ଚେନ୍ନାଇ: କୁହାଯାଏ ବୟସ ଏକ ସଂଖ୍ୟା ମାତ୍ର, ବିଶେଷ କରି ଦାମ୍ପତ୍ୟ ଜୀବନରେ ଏହି ଉଦାହରଣ ଦିଆଯାଏ। ଏକ ଗବେଷଣାରୁ ଜଣାପଡ଼ିଛି ଏକଥା ସତ। ଡକ୍ଟର ନାରାୟଣ ରେଡ୍ଡି ନାମକ ଜଣେ ଯୌନ ବିଶେଷଜ୍ଞଙ୍କ ସଦ୍ୟ ଗବେଷଣାରୁ ଏଭଳି କଥା ଜାଣିବାକୁ ମିଳିଛି। ସେ ଏକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ବୟସ ବଢ଼ିବା ସହ ଶକ୍ତି କମିବା କଥା ସତ, କିନ୍ତୁ ଏହା ସମ୍ପୂର୍ଣ୍ଣ କମିଯାଏନି। ତାଙ୍କ ଗବେଷଣାରୁ ଜଣାପଡ଼ିଛି ୫୦ରୁ ୫୯ ବର୍ଷରେ ମହିଳା ଓ ପୁରୁଷ ମାସକୁ ୧୦ଥର ଯୌନ ସମ୍ପର୍କ ରଖିଥା’ନ୍ତି। ଏପରିକି ୭୧% ପୁରୁଷ ଏବଂ ୪୮% ମହିଳା ଏହି ସର୍ଭେରେ କହିଛନ୍ତି ସେମାନେ ବିଭିନ୍ନ ଯୌନୋଦ୍ଦୀପକ ଉପକରଣ ପାଇଁ ଆକର୍ଷିତ ହୋଇଛନ୍ତି।
ଡକ୍ଟର ରେଡ୍ଡି କହିଛନ୍ତି, “ଲୋକେ ଭାବନ୍ତି ୫୦ ବର୍ଷ ଅତିକ୍ରମ କରିବା ପରେ ସବୁକିଛି ସରିଗଲା। କିନ୍ତୁ ଏହା ସତ ନୁହେଁ। ମୁଁ ଲୋକଙ୍କୁ ଜଣାଇବାକୁ ଚାହିଁଲି ବୟସ ସହ ସବୁକିଛି ସରିଯାଏନି କେବଳ ଉତ୍ସାହ ଧୀମା ହୋଇଯାଏ।” ସେ ୫୦ରୁ ୯୧ ବର୍ଷ ବୟସର ଲୋକଙ୍କୁ ଏହି ସର୍ଭେ ପାଇଁ ନେଇଥିଲେ। ୨୦୭୧ ଜଣ ବ୍ୟକ୍ତିଙ୍କ ମଧ୍ୟରେ ୭୨.୯୧% ପୁରୁଷ ଏବଂ ୨୭.୦୯% ମହିଳା ଥିଲେ।
ସେ କହିଛନ୍ତି, ଜୀବନ କାଳ ବଢ଼ିବା ସହିତ ଏବଂ ଉତ୍ତମ ଚିକିତ୍ସା ସହିତ ଅଧିକ ବୟସରେ ମଧ୍ୟ ଲୋକେ ସୁସ୍ଥ ରହିବା ସହ କ୍ଷମତା ବଜାୟ ରଖିପାରିଛନ୍ତି। ୧୯୫୦ ମସିହାରେ ଭାରତୀୟଙ୍କ ହାରାହାରି ଜୀବନକାଳ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ଯଥାକ୍ରମେ ୪୦ ଏବଂ ୩୮ ଥିଲା। ୨୦୧୧ ବେଳକୁ ଏଥିରେ ବହୁ ପରିବର୍ତ୍ତନ ଆସିଛି।
ଏଥିରୁ ଜଣାପଡ଼ିଛି ବାହାଘର ପରେ ବିଶେଷ କରି ଆରେଞ୍ଜଡ୍ ମ୍ୟାରେଜ୍ରେ ମହିଳାମାନେ ବେଶ୍ କିଛି ଦିନ ଯାଏ ଠିକ୍ରେ ସହଯୋଗ କରିନଥା’ନ୍ତି। କିଛି ଦିନ ଏକାଠି ରହିବା ପରେ ଏହି ସମସ୍ୟାର ସମାଧାନ ହୋଇଯାଏ। ତେବେ ୨୯.୮୭ ପୁରୁଷ ଏବଂ ୧୬.୭୬ ମହିଳା ସ୍ୱାମୀ ବା ସ୍ତ୍ରୀଙ୍କ ବ୍ୟତୀତ ଆଉ କାହା ସହ ସମ୍ପର୍କ ରଖିଥିବା କହିଛନ୍ତି। ୨୩.୯୫% ପୁରୁଷ କହିଛନ୍ତି ସ୍ତ୍ରୀଙ୍କ ଅନୁପସ୍ଥିତିରେ ଏହି କାର୍ଯ୍ୟ କରିଛନ୍ତି। ୪% ମହିଳା କହିଛନ୍ତି ସେମାନେ ପ୍ରେମରେ ପଡ଼ି ଏପରି କରିଛନ୍ତି ଏବଂ ୬.୩୮% ମହିଳା କହିଛନ୍ତି ସେମାନେ ଶାରୀରୀକ ଆବଶ୍ୟକତା କାରଣରୁ ଏଭଳି କରିଛନ୍ତି।
ଡକ୍ଟର ରେଡ୍ଡି କହିଛନ୍ତି, ବୟସ୍କ ଲୋକଙ୍କ ଯୌନ ଆବଶ୍ୟକତା ବାବଦରେ କେହି ଚିନ୍ତା କରନ୍ତିନି। ପିଲାମାନେ ଭାବନ୍ତି ସେମାନଙ୍କର ଏହି ଇଛାଟି ମରିଯାଇଛି। ଭାରତରେ ବୟସ ହୋଇଯିବା ପରେ ବା ପିଲାମାନେ ବିବାହ ବୟସରେ ଉପନୀତ ହେବାବେଳକୁ ସ୍ୱାମୀ ସ୍ତ୍ରୀଙ୍କ ଶୋଇବା ଘର ବଦଳିଯାଏ। ସେମାନେ ନାତି ନାତୁଣୀଙ୍କୁ ଖେଳାଇବା ଭିତରେ ନଜ କଥା ଭୁଲିଯା’ନ୍ତି ବୋଲି ଏହି ଡାକ୍ତର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।