ଜମ୍ମୁ-କଶ୍ମୀର ଗଲେ ଅତିରିକ୍ତ ୧୦୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ, ୟାସିନ ମାଲିକ ଗିରଫ

ଶ୍ରୀନଗର: ଭାରତରେ ରହି ପାକିସ୍ତାନର ଗୁଣଗାନ କରୁଥିବା ବିଚ୍ଛିନ୍ନତାବାଦୀ ନେତା ୟାସନ୍‌ ମାଲିକଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ପୁଲିସ୍‌ ଗିରଫ କରିଛି। ତେବେ ଏହାକୁ ନେଇ ଉପତ୍ୟକାରେ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ଥିବାରୁ ଗତକାଲି ରାତିରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତତ୍କାଳ ୧୦୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀଙ୍କୁ ଜମ୍ମୁ-କଶ୍ମୀର ପଠାଇଛି। ଏହି ସୁରକ୍ଷାକର୍ମୀମାନେ ପୁଲିସ୍‌ ଓ ସେଠାରେ ଥିବା ଯବାନମାନଙ୍କ ସହ ମିଶି କାର୍ଯ୍ୟ କରିବେ। ସୋମବାର ସୁପ୍ରିମକୋର୍ଟ ଧାରା ୩୫-ଏ ଉପରେ ଶୁଣାଣି କରିବେ। ଏହାକୁ […]

s

Hemant Lenka
  • Published: Saturday, 23 February 2019
  • , Updated: 23 February 2019, 12:06 PM IST

ଶ୍ରୀନଗର: ଭାରତରେ ରହି ପାକିସ୍ତାନର ଗୁଣଗାନ କରୁଥିବା ବିଚ୍ଛିନ୍ନତାବାଦୀ ନେତା ୟାସନ୍‌ ମାଲିକଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ପୁଲିସ୍‌ ଗିରଫ କରିଛି। ତେବେ ଏହାକୁ ନେଇ ଉପତ୍ୟକାରେ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ଥିବାରୁ ଗତକାଲି ରାତିରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତତ୍କାଳ ୧୦୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀଙ୍କୁ ଜମ୍ମୁ-କଶ୍ମୀର ପଠାଇଛି। ଏହି ସୁରକ୍ଷାକର୍ମୀମାନେ ପୁଲିସ୍‌ ଓ ସେଠାରେ ଥିବା ଯବାନମାନଙ୍କ ସହ ମିଶି କାର୍ଯ୍ୟ କରିବେ।

ସୋମବାର ସୁପ୍ରିମକୋର୍ଟ ଧାରା ୩୫-ଏ ଉପରେ ଶୁଣାଣି କରିବେ। ଏହାକୁ ଉଚ୍ଛେଦ ପାଇଁ ଦାବି ହେଉଥିବା ବେଳେ କଶ୍ମୀରରେ ଏଥିପାଇଁ ଉତ୍ତେଜନା ପ୍ରକାଶ ପାଇବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ୍‌ ପକ୍ଷରୁ ଜମ୍ମୁ-କଶ୍ମୀର ଲିବେରେସନ୍‌ ଫ୍ରଣ୍ଟର ମୁଖ୍ୟ ୟାସିନ୍‌ ମାଲିକଙ୍କୁ ଗିରଫ କରାଯାଇଛି। ଏଥିସହ ସମଗ୍ର ଉପତ୍ୟକାରେ ହାଇଆଲର୍ଟ ଜାରି କରାଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, “ଆମେ ଜମ୍ମୁ-କଶ୍ମୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି ରାତିରୁ ଅତିରିକ୍ତ ୪୫ କମ୍ପାନୀ ସିଆରପିଏଫ୍‌, ୩୫ କମ୍ପାନୀ ବିଏସ୍‌ଏଫ୍‌, ୧୦ କମ୍ପାନୀ ଏସ୍‌ଏସ୍‌ବି ଓ ୧୦ କମ୍ପାନୀ ଆଇଟିବିପି ଯବାନଙ୍କୁ ମୁତୟନ କରିଛୁ। ଏମାନେ ସେଠାରେ କାର୍ଯ୍ୟରତ ପୁଲିସ୍‌ ଓ ସୁରକ୍ଷାକର୍ମୀଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ଯାଏ କାର୍ଯ୍ୟ କରିବେ।” ତେବେ ସରକାର ଏତେ ସଂଖ୍ୟକ ସୁରକ୍ଷାକର୍ମୀ କାହିଁକି ହଠାତ ମୁତୟନ କରାଗଲା, ତାହାର କାରଣ ନିର୍ଦ୍ଦିଷ୍ଟ ଭାବେ କିଛି କହିନାହାନ୍ତି।

ଗତକାଲି ରାତିରେ ୟାସିନ୍‌ ମାଲିକ ଗିରଫ ହୋଇଥିବା ବେଳେ ଆଜି ସୁରକ୍ଷାକର୍ମୀମାନେ ଜାମାତ-ଇ-ଇସ୍‌ଲାମ ସଂଗଠନର ନେତାମାନଙ୍କ ଠିକଣାରେ ଚଢ଼ଉ କରିଛନ୍ତି। ସୁରକ୍ଷାକର୍ମୀମାନେ ଡଜନରୁ ଅଧିକ ଜାମାତ-ଇ-ଇସ୍‌ଲାମର ନେତାଙ୍କୁ ଗିରଫ ମଧ୍ୟ କରିଥିବା ଜଣାପଡ଼ିଛି। ସେହିପରି ଜାମାତର ଅନେକ ସଦସ୍ୟଙ୍କୁ ଅନନ୍ତନାଗ, ପାହାଲଗମ, ଦିଆଲଗମ, ଟ୍ରଲ ଭଳି ଅଞ୍ଚଳରୁ ସୁରକ୍ଷାକର୍ମୀମାନେ ଉଠାଇ ନେଇଛନ୍ତି।

ସୋମବାର ସୁପ୍ରିମକୋର୍ଟରେ ୩୫-ଏ ଧାରାର ଉଚ୍ଛେଦ ପାଇଁ ଶୁଣାଣି ହେବ। ଏଥିପାଇଁ ଜାମାତ ଓ ୟାସିନ୍‌ ମାଲିକଙ୍କ ସଂଗଠନ ବିଶାଳ ବିକ୍ଷୋଭ ଆୟୋଜନର ଯୋଜନା କରୁଥିଲା। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

Related story