ନୂଆଦିଲ୍ଲୀ: ଜୁନ୍ ୧ରୁ ଆରମ୍ଭ ହୋଇଥିବା ଅନଲକ-୧ର ରାତ୍ରୀକାଳୀନ କର୍ଫ୍ୟୁକୁ ନେଇ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ରାତ୍ରୀକାଳୀନ କର୍ଫ୍ୟୁ ଅର୍ଥାତ ରାତି ୯ରୁ ସକାଳ ୫ଟା ବେଳେ କେବଳ ସାଧାରଣ ଲୋକଙ୍କ ଯାତାୟାତ ଉପରେ କଟକଣା ଲାଗିବ। କିନ୍ତୁ ବସ୍ରେ ଯାତାୟାତ କରୁଥିବା ଲୋକ ଓ ଟ୍ରକ ଚଳାଚଳ ଉପରେ କୌଣସି କଟକଣା ରହିବ ନାହିଁ।
ବିଭିନ୍ନ ସାମଗ୍ରୀ ନେଇ ଯାଉଥିବା ଟ୍ରକ୍କୁ କୌଣସି ଜାତୀୟ ରାଜପଥରେ କେହି ବି ଅଟକାଇ ପାରିବେ ନାହିଁ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସ୍ୱରାଷ୍ଟ୍ର ସଚିବ ଅଜୟ ଭଲ୍ଲା ଚିଠି ଲେଖି କହିଛନ୍ତି ଯେ କରୋନା ସଂକ୍ରମଣକୁ ରୋକିବା ଓ ସାମାଜିକ ଦୂରତାକୁ ବଜାୟୀ ରଖିବା ପାଇଁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି।
ହେଲେ ଏହା ଯାତ୍ରୀବାହୀ ବସ କିମ୍ବା ସାମାଗ୍ରୀ ନେବା ଆଣିବା ପାଇଁ ଲାଗୁ ହେବନାହିଁ। ଜରୁରୀ ସେବାରେ ନିୟୋଜିତ ଥିବା ଗାଡ଼ି ଓ ବ୍ୟକ୍ତିମାନଙ୍କୁ ମଧ୍ୟ ରାତ୍ରୀକାଳୀନ କର୍ଫ୍ୟୁ ବେଳେ ରାଜ୍ୟ ସରକାରମାନେ ବାଧା ଦେଇପାରିବେ ନାହିଁ। କେବଳ ଅନାବଶ୍ୟକ ଭାବେ ଯିବା ଆସିବା ଉପରେ କଟକଣା ଲାଗୁ କରାଯାଇଛି।
ସେହିପରି ରେଳ ଷ୍ଟେସନ, ବସ୍ଷ୍ଟାଣ୍ଡ ଓ ବିମାନ ବନ୍ଦରରୁ ଘରକୁ ଯାଉଥିବା କିମ୍ବା ଘରୁ ଏହି ସବୁ ସ୍ଥାନକୁ ଆସୁଥିବା ଲୋକଙ୍କୁ ମଧ୍ୟ ପ୍ରଶାସନ ବାଧା ଦେବନାହିଁ ବୋଲି ସେ କହିଛନ୍ତି।