ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ବିଜେପିରୁ ବିତାଡ଼ିତ ବିଧାୟକ କୁଲଦୀପ୍ ସିଂହ ସେନ୍ଗାରଙ୍କ ନାମରେ ଲାଗିଥିବା ଅଭିଯୋଗ ବାବଦରେ ତଦନ୍ତ ଆରମ୍ଭ କରିଛି ସିବିଆଇ ଟିମ୍। ଏହି ବିଧାୟକଙ୍କୁ କେଉଁ କେଉଁ ରାଜନୀତିକ ବ୍ୟକ୍ତିମାନେ ଜେଲରେ ଭେଟିଛନ୍ତି, ସିବିଆଇ ସେମାନଙ୍କ ବାବଦରେ ତଥ୍ୟ ମାଗିଛି।
ସିବିଆଇ ବର୍ଷେ ତଳେ ଏହି ବିଧାୟକଙ୍କ ନାମରେ ଚାର୍ଜଶିଟ୍ ଦାଖଲ କରିଥିଲା। ତେବେ ଗତ କିଛି ଦିନ ତଳେ ଘଟିଥିବା ଏକ ଭୟଙ୍କର ଦୁର୍ଘଟଣାରେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା ଗୁରୁତର ଆହତ ହେବା ପରେ ଏହାର ତଦନ୍ତ କରିବାକୁ ସୁପ୍ରିମ୍କୋର୍ଟ ସିବିଆଇକୁ ସପ୍ତାହେ ସମୟ ଦେଇଛନ୍ତି।
ଉନ୍ନାଓ ଦୁଷ୍କର୍ମ ପୀଡ଼ିତା ନିଜ ସହର ଉନ୍ନାଓରୁ ରାଏବରେଲୀ ଯାଉଥିବା ସମୟରେ ତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା। ଏଥିରେ ତାଙ୍କର ୨ ଜଣ ସମ୍ପର୍କୀୟ ପ୍ରାଣ ହରାଇଥିବାବେଳେ ସେ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ପ୍ରଥମେ ପହଞ୍ଚିଥିବା ପୁଲିସ୍ଙ୍କର ବୟାନ ରେକର୍ଡ କରାଯାଇସରିଛି। ଆଉ ଏକ ଟିମ୍ ଟ୍ରକ୍ ବାବଦରେ ତଥ୍ୟ ଯାଞ୍ଚ କରୁଛି। ପୀଡ଼ିତାଙ୍କ ପରିବାର ଦେଇଥିବା ଏଫ୍ଆଇଆରରେ ବିଧାୟକ ସେନ୍ଗାରଙ୍କ ନାମ ଉଲ୍ଲେଖ କରିବା ପରେ ଏହି ମାମଲା ଭିନ୍ନ ମୋଡ଼ ନେଇଛି। ଦେଶ ସାରା ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ବିଧାୟକ ସେନ୍ଗାର ଏବଂ ସହଯୋଗୀଙ୍କଠାରୁ ବିପଦ ଆଶଙ୍କା କରି ପୀଡ଼ିତାଙ୍କ ପରିବାର ଲୋକେ ସୁପ୍ରିମ୍କୋର୍ଟଙ୍କ ଠାରୁ ନ୍ୟାୟ ପାଇଁ ଆବେଦନ କରିଥିଲେ। ଏହାପରେ ଉନ୍ନାଓ ମାମଲାର ତଦନ୍ତ ଦିଲ୍ଲୀ କୋର୍ଟକୁ ସ୍ଥାନାନ୍ତରିତ ହେବା ସହ କୋର୍ଟ ଏହାର ତଦନ୍ତ ନେଇ ୪୫ ଦିନର ଡେଡ୍ଲାଇନ୍ ଧାର୍ଯ୍ୟ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।