ନୂଆଦିଲ୍ଲୀ: ଦିଲ୍ଲୀରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସ୍ଥିତି ଜଟିଳ ହେଉଥିବା ଦେଖି କେନ୍ଦ୍ର ସରକାର ୬ ଆଇଏଏସ ଅଫିସରଙ୍କୁ ନିଯୁକ୍ତ କରିଛନ୍ତି। ଏଯାବତ ୩୮ ହଜାର ଆକ୍ରାନ୍ତ ଦିଲ୍ଲୀରୁ ଚିହ୍ନଟ ହୋଇଛନ୍ତି।
ବରିଷ୍ଠ ଆଇଏଏସ ଅଫିସର ଏସ.ସି.ଏଲ ଦାଶ ଏବଂ ଏସ.ଏସ ଯାଦବ, ଆଣ୍ଡାମାନ ନିକୋବରର ଦୁଇ ଆଇଏଏସ ଅଶ୍ୱନୀ କୁମାର ଏବଂ ମୋନିକା ପ୍ରିୟଦର୍ଶିନୀ ଏବଂ ଅରୁଣାଚଳ ପ୍ରଦେଶର ଗୌରବ ସିଂହ ରାଜଓ୍ୱତ ଓ ବିକ୍ରମ ସିଂହ ମଲ୍ଲିକ ଦିଲ୍ଲୀ କରୋନା ମୁକାବିଲା ପାଇଁ ନିୟୋଜିତ ହୋଇଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ କ୍ରମେ କୁମାର, ପ୍ରିୟଦର୍ଶିନୀ, ରାଜାଓ୍ୱତ ଏବଂ ମଲ୍ଲିକଙ୍କୁ ଦିଲ୍ଲୀ ବଦଳି କରାଯାଇଛି। ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ବୈଠକରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରିବିନ୍ଦ କେଜ୍ରିଓ୍ୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏବଂ ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ଉପସ୍ଥିତ ଥିଲେ। ନିକଟରେ ସୁପ୍ରିମକୋର୍ଟ କରୋନା ମୁକାବିଲା ନେଇ ଦିଲ୍ଲୀ ସରକାରକୁ କଡ଼ା ସମାଲୋଚନା କରିଥିଲେ।