ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପୁଲ୍ୱାମା ଆତଙ୍କବାଦୀ ହମ୍ଲାର ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ସୀମାରେ ପଶି ବାଲାକୋଟ୍ଠାରେ କରିଥିବା ଏୟାରଷ୍ଟ୍ରାଇକ୍ର କୋଡ୍ନେମ୍ ‘ଅପରେସନ୍ ବନ୍ଦର୍’ ରଖାଯାଇ ଥିଲା ବୋଲି ଜଣାପଡ଼ିଛି। ଫେବୃଆରୀ ୨୬ ତାରିଖରେ ଶତ୍ରୁରାଷ୍ଟ୍ରର ସୀମା ଅତିକ୍ରମ କରି ଆକାଶମାର୍ଗରୁ ବୋମା ବର୍ଷଣ କରିବା ଏକ ବିରଳ ଘଟଣା ହୋଇ ରହିବ।
ଏହି ଆକ୍ରମଣର ଟାର୍ଗେଟ୍ ଥିଲା ପାକିସ୍ତାନର ଖାଇବର ପଖତୁନ୍ଖ୍ୱା ପ୍ରଦେଶର ବାଲାକୋଟ୍ଠାରେ ଥିବା ଜୈଶ-ଇ-ମହମ୍ମଦ ଆତଙ୍କୀଙ୍କ ଟ୍ରେନିଂ କ୍ୟାମ୍ପ। ଆତଙ୍କୀମାନେ ଭାରତ ଉପରେ ଆକ୍ରମଣ କରିବା ପୂର୍ବରୁ ସେମାନଙ୍କ ବିରୋଧରେ ଏହି ଆଗୁଆ ପଦକ୍ଷେପ ନିଆଯାଇଥିବା କୁହାଯାଇଥିଲା। ଏଥିରେ ଆତଙ୍କୀଙ୍କ ଏକ ବଡ଼ କ୍ୟାମ୍ପ ଧ୍ୱଂସ ହୋଇଥିବାବେଳେ ୨୫୦ରୁ ୩୦୦ ଆତଙ୍କବାଦୀ ଏଥିରେ ମୃତ୍ୟୁବରଣ କରିଥିବା ଚର୍ଚ୍ଚା ହୋଇଥିଲା।
ଯଦିଓ ଭାରତ ପକ୍ଷରୁ ଏହା ସ୍ପଷ୍ଟ ଭାବେ କୁହାଯାଇନି, ତଥାପି ଏହା ଫେବୃଆରୀ ୧୪ର ପୁଲ୍ୱାମା ଆତ୍ମଘାତୀ ବିସ୍ଫୋରଣର ପ୍ରତିଶୋଧ ଥିଲା। ପୁଲ୍ୱାମାରେ ୪୦ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣ ପାଇଁ ଆତଙ୍କୀ ସଂଗଠନ ଜୈଶ ନିଜକୁ ଦାୟୀ କରିଥିଲା। ଏହାର ୨ ସପ୍ତାହ ପରେ ଅର୍ଥାତ ଫେବୃଆରୀ ୨୬ ତାରିଖରେ ଭାରତୀୟ ବାୟୁସେନାର ମିରାଜ୍-୨୦୦୦ ଯୁଦ୍ଧବିମାନ ଜମ୍ମୁକଶ୍ମୀରରେ ଥିବା ଲାଇନ୍ ଅଫ୍ କଣ୍ଟ୍ରୋଲ ଅତିକ୍ରମ କରିଥିଲା। ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା।