ବେଜିଂ: କୁହାଯାଏ ସଂସାରରେ ମା'ଠୁ ଆପଣାର ଆଉ କେହି ନାହାଁନ୍ତି। ମା' ନିଜ ପିଲାକୁ ସ୍ନେହ ଓ ଭଲପାଇବାର ପଣତରେ ଘୋଡ଼ାଇ ଦୁନିଆର ସମସ୍ତ ଦୁଖଃ କଷ୍ଟରୁ ଦୂରେଇ ରଖେ। ହେଲେ ଚୀନ୍ର ଜଣେ ମହିଳା ନିଜ ସୌକ ପୂରା କରିବା ପାଇଁ ମମତାକୁ ବଳି ପକାଇଦେଇଛନ୍ତି। ଏଠାରେ ଜଣେ ମହିଳା କ୍ରେଡିଟ୍ କାର୍ଡ଼ର ବିଲ୍ ପୈଠ କରିବା ପାଇଁ ଓ ଏକ ସ୍ମାର୍ଟଫୋନ୍ କିଣିବା ପାଇଁ ନିଜ ଜାଆଁଳା ପିଲାଙ୍କୁ ବିକ୍ରି କରିଦେଇଛନ୍ତି।
ସୂଚନା ଅନୁଯାୟୀ ମହିଳାଜଣଙ୍କ ଦୁଇଟି ପିଲାଙ୍କୁ ଅଲଗା ଅଲଗା ଘରେ ପାଖାପାଖି ୬.୫ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ମହିଳା ଜଣକ ଗତବର୍ଷ ସେପ୍ଟେମ୍ବର ମାସରେ ପିଲା ଦୁଇଟିଙ୍କୁ ଜନ୍ମ ଦେଇଥିଲେ।
ଏ ଘଟଣା ସମ୍ପର୍କରେ ଯେତେବେଳେ ପିଲାଙ୍କ ବାପାଙ୍କୁ ଜଣାପଡ଼ିଲା ସେ ମଧ୍ୟ ମହିଳା ଜଣଙ୍କୁ ପିଲା ବିକ୍ରିରେ ମିଳିଥିବା ଟଙ୍କା ମାଗିଥିଲେ। କାରଣ ସେ ମଧ୍ୟ ଜୁଆ ଖେଳି କରଜରେ ବୁଡ଼ିରହିଛନ୍ତି। ହେଲେ ମହିଳା ଜଣଙ୍କ ତାଙ୍କୁ କହିଥିଲେ ଯେ ସେ ସମସ୍ତ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି।
ଘଟଣାରେ ପୁଲିସ୍ ମହିଳା ଓ ତାଙ୍କ ପାର୍ଟନରଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି। ଏଥିସହ ପୁଲିସ୍ ପିଲା ଦୁଇଙ୍କୁ ଉଦ୍ଧାର କରି ତାଙ୍କର ଦାୟିତ୍ୱ ମହିଳାଙ୍କ ମାତାପିତାଙ୍କୁ ଦେଇଛି। ଚୀନର ନିୟମ ହିସାବରେ ଏହା ହେଉଛି ‘ଚାଇଲ୍ଡ ଟ୍ରାଫିକିଂ’ ମାମଲା। ଏଥିରେ ମହିଳା ଜଣଙ୍କୁ ୧୦ ବର୍ଷ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିପାରେ।