ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ମହାମାରୀ କରୋନା ଭାଇରସ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୨୪୧୧ ଜଣ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛି।
ଜାନୁଆରୀ ୩୦ରେ କରୋନା ଦେଶକୁ ଛୁଇଁଥିଲେ ହେଁ ଗୋଟିଏ ଦିନରେ କେବେ ହେଲେ ଏତେ ସଂଖ୍ୟକ କରୋନା ମାମଲା ସାମ୍ନାକୁ ଆସି ନଥିଲା। ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୭୭୬ରେ ପହଞ୍ଚି ଯାଇଛି।
ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୭୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ଦେଶରେ ମୃତ୍ୟୁସଂଖ୍ୟା ୧୨୨୩ ଛୁଇଁଛି। ଆକ୍ରାନ୍ତ ହୋଇଥିବା ୩୭,୭୭୬ ଜଣଙ୍କ ମଧ୍ୟରୁ ୧୦,୦୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ଦେଶର ବିଭିନ୍ନ ହସ୍ପିଟାଲରେ ୨୬,୫୩୫ ଜଣ ଚିକିତ୍ସିତ ହେଉଛନ୍ତି।
କରୋନା ଦ୍ୱାରା ମହାରାଷ୍ଟ୍ର ସବୁଠାରୁ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୧୧,୫୦୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୮୭୯ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୪୮୫ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। କ୍ଷତିଗ୍ରସ୍ତ ତାଲିକାର ଦ୍ୱିତୀୟ ସ୍ଥାନରେ ଗୁଜରାଟ ଓ ତୃତୀୟରେ ଦିଲ୍ଲୀ ରହିଛି।
ଗୁଜରାଟରେ ୪୭୨୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୩୬ ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟରେ ୭୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିଲ୍ଲୀରେ ଆକ୍ରାନ୍ତ ହୋଇଥିବା ୩୭୩୮ ଜଣଙ୍କ ମଧ୍ୟରୁ ୬୧ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୧୧୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଆନ୍ଧ୍ର ପ୍ରଦେଶରେ ୩୩, ହରିଆଣାରେ ୪, ହିମାଚଳ ପ୍ରଦେଶରେ ୧, ଜମ୍ମୁ-କଶ୍ମୀରରେ ୮, ଝାରଖଣ୍ଡରେ ୩, କର୍ଣ୍ଣାଟକାରେ ୨୫, କେରଳରେ ୪, ମଧ୍ୟପ୍ରଦେଶରେ ୧୪୫, ମେଘାଳୟରେ ୧, ଓଡ଼ିଶାରେ ୧, ପଞ୍ଜାବରେ ୨୦, ତେଲେଙ୍ଗାନାରେ ୨୬, ଉତ୍ତର ପ୍ରଦେଶରେ ୪୩ ଓ ପଶ୍ଚିମବଙ୍ଗରେ ୩୩ ଜଣ ପ୍ରାଣ ହରାଇଛନ୍ତି।