କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକତାଠାରେ ଥିବା ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କଲେରା ଆଣ୍ଡ ଏଣ୍ଟିରିକ୍ ଡିଜିଜେସ୍ ପକ୍ଷରୁ ସାଂଘାତିକ ଅଭିଯୋଗ ଆସିଛି। ଅଭିଯୋଗ ଅଣାଯାଇଛି ପଶ୍ଚିମବଙ୍ଗ ସରକାର ଯଥେଷ୍ଟ ନମୁନା ପରୀକ୍ଷା ପାଇଁ ପଠାଉନାହାନ୍ତି। ଆଇସିଏମ୍ଆର୍ ଅଧୀନରେ ପରିଚଳାତ ଏହି ଅନୁଷ୍ଠାନର ନିର୍ଦ୍ଦେଶକ ନିଜେ ଏଭଳି ଅଭିଯୋଗ ଆଣିଛନ୍ତି।
ଆଇସିଏମ୍ଆର୍-ଏନ୍ଆଇସିଇଡି ନିର୍ଦ୍ଦେଶକ ଶାନ୍ତା ଦତ୍ତ କହିବା ଅନୁଯାୟୀ, “ଗତ ସପ୍ତାହକରେ ହଠାତ ନମୁନା ଆସିବା ବନ୍ଦ ହୋଇଯାଇଛି। ଏପରିକି ଦିନକୁ ୨୦ଟି ନମୁନା ମଧ୍ୟ ଆସିନି। କେତେ ନମୁନା ଆସିବ ରାଜ୍ୟ ସରକାର ନିଷ୍ପତ୍ତି ନିଅନ୍ତି। ତେଣୁ ଯେତେ ଅଧିକ ନମୁନା ଆସିବ ସେତେ ଅଧିକ ପରୀକ୍ଷା ହେବ। ତେଣୁ ପଶ୍ଚିମବଙ୍ଗରେ କମ୍ ପରୀକ୍ଷା ହେଉଛି।”
ସେ କହିଛନ୍ତି, ଆମେ ପ୍ରଥମେ ପ୍ରଥମେ ଦିନକୁ ୯୦ରୁ ୧୦୦ ନମୁନା ପାଉଥିଲୁ। କିନ୍ତୁ ଏବେ ଅନ୍ୟ କେନ୍ଦ୍ର ରହିଛି, ତେଣୁ ଏନ୍ଆଇସିଡିକୁ କମ୍ ନମୁନା ଆସୁଛି। ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ ଆଣିଥିଲେ ପଶ୍ଚିମବଙ୍ଗରେ ଯଥେଷ୍ଟ ଟେଷ୍ଟିଂ କିଟ୍ ନାହିଁ। ଉତ୍ତରରେ ଦତ୍ତ କହିଛନ୍ତି ଆଇସିଏମ୍ଆର ପଶ୍ଚିମବଙ୍ଗକୁ ୪୨,୫୦୦ ଟେଷ୍ଟିଂ କିଟ୍ ପଠାଇଛି।
ଦତ୍ତ କହିଛନ୍ତି, ପୂର୍ବ ଭାରତରେ ଆମେ ହିଁ ୱେୟାରହାଉସ୍। ଆମେ ଆଇସିଏମ୍ଆରଠାରୁ ୪୨,୫୦୦ ଟେଷ୍ଟିଂ କିଟ୍ ପାଇଛୁ। ପଶ୍ଚିମବଙ୍ଗର ମେଡିକାଲ କଲେଜ୍ ସବୁ ବ୍ୟତୀତ କିଛି ଓଡ଼ିଶା ଏବଂ ଆଉ କିଛି ପୋର୍ଟ ବ୍ଲେୟାର ପଠାଇଛୁ। ଏବେ ଷ୍ଟକ୍ରେ ୨୭,୦୦୦ କିଟ୍ ରହିଛି।
ପଶ୍ଚିମବଙ୍ଗ ସରକାରଙ୍କୁ ୭୫୦୦ କିଟ୍ ଦିଆଯାଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଗତ ୧୨ ତାରିଖ ଯାଏ ପଶ୍ଚିମବଙ୍ଗରେ ମୋଟ ୨୫୨୩ ପରୀକ୍ଷା କରାଯାଇଛି। ରାଜ୍ୟ ପରିଚାଳିତ ପରୀକ୍ଷା କେନ୍ଦ୍ରକୁ ହିଁ ନମୁନା ପଠାଯାଉଛି କି ପଚରାଯିବାରୁ ଦତ୍ତ କହିଥିଲେ, ଆମର ଏହି କେନ୍ଦ୍ରର ଭିତ୍ତିଭୂମି ଅଧିକ ଏବଂ ଅଧିକ କର୍ମଚାରୀ ଅଛନ୍ତି। ଅନ୍ୟ କେନ୍ଦ୍ରଗୁଡ଼ିକରେ ହେଉଥିବା ପରୀକ୍ଷା ପାଇଁ କର୍ମଚାରୀଙ୍କୁ ଆମେ ହିଁ ତାଲିମ ଦେଇଛୁ। ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗରେ ଏଯାଏ ୭ ଜଣଙ୍କ ଜୀବନ କରୋନା କାରଣରୁ ଗଲାଣି। ଏହାର ପଡ଼ୋଶୀ ରାଜ୍ୟ ଓଡ଼ିଶାରେ ଜଣେ ପ୍ରାଣ ହରାଇଥିବାବେଳେ ପରୀକ୍ଷାର ମାତ୍ରା ତୁଳନାତ୍ମକ ଭାବେ ଅଧିକ ରହିଛି।