍ଗୀତ ବାଜିବା ପର୍ଯ୍ୟନ୍ତ ସେ ଅପେକ୍ଷା କରି ନଥିଲେ।

ଏହା ଦେଖି କଂଗ୍ରେସର ସଦସ୍ୟମାନେ ଅସ୍ଥାୟୀ ବାଚସ୍ପତି ବୋପାୟାଙ୍କ ବିରୋଧରେ ନାରାବାଜି କରିଥିଲେ। ସେ ଜାତୀୟ ସଙ୍ଗୀତକୁ ଅସମ୍ମାନିତ କରିଛନ୍ତି ବୋଲି କହିଥିଲେ। ଏହାପରେ ଗୃହର ମାର୍ଶାଲମାନେ ବାଚସ୍ପତିଙ୍କ ଅଫିସ୍‌କୁ ଦୌଡ଼ି ଯାଇ ତାଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ବୋପାୟା ପୁଣି ଥରେ ନିଜ ସ୍ଥାନକୁ ଫେରିଥିଲେ ଓ ଜାତୀୟ ସଙ୍ଗୀତ ଶେଷ ହେବା ପର୍ଯ୍ୟନ୍ତ ସେଠାରେ ଛିଡ଼ା ହୋଇଥିଲେ।

ଗତକାଲି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଏହି କଥା ଉଠାଇଥିଲେ। ସେ କହିଥିଲେ,“ଆପଣମାନେ କର୍ଣ୍ଣାଟକ ବିଧାନସଭାରେ ଗୋଟିଏ କଥା ଲକ୍ଷ୍ୟ କରିଥିଲେ ନା ନାହିଁ। ବିଜେପି ବିଧାୟକ ଓ ବାଚସ୍ପତି ଜାତୀୟ ସଙ୍ଗୀତ ବାଜିବା ପୂର୍ବରୁ ଗୃହରୁ ଚାଲିଯାଇଥିଲେ। ଏଥିରୁ ଏହା ପ୍ରମାଣିତ ହେଉଛି ଯେ ଯଦି ସେମାନେ କ୍ଷମତାରେ ରହିବେ ଯେକୌଣସି ଅନୁଷ୍ଠାନକୁ ଅସମ୍ମାନିତ କରିପାରିବେ। ଉଭୟ ବିଜେପି ଓ ଆର୍‌ଏସ୍‌ଏସ୍ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ଅସମ୍ମାନ କରନ୍ତି।”

ସୂଚନାଯୋଗ୍ୟ, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗତକାଲି ବିଧାନସଭାରେ ବିଜେପି ତାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଥାଆନ୍ତା। ତେବେ ବହୁମତ ମିଳିବାର ସମ୍ଭାବନା କମ୍‌ ଥିବା ଜାଣିପାରି ଭୋଟ୍ ପୂର୍ବରୁ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ତାଙ୍କର ଇସ୍ତଫା ଘୋଷଣା କରି ଦେଇଥିଲେ। ଫଳରେ ତାଙ୍କ ନେତୃତ୍ୱାଧୀନ ସରକାର ଭାଙ୍ଗି ଯାଇଥିଲା।

୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ବିଜେପି ୧୦୪ଟି ଆସନ ପାଇଥିବା ବେଳେ କଂଗ୍ରେସ ୭୮ଟି ଓ ଜେଡିଏସ୍‌ ୩୮ଟି ଆସନରେ ବିଜୟୀ ହୋଇଛନ୍ତି। ଦୁଇ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ରହିଛନ୍ତି। ବିଜେପି ସରକାର ଭାଙ୍ଗିବା ପରେ ରାଜ୍ୟପାଳ କଂଗ୍ରେସ ଓ ଜେଡିଏସ୍ ମେଣ୍ଟକୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିଛନ୍ତି। ଜେଡିଏସ୍ ନେତା ଏଚ୍.ଡି କୁମାରସ୍ୱାମୀଙ୍କ ନେତୃତ୍ୱରେ ଏହି ସରକାର ଗଠନ ହେବ। କୁମାରସ୍ୱାମୀ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଆହୁରି ପଢ଼ନ୍ତୁ- ଜାତୀୟ ସଙ୍ଗୀତ ଗାନ ବେଳେ ମଞ୍ଚ ଛାଡି ଚାଲିଗଲେ ମହାମହିମ!

Related story