ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୩ ପ୍ରମୁଖ ହିନ୍ଦୀ ଭାଷାଭାଷୀ ରାଜ୍ୟରେ ବିଜେପିକୁ ଶକ୍ତ ଝଟ୍କା ଲାଗିଛି। ୨୦୧୯ ପୂର୍ବରୁ ସେମିଫାଇନାଲ୍ କୁହାଯାଉଥିବା ବିଧାନସଭା ନିର୍ବାଚନରେ ବିଜେପି ୩-୦ରେ ପରାସ୍ତ ହୋଇଛି। ଛତିଶଗଡ଼ରେ ୧୫ ବର୍ଷ ଧରି କ୍ଷମତାରେ ଥିବା ରମଣ ସିଂହ ନେତୃତ୍ୱାଧୀନ ବିଜେପି ସରକାରକୁ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ କରିଛି। ସେହିପରି ମଧ୍ୟପ୍ରଦେଶରେ ୨୦୦୫ରୁ କ୍ଷମତାରେ ଥିବା ଶିବରାଜ ସିଂହ ଚୌହ୍ୱାନଙ୍କୁ କଂଗ୍ରେସ ଗାଦିଚ୍ୟୁତ କରିବାକୁ ସକ୍ଷମ ହୋଇଛି। ରାଜସ୍ଥାନରେ ପ୍ରତି ୫ ବର୍ଷରେ ସରକାର ପରିବର୍ତ୍ତନ ଟ୍ରେଣ୍ଡ କାଏମ୍ ରହିଛି। ବସୁନ୍ଧରା ରାଜେ ସରକାରକୁ ପଛରେ ପକାଇ କଂଗ୍ରେସ ସରକାର ଗଠନ କରିବାକୁ ଅଣ୍ଟା ଭିଡ଼ିଛି।
ସେପଟେ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଫଳାଫଳ ବିଜେପିକୁ ବଡ଼ ଝଟ୍କା ଦେଇଥିବା ବେଳେ କଂଗ୍ରେସ ପାଇଁ ସଞ୍ଜିବନୀ ସଦୃଶ ହୋଇଛି।
ଅନ୍ୟପକ୍ଷରେ ତେଲେଙ୍ଗାନାରେ ଟିଆର୍ଏସ୍ ମୁଖ୍ୟ କେ.ସି.ଆର.ଙ୍କ ଯାଦୁ ଦେଖିବାକୁ ମିଳିଛି। କେସିଆରଙ୍କ ନେତୃତ୍ୱରେ ଟିଆରଏସ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରିପାରିଛନ୍ତି। କେ.ସି.ଆର. ଡିସେମ୍ବର ୧୩ରୁ ମୁଖ୍ୟମନ୍ତ୍ରୀ ଭାବେ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିବେ। ସେହିପରି ଉତ୍ତର ପୂର୍ବରେ କଂଗ୍ରେସ କ୍ଷମତାରେ ଥିବା ଏକମାତ୍ର ରାଜ୍ୟକୁ ଏନ୍ଡିଏ ସହଯୋଗୀ ମିଜୋ ନ୍ୟାଶନାଲ ଫ୍ରଣ୍ଟ (ଏମ୍ଏନ୍ଏଫ୍) ତା'ଠାରୁ ଛଡ଼ାଇ ଆଣିଛି।
ରାଜସ୍ଥାନ
ରାଜସ୍ଥାନରେ ଯାହା ଆଶା କରାଯାଉଥିଲା ସେୟା ଘଟିଛି। ଏଠାରେ ୧୯୯୩ରୁ ପ୍ରତି ୫ ବର୍ଷରେ ସରକାର ବଦଳି ଆସୁଛି। ସେହି କ୍ରମରେ ଏଥର ମଧ୍ୟ ବିଜେପି ଶାସନ କ୍ଷମତାରୁ ହଟିଛି। ବସୁନ୍ଧରା ରାଜେ ସରକାରଙ୍କୁ ପରାସ୍ତ କରି କଂଗ୍ରେସ ପୁଣି କ୍ଷମତାକୁ ଫେରିଛି।
ମଧ୍ୟପ୍ରଦେଶ ଓ ଛତିଶଗଡ଼
ସେହିପରି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ୧୫ ବର୍ଷ ହେଲା କ୍ଷମତାରେ ଥିବା ବେଳେ ସରକାରୀ ବିରୋଧୀ ହାଓ୍ୱା ଜୋରଦାର ହୋଇଥିବା ସ୍ପଷ୍ଟ ହୋଇଛି। ଛତିଶଗଡ଼ରେ ରମଣ ସିଂହ ସରକାର ଶୋଚନୀୟ ପରାଜୟର ସାମ୍ନା କରିଛନ୍ତି। ପରିବର୍ତ୍ତନର ହାଓ୍ୱାରେ ସଂପୂର୍ଣ୍ଣ ଭାବେ ଧୂଳିସାତ୍ ହୋଇଯାଇଛି ବିଜେପିର ଆଶା। ଏଠାରେ କଂଗ୍ରେସ୍ ଦୁଇ ତୃତୀୟାଂଶ ସିଟ୍ ସହ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି।
ଅନ୍ୟତମ ହିନ୍ଦୀ ଭାଷାଭାଷୀ ରାଜ୍ୟ ମଧ୍ୟପ୍ରଦେଶରେ ଚତୁର୍ଥ ଥର ପାଇଁ ନିର୍ବାଚନ ଲଢ଼ୁଥିବା ଶିବରାଜ ସିଂହ ଚୌହାନ ମଧ୍ୟ ନିଜର ଗାଦି ସୁରକ୍ଷିତ କରିପାରି ନାହାନ୍ତି। ତେବେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଗଣତି ଆରମ୍ଭରୁ କଂଗ୍ରେସ ପଛରେ ରହିଥିଲା। କିନ୍ତୁ ବର୍ତ୍ତମାନ କଂଗ୍ରେସ ମଧ୍ୟପ୍ରଦେଶର ୨୩୦ଟି ଆସନରୁ ୧୧୪ଟିରେ ଜିତିଥିବା ବେଳେ ବିଜେପି ୧୦୯ଟି ଆସନରେ ବିଜୟ ଲାଭ କରିଛି। ଅନ୍ୟାନ୍ୟ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ବିଏସ୍ପିକୁ ୨ଟି ଆସନ ମିଳିଛି। ତେବେ ଏଠାରେ ଥିବା ମ୍ୟାଜିକ ନମ୍ବର ୧୧୬ ପାଇଁ କଂଗ୍ରେସକୁ ୨ ଜଣ ପ୍ରାର୍ଥୀ ଆବଶ୍ୟକ ହେଉଥିବା ବେଳେ, ବିଏସ୍ପି ମୁଖ୍ୟ ମାୟାବତୀ କଂଗ୍ରେସକୁ ସମର୍ଥନ ଦେବେ ବୋଲି କହି ସରକାର ଗଠନର ରାସ୍ତା ସ୍ପଷ୍ଟ କରିଦେଇଛନ୍ତି।
ତେଲେଙ୍ଗାନା
ତେଲେଙ୍ଗାନାରେ କ୍ଷମତା ବଜାୟ ରଖିଛି ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍)। କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ନେତୃତ୍ୱାଧୀନ ସରକାର ଏଠାରେ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବାକୁ ବିପୁଳ ଜନମତ ପାଇଛି। ସେପଟେ ପ୍ରତିପକ୍ଷ କଂଗ୍ରେସ-ଟିଡିପି ମେଣ୍ଟକୁ ହାତଗଣତି ସିଟ୍ ମିଳିଛି। ଗଜେଓ୍ୱଲ ଆସନରୁ କେସିଆର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୫୧ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ସେହିଭଳି କେସିଆରଙ୍କ ପୁଅ କେଟିଆର ମଧ୍ୟ ୭୩ ହଜାର ଭୋଟରେ ବିପୁଳ ବିଜୟ ହାସଲ କରିଛନ୍ତି।
[caption id="attachment_311560" align="alignnone" width="1074"]
ତେଲେଙ୍ଗାନର ୧୧୯ଟି ଆସନରୁ ଟିଆରଏସ ୮୮ଟିରେ ଜିତିଥିବା ବେଳେ କଂଗ୍ରେସ ଓ ଟିଡିପି ମେଣ୍ଟକୁ ୨୧ଟି ଆସନରେ ସଫଳତା ମିଳିଛି। ଏଠାରେ ବିଜେପି ମାତ୍ର ଗୋଟିଏ ଆସନରେ ଜିତିଛି। ଅନ୍ୟାନ୍ୟ ପ୍ରାର୍ଥୀମାନଙ୍କର ୯ଟି ଆସନରେ ବିଜୟ ହୋଇଛି।
ମିଜୋରାମ
ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମିଜୋରାମରେ କଂଗ୍ରେସ ଶୋଚନୀୟ ପରାଜୟର ସାମ୍ନା କରିଛି। ଏଠାରେ ଲଗାତାର ଦୁଇଥର କ୍ଷମତାରେ ଥିବା କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେପଟେ ୧୦ ବର୍ଷରୁ ଅଧିକ ସମୟ ଧରି କ୍ଷମତାଠାରୁ ଦୂରରେ ରହିଥିବା ମିଜୋ ନ୍ୟାସନାଲ ଫ୍ରଣ୍ଟ(ଏମ୍ଏନ୍ଏଫ୍) କ୍ଷମତାକୁ ଫେରିଛି। ମିଜୋରାମରେ ଲଗାତର ୫ ଥର ଧରି ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ପ୍ରାର୍ଥୀ ଲାଲ ଥନଓ୍ୱାଲା ଦୁଇଟି ଯାକ ଆସନରୁ ପରାଜିତ ହୋଇଛନ୍ତି। ଅନ୍ୟପକ୍ଷରେ ପରାଜୟ ପରେ ଜନମତକୁ ସମର୍ଥନ ଜଣାଇ ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲ ଥନଓ୍ୱାଲା ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ଦେଇଛନ୍ତି।