ବେଜିଂ: ଚାଇନାରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଚାଇନାରେ ଏହି ଭାଇରସ ସୃଷ୍ଟି ହୋଇଥିଲେ ହେଁ ୟୁରୋପ ଓ ଆମେରିକାରେ ମୃତ୍ୟୁର ତାଣ୍ଡବ ରଚିବାରେ ଲାଗିଛି। ପୂର୍ବରୁ ଚାଇନାର ମୃତ୍ୟୁସଂଖ୍ୟାକୁ ନେଇ ଯେଉଁ ସନ୍ଦେହ ପ୍ରକାଶ କରାଯାଉଥିଲା, ତାହା ସତ ପ୍ରମାଣିତ ହୋଇଛି।
୧୫ ଦିନ ହେଲା ଚାଇନାରେ ମୃତ୍ୟୁସଂଖ୍ୟା ଏକ ଅଙ୍କରେ ସୀମିତ ରହୁଥିଲେ ହେଁ ଆଜି ହଠାତ୍ ଗୋଟିଏ ଦିନରେ ୧୨୯୦ ଜଣ ପ୍ରାଣ ହରାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଫଳରେ ଚାଇନାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୬୩୨ରେ ପହଞ୍ଚିଛି।
ଆମେରିକା ସ୍ଥିତି ସବୁଠାରୁ ଅଧିକ ଖରାପ ହୋଇଛି। ୨୪ ଘଣ୍ଟାରେ ପ୍ରାୟ ୪,୫୦୦ ଲୋକ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ବିଶ୍ୱର ସର୍ବାଧିକ କରୋନା ଆକ୍ରାନ୍ତ ଓ ମୃତକ ଆମେରିକାରେ ଠାବ ହୋଇଛନ୍ତି। ଏଠାରେ କରୋନା ମୃତ୍ୟୁସଂଖ୍ୟା ୩୪,୬୪୧ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬,୭୮,୨୧୦ ରହିଛି।
ଆମେରିକା ପଛକୁ ଇଟାଲୀରେ ମୃତ୍ୟୁସଂଖ୍ୟା ୨୨,୧୭୦, ସ୍ପେନରେ ୧୯,୩୧୫ ଓ ଫ୍ରାନ୍ସରେ କରୋନା ୧୭,୯୨୦ ଜଣଙ୍କ ମୁଣ୍ଡ ନେଇଛି।
ଗତ ୨୪ ଘଣ୍ଟାରେ ବ୍ରିଟେନରେ ୮ ଶହରୁ ଅଧିକ ଲୋକଙ୍କ ଜୀବନ ଯିବାରୁ ଏଠାରେ ମୃତ୍ୟୁସଂଖ୍ୟା ୧୩,୭୨୯ରେ ପହଞ୍ଚି ଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩,୦୯୩ ହୋଇଯାଇଛି। ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୮, ୨୨୧ ଥିବା ବେଳେ ମୃତ୍ୟୁସଂଖ୍ୟା ୪,୦୯୮ ରହିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଠାରେ ୮୧,୮୦୦ ଲୋକ ସୁସ୍ଥ ହୋଇ ସାରିଲେଣି। ତେଣୁ ଜର୍ମାନୀ ସରକାର ଲକଡାଉନ ନିୟମକୁ କିଛି ସ୍ଥାନରେ ସର୍ତ୍ତମୂଳକ ଭାବେ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅନ୍ୟ ଦେଶଗୁଡ଼ିକ କଥା ବିଚାରକୁ ନେଲେ ଇରାନରେ ୪,୯୫୮, ତୁର୍କୀରେ ୧୬୪୩, ବେଲଜିୟମରେ ୫,୧୬୩, ରୁଷରେ ୨୭୩, ବ୍ରାଜିଲରେ ୧୯୫୨, କାନାଡାରେ ୧୧୯୫, ନେଦରଲ୍ୟାଣ୍ଡସରେ ୩୩୧୫, ସ୍ୱିଜରଲ୍ୟାଣ୍ଡରେ ୧୨୮୮, ପର୍ତ୍ତୁଗାଲରେ ୬୫୭, ଅଷ୍ଟ୍ରିଆରେ ୪୧୦, ଭାରତରେ ୪୫୨, ଆୟର୍ଲ୍ୟାଣ୍ଡରେ ୪୮୬, ଇସ୍ରାଏଲରେ ୧୪୮, ସ୍ୱିଡେନରେ ୧୩୩୩, ପାକିସ୍ତାନରେ ୧୩୫ ଓ ଇରାକରେ ୮୦ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି।