ମା’ ଗାଳିଦେବାରୁ ଝିଅ କଲା ଆତ୍ମହତ୍ୟା

କୁଡାଲୋର: ମା’ ଗାଳିଦେବାରୁ ଝିଅ କଲା ଆତ୍ମହତ୍ୟା। ତାମିଲନାଡ଼ୁରରେ ଗୋଟିଏ ମାସ ଭିତରେ ଏହା ତୃତୀୟ ଘଟଣା। ଆତ୍ମହତ୍ୟା କରିଥିବା ଝିଅଟି ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିଲେ। ତାମିଲନାଡ଼ୁର କୁଡାଲୋର ଜିଲ୍ଲାରେ ଘଟିଛି ଏହି ଘଟଣା। ମା’ ଗାଳି ଦେବାକୁ ନେଇ ଏହି ଛାତ୍ରୀ ଉଦାସ ଥିଲେ। ଘରେ ତାଙ୍କ ଅଭିଭାବକ ନ ଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ଝିଅର ଶେଷକୃତ୍ୟ କରିବା ନିମନ୍ତେ ପରିବାର ଲୋକେ ପ୍ରସ୍ତୁତି କରୁଥିବା ବେଳେ ଖବର ପାଇ ପୁଲିସ ପହଞ୍ଚିଥିଲା। ଶବ ଜବତ କରି ବୀରୁଥାଚଲମ ସରକାରୀ ଡାକ୍ତରଖାନାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା।

ସୂଚନା ଥାଉକି, ଏହା ଚଳିତ ମାସର ତୃତୀୟ ଘଟଣା ହୋଇଥିବାରୁ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୋମବାର ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଅନ୍ୟଜଣେ ଛାତ୍ରୀ ସ୍କୁଲ ହଷ୍ଟେଲରେ ଆତ୍ମହତ୍ୟା କରିଥିଲେ। ତିରୁଭାଲୁର ଜିଲ୍ଲାରେ ଏହି ଘଟଣା ଘଟିଥିଲା। କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି। ଯେତେବେଳେ କି ପୁଲିସ ଏହି ସ୍କୁଲ ପରିସରରେ ମୁତୟନ ହୋଇଛନ୍ତି।

ସେହିପରି ଏହା ପୂର୍ବଦିନ ତାମିଲନାଡ଼ୁର କାଲାକୁରିଚି ଜିଲ୍ଲାରେ ଜଣେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ତେବେ ଏହି ରହସ୍ୟଜନକ ଘଟଣା ଜୁଲାଇ ୧୩ ତାରିଖରେ ଘଟିଥିଲା। ସ୍କୁଲ ଭିତରେ ଘଟିଥିବା ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଝିଅର ଶବ ଗ୍ରହଣ କରିବାକୁ ତାଙ୍କ ଅଭିଭାବକ ଅରାଜି ହୋଇଥିଲେ। ନିଜ ପସନ୍ଦର ଡାକ୍ତରଙ୍କ ଜରିଆରେ ଘଟଣାର ତଦନ୍ତ କରିବାକୁ ସେମାନେ ଦାବି କରିଥିଲେ। ତେବେ ସୁପ୍ରିମ୍ କୋର୍ଟରେ ଏହି ଆବେଦନ ଖାରଜ ହୋଇଥିଲା। ୧୭ ତାରିଖରେ ଏହି ଘଟଣାକୁ ନେଇ ସ୍କୁଲରେ ବ୍ୟାପକ ଜଳାପୋଡ଼ା ହୋଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।