ନୂଆଦିଲ୍ଲୀ: କୋଇଲା ବ୍ଲକ୍ ଆବଣ୍ଟନ୍ ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ କୋର୍ଟ କଂଗ୍ରେସ ନେତା ତଥା ଶିଳ୍ପପତି ନବୀନ ଜିନ୍ଦଲ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦାସରୀ ନାରାୟଣ ରାଓ ଏବଂ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି । ସେମାନଙ୍କୁ ଏବେ ଗିରଫ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସେମାନେ ଦେଶ ଛାଡି ଅନ୍ୟତ୍ର ନ ଯିବାକୁ କୁହାଯାଇଛି । ଏକଲକ୍ଷ ଟଙ୍କା ମୁଚାଲିକାରେ କୋର୍ଟ ନବୀନ ଜିନ୍ଦଲ, ଶ୍ରୀ ରାଓ , କୋଡାଙ୍କ ସମେତ ଅନ୍ୟ ୧୨ ଜଣଙ୍କୁ ଏହି ସୁରକ୍ଷା ଦେଇଛନ୍ତି।
ଝାରଖଣ୍ଡରେ କୋଇଲା ବ୍ଲକ୍ ଆବଣ୍ଟନରେ ଅନିୟମିତତା ଅଭିଯୋଗ ଉପରେ ସେମାନେ ଆଜି କୋର୍ଟରେ ହାଜର ହୋଇଥିଲେ । ସିବିଆଇ ଅଧିକାରୀମାନେ କହିଛନ୍ତି ଯେ, ଦିଲ୍ଲୀର ଦୁଇଟି ଇସ୍ପାତ ଏବଂ ଲୌହ କମ୍ପାନୀ କୋଇଲା ବ୍ଲକ୍ ଅକ୍ତିଆର କରିବା ପାଇଁ ଭୁଲ୍ ସୂଚନା ପ୍ରଦାନ କରିଥିଲେ । କୋଇଲା ବ୍ଲକ୍ ଆବଣ୍ଟନ ଅନିୟମିତତା ସମୟରେ ୨୦୦୬ ରୁ ୨୦୦୯ ପଯ୍ୟନ୍ତ ରାଓ କୋଇଲା ବିଭାଗର ରାଜ୍ୟମନ୍ତ୍ରୀ ଥିଲେ।