ବେଜିଂ: ଚାଇନାରେ ଆରମ୍ଭ ହୋଇଛି ୫ଜି ଟେଲିକମ୍ ସେବା। ଏଥିସହିତ ଚାଇନା ଟେଲିକମ୍ ଜଗତର ଅଗ୍ରଣୀ ପରିଚୟ ହାସଲ କରିପାରିଛି। ଚାଇନାର ରାଷ୍ଟ୍ରାୟତ୍ତ କମ୍ପାନୀ ଚାଇନା ମୋବାଇଲ, ଚାଇନା ୟୁନିକମ୍ ଏବଂ ଚାଇନା ଟେଲିକମ୍ ୫ଜି ସେବା ଆରମ୍ଭ କରିଛନ୍ତି।
ଆଉ ଏଭଳି ଘଟଣା ସେତେବେଳେ ଘଟିଛି ଯେତେବେଳେ ବେଜିଂ ଏବଂ ୱାଶିଂଟନ୍ ପରସ୍ପର ସହ ଟେକ୍ନୋଲୋଜି ଓ ଟ୍ରେଡ୍କୁ ନେଇ ଲଢ଼ୁଛନ୍ତି। ପୂର୍ବରୁ ଦକ୍ଷିଣ କୋରିଆ, ଆମେରିକା ଏବଂ ବ୍ରିଟେନ୍ ୫ଜି ସେବା ଆରମ୍ଭ କରିସାରିଛନ୍ତି।
୫ଜି ହେଉଛି ପଞ୍ଚମ ପିଢ଼ି ମୋବାଇଲ ଇଣ୍ଟରନେଟ୍ କନେକ୍ଟିଭିଟି। ଏଡା ଅଧିକ ସ୍ପିଡ୍ର ଡାଉନ୍ଲୋଡ୍ ଏବଂ ଅପ୍ଲୋଡ୍ ସ୍ପିଡ୍ ଯୋଗାଇଥାଏ। ଏଥିସହିତ ଇଣ୍ଟରନେଟ୍ ସେବାର ପରିସର ବ୍ୟାପକ ହେବା ସହ ସ୍ଥିର ସ୍ପିଡ୍ର ଇଣ୍ଟରନେଟ୍ ଯୋଗାଇଥାଏ। ଚାଇନା ଆସନ୍ତା ବର୍ଷ ୫ଜି ଆରମ୍ଭ କରିବାର ଥିଲା, କିନ୍ତୁ ପରେ ନିଷ୍ପତ୍ତି ବଦଳାଇଛି। ଚାଇନା ୫ଜି ସେବା ପାଇଁ ବର୍ଷ ଶେଷ ସୁଦ୍ଧା ୧ ଲକ୍ଷ ୩୦ ହଜାର ବେସ୍ ଷ୍ଟେସନ୍ ପ୍ରତିଷ୍ଠା କରିବ।