ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତି ଏବେ ସାରା ଦେଶରେ ଜଳିବ। କାରଣ କଂଗ୍ରେସ ଦଳ ସୋମବାର ଦେଶର ସମସ୍ତ ରାଜ୍ୟର ରାଜ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ। ସେଭ୍ ଡେମୋକ୍ରାସି-ସେଭ୍ କନଷ୍ଟିଚ୍ୟୁଏନସି ଅଭିଯାନ ନେଇ ବିରୋଧ କରିବ କଂଗ୍ରେସ। ହେଲେ ରାଜସ୍ଥାନ କଂଗ୍ରେସ କୌଣସି ପ୍ରତିବାଦ କରିବ ନାହିଁ ବୋଲି କହିଛି।
ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂ ଦୋତାସ୍ରା ଟ୍ୱିଟ୍ କରି ଲେଖିଛନ୍ତି, “ସୋମବାର ସେଭ୍ ଡେମୋକ୍ରାସି-ସେଭ୍ କନଷ୍ଟିଚ୍ୟୁଏନସି ଅଭିଯାନରେ ଦେଶର କଂଗ୍ରେସ କର୍ମୀମାନେ ନିଜ ନିଜ ରାଜ୍ୟର ରାଜ ଭବନ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବେ। ହେଲେ ରାଜସ୍ଥାନ କଂଗ୍ରେସ ଏଭଳି କରିବ ନାହିଁ”। ରାଜସ୍ଥାନ ସରକାରଙ୍କ କ୍ୟାବିନେଟର ସଂଶୋଧିତ ପ୍ରସ୍ତାବ ରାଜ୍ୟପାଳଙ୍କ ପାଖକୁ ପଠାଯାଇଛି। ଆଶା କରୁଛୁ ସେ ବିଧାନ ଅଧିବେଶନ ଡାକିବେ ବୋଲି ଗୋବିନ୍ଦ ସିଂ କହିଛନ୍ତି।
ସେହିପରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହିଛନ୍ତି ଯେ ଗଣତନ୍ତ୍ର ବିପଦରେ ଥିବାରୁ ଆଜି ସମଗ୍ର ଦେଶ ଚିନ୍ତିତ। ସ୍ପିକ୍ ଫର ଡେମୋକ୍ରାସି ଅଭିଯାନରେ ନିଜସ୍ୱ ବାର୍ତ୍ତା ଜରିଆରେ ଜଣେ ସାଧାରଣ ଲୋକ ବି ମତ ରଖିପାରିବ।
ସୂଟନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡାକିବା ପାଇଁ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ସାନି ପ୍ରସ୍ତାବ ପଠାଇଛନ୍ତି। ୩୧ ଜୁଲାଇରୁ ବିଧାନସଭା ଅଧିବେଶନକୁ ଡାକିବାକୁ ଏହି ପ୍ରସ୍ତାବରେ ଉଲ୍ଲେଖ ରହିଛି। ହେଲେ ବିଧାନସଭାରେ ଫ୍ଲୋର ଟେଷ୍ଟ ନେଇ କୌଣସି ଉଲ୍ଲେଖ କରି ନାହାନ୍ତି ମୁଖ୍ୟମନ୍ତ୍ରୀ ଗେହଲଟ। କରୋନା ସହିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତାବରେ ଉଲ୍ଲେଖ ରହିଛି।
ରବିବାର ଏହି ପ୍ରସ୍ତାବ ରାଜ୍ୟପାଳଙ୍କ ପାଖକୁ ଗେହଲଟ ସରକାର ପଠାଇଛନ୍ତି। ଏହା ପୂର୍ବରୁ ଶନିବାର ରାତିରେ ଗେହଲଟଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲା। ଗେହଲଟଙ୍କ ବାସଭବନରେ ବସିଥିବା ଏହି ବୈଠକରେ ରବିବାର ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା।
ଏଥି ସହିତ ରବିବାର ରାଜ୍ୟପାଳ କାଲରାଜ ମିଶ୍ର ରାଜସ୍ଥାନରେ ଚାଲିଥିବା ରାଜନୀତିକ ହାଲଚାଲ, କଂଗ୍ରେସର ବିରୋଧ ପ୍ରଦର୍ଶନ ଏବଂ କରୋନା ଭାଇରସ୍ ଉପରେ ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିଛନ୍ତି।ରାଜ୍ୟ ମୁଖ୍ୟ ଶାସନ ସଚିବ ରାଜୀବ ସ୍ୱରୂପ ଏବଂ ପୁଲିସ ମହାନିର୍ଦ୍ଦେଶକ ଭୁପେନ୍ଦ୍ର ଯାଦବ ଜୟପୁର ସ୍ଥିତ ରାଜ ଭବନରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟି ଏସବୁ ସ୍ଥିତି ଉପରେ ଆଲୋଚନା କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।