ନୂଆଦିଲ୍ଲୀ : ଇଚ୍ଛାକୃତ ଖିଲାପକାରୀଙ୍କ ତାଲିକା ସାର୍ବଜନୀନ କରିବା ବାବଦରେ ସୁପ୍ରିମ୍କୋର୍ଟ ଦେଇଥିବା ରାୟକୁ ଅସମ୍ମାନ କରିଥିବାରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଉର୍ଜିତ ପଟେଲଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛନ୍ତି କେନ୍ଦ୍ରୀୟ ସୂଚନା କମିଶନ୍। ଏତଦ୍ବ୍ୟତୀତ ଅନାଦାୟ ଋଣ ବାବଦରେ ଶ୍ରୀ ପଟେଲ ଦେଇଥିବା ସମସ୍ତ ଚିଠିକୁ ସାର୍ବଜନୀନ କରିବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରଣାଳୟ ଏବଂ ରିଜର୍ଭ ବ୍ୟାଙ୍କକୁ କହିଛନ୍ତି ସିଆଇସି।
୫୦ କୋଟି କିମ୍ବା ଏହାଠାରୁ ଊର୍ଦ୍ଧ୍ୱ ପରିମାଣର ଋଣ ଖିଲାପ କରିଥିବା ବ୍ୟକ୍ତିଙ୍କ ନାମ ସାର୍ବଜନୀନ କରିବାକୁ ମନା କରି ସୁପ୍ରିମ୍କୋର୍ଟଙ୍କ ରାୟକୁ ଅପମାନ କରିଥିବାରୁ ତାଙ୍କ କଠୋରରୁ କଠୋର ଦଣ୍ଡ କାହିଁକି ଦିଆଯିବନି, ତା'ର କାରଣ ଦର୍ଶାଇବାକୁ ଏଥିରେ କୁହାଯାଇଛି।
ଏହା ବ୍ୟତୀତ ଆରବିଆଇ ଗଭର୍ଣ୍ଣର, ଡେପୁଟି ଗଭର୍ଣ୍ଣର ଏବଂ ଆରବିଆଇର ୱେବ୍ସାଇଟ୍ର ଆରଟିଆଇ ପଲିସି ମେଳ ଖାଉନାହିଁ ବୋଲି ମଧ୍ୟ ସୂଚନା କମିଶନର ଶ୍ରୀଧର ଆଚାର୍ଯୁଲୁ କହିଛନ୍ତି। ଏହି ଘଟଣାରେ ସିପିଆଇଓଙ୍କୁ ଦଣ୍ଡିତ କରିହେବ ନାହିଁ, କାରଣ ସେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ହିଁ ଆରଟିଆଇ ପଲିସି ପାଳନ କରିଥାନ୍ତି। ନଭେମ୍ବର ୧୬ ପୂର୍ବରୁ ସେ କାରଣ ଦର୍ଶାଇବେ ବୋଲି ଏହି ନୋଟିସ୍ରେ କୁହାଯାଇଛି।