କହୁକହୁ ବିବାଦୀୟ କଥା କହିଦେଲେ ବିଏସ୍‌ପି ନେତା: ସୋନିଆ ଗାନ୍ଧିଙ୍କ ପାଇଁ ଦଳରୁ ତଡ଼ା ଖାଇଲେ

ନୂଆଦିଲ୍ଲୀ: ଗୋଟିଏ ଦଳରେ ଥାଇ ଅନ୍ୟ ଦଳର ନେତାଙ୍କୁ ସମାଲୋଚନା କରିବା ଏକ ବାହାଦୂରୀ ବୋଲି ବିଚାର କରାଯାଉଛି। କିନ୍ତୁ ବହୁଜନ ସମାଜ ପାର୍ଟିର ବରିଷ୍ଠ ନେତା ତଥା ଦଳର ରାଷ୍ଟ୍ରୀୟ ସଭାପତି ଜୟପ୍ରକାଶ ସିଂହଙ୍କ ପାଇଁ ଫଳ ଓଲଟା ଫଳିଛି। ଅନ୍ୟ ଦଳର ଜଣେ ବରିଷ୍ଠ ନେତାଙ୍କୁ କଡ଼ା ସମାଲୋଚନା କରି ସେ ଦଳରୁ ତଡ଼ା ଖାଇଛନ୍ତି। ଖବରଟି ଏହିପରି। ଅସଲରେ ଜୟସିଂହ ତାଙ୍କ ଦଳର ମୁଖିଆ ସୁଶ୍ରୀ ମାୟାବତୀଙ୍କୁ ଖୁସି କରିବାକୁ, ତାଙ୍କୁ ତେଲ […]

maya 1

Rakesh Mallick
  • Published: Tuesday, 17 July 2018
  • , Updated: 17 July 2018, 02:42 PM IST

ନୂଆଦିଲ୍ଲୀ: ଗୋଟିଏ ଦଳରେ ଥାଇ ଅନ୍ୟ ଦଳର ନେତାଙ୍କୁ ସମାଲୋଚନା କରିବା ଏକ ବାହାଦୂରୀ ବୋଲି ବିଚାର କରାଯାଉଛି। କିନ୍ତୁ ବହୁଜନ ସମାଜ ପାର୍ଟିର ବରିଷ୍ଠ ନେତା ତଥା ଦଳର ରାଷ୍ଟ୍ରୀୟ ସଭାପତି ଜୟପ୍ରକାଶ ସିଂହଙ୍କ ପାଇଁ ଫଳ ଓଲଟା ଫଳିଛି। ଅନ୍ୟ ଦଳର ଜଣେ ବରିଷ୍ଠ ନେତାଙ୍କୁ କଡ଼ା ସମାଲୋଚନା କରି ସେ ଦଳରୁ ତଡ଼ା ଖାଇଛନ୍ତି।

ଖବରଟି ଏହିପରି। ଅସଲରେ ଜୟସିଂହ ତାଙ୍କ ଦଳର ମୁଖିଆ ସୁଶ୍ରୀ ମାୟାବତୀଙ୍କୁ ଖୁସି କରିବାକୁ, ତାଙ୍କୁ ତେଲ ମାରିଲା ପରି କିଛି କହିବାକୁ ଚାହୁଁଥିଲେ। ସେ କହିବାକୁ ଚାହୁଁଥିଲେ ଯେ, ଆଗାମୀ ନିର୍ବାଚନରେ ମୟାବତୀ ହିଁ ଉପଯୁକ୍ତ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ। କିନ୍ତୁ କହୁ କହୁ କଥାଟା କଂଗ୍ରେସ ଆଡ଼କୁ ଚାଲିଗଲା। କହି ପକେଇଲେ- "କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଦେଶିନୀ ମା'ଙ୍କଠାରୁ ଜନ୍ମ ନେଇଥିବାରୁ ସେ ପ୍ରଧାନମନ୍ତ୍ରୀ ପଦକୁ ଆଶା କରନ୍ତୁ ନାହିଁ।"

ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି କରିବା ପରିପ୍ରେ‍କ୍ଷୀରେ ଜୟସିଂହ ଏକ ଶ୍ରମିକ ସମ୍ମିଳନୀକୁ ସମ୍ବୋଧନ କରୁଥିଲେ। କିନ୍ତୁ ଏହା ଶୁଣିବା ପରେ କ୍ଷୁବ୍ଧ ହୋଇଛନ୍ତି ବିଏସ୍‌ପି ନେତ୍ରୀ ମାୟାବତୀ। ସୋନିଆ ଗାନ୍ଧିଙ୍କୁ ନେଇ ମନ୍ତବ୍ୟ ଦେଇଥିବାରୁ ସେ ଜୟପ୍ରକାଶଙ୍କ ବିରୋଧରେ ସଙ୍ଗେ ସଙ୍ଗେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ଓ ତାଙ୍କୁ ଦଳର ସମସ୍ତ ପଦରୁ ସସ୍‌ପେଣ୍ଡ କରିଦେଇଛନ୍ତି।
ଏ ପ୍ରସଙ୍ଗରେ ମାୟାବତୀ କହିଛନ୍ତି- "ଜୟପ୍ରକାଶଙ୍କର ଏ ମନ୍ତବ୍ୟ ବିଏସ୍‌ପିର ବିଚାରଧାରା ବିରୋଧୀ। ଅନ୍ୟଏକ ଦଳର ନେତୃତ୍ୱ ପ୍ରତି ସେ ଯେଉଁ ଟିପ୍‌ପଣୀ ଦେଇଛନ୍ତି, ତାହା ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ। ସେଥିରେ ପାର୍ଟିର କୌଣସି ଭୂମିକା ନାହିଁ।"
ଏମିତି ଥିଲା ଜୟପ୍ରକାଶଙ୍କ ସଂପୂର୍ଣ୍ଣ ଭାଷଣ: "କର୍ଣ୍ଣାଟକ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱୀମୀଙ୍କୁ ଶାସନ ଗାଦି ଦେବାରେ ମାୟାବତୀଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ସେ ହିଁ ଏକମାତ୍ର 'ଦବଙ୍ଗ ନେତା' ଯିଏ ନିର୍ବାଚନ ଯୁଦ୍ଧରେ ଅମିତ ଶାହା ଏବଂ ନରେନ୍ଦ୍ର ମୋଦିଙ୍କ ବିଜୟ ରଥକୁ ରୋକି ପାରିବେ। ଜଣେ ଦଳିତ ନେତା ଭାବରେ ସେ ସମସ୍ତଙ୍କ ସମର୍ଥନ ପାଇ ଆସିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ତାଙ୍କ ପାଇଁ ସଠିକ୍‌ ସମୟ ଆସିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅପେକ୍ଷା ମାୟାବତୀଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବା ପାଇଁ ଅଧିକ ପ୍ରମାଣପତ୍ର ଅଛି। ମାୟାବତୀ ଜଣେ ତୃଣମୂଳ ସ୍ତରର ନେତ୍ରୀ। ଯିଏକି ଚାରିଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି।"

ସେ ଆହୁରି ମଧ୍ୟ କହିଥିଲେ- "ରାହୁଲ ଗାନ୍ଧୀ ତାଙ୍କ ବାପାଙ୍କ ଅପେକ୍ଷା ମା'ଙ୍କ ପରି ଅଧିକ ଦେଖା ଯାଉଛନ୍ତି। ତାଙ୍କ ମା' ଜଣେ ବିଦେଶିନୀ ହୋଇଥିବାରୁ ରାହୁଲି କେବେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ।"
ତେବେ ଜୟପ୍ରକାଶଙ୍କର ଏହି ବିବାଦୀୟ ମନ୍ତବ୍ୟ ଉପରେ କଂଗ୍ରେସ ପ୍ରତିନିଧିମାନେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ବିଜେପି ରାଜ୍ୟସଭା ସଦସ୍ୟ ଓ ମିଡିଆ ବିଭାଗର ମୁଖ୍ୟ ଅନିଲ୍‌ ବଲୁନୀ କହିଛନ୍ତି- "ଲୋକସଭାରେ ଗୋଟିଏ ବି ସିଟ୍‌ ନଥିଲେ ମଧ୍ୟ, ପ୍ରଧାନମନ୍ତ୍ରୀ ହେବାକୁ ଯେକୌଣସି ବ୍ୟକ୍ତି ସ୍ୱପ୍ନ ଦେଖିପାରିବେ। ରାହୁଲ୍‌ ଗାନ୍ଧିଙ୍କ ପରି ନେତା ୪୪ ସିଟ୍‌ ନେଇ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି। ମାୟାବତୀଙ୍କ ପରି ନେତ୍ରୀ, ଲୋକସଭାରେ ତାଙ୍କ ଦଳର ଗୋଟିଏ ବି ସିଟ୍‌ ନ ଥାଇ ମଧ୍ୟ, ପ୍ରଧାନମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଛନ୍ତି।"

 

 

 

 

 

Related story