ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୭୨କୁ ବୃଦ୍ଧି ପାଇଛି। ଏଥି ମଧ୍ୟରୁ ୨୭୮୪ ଜଣଙ୍କଠାରେ କୋଭିଡ୍-୧୯ ଭୂତାଣୁ ବର୍ତ୍ତମାନ ମଧ୍ୟ ସକ୍ରିୟ ରହିଛି। ଅନ୍ୟପକ୍ଷରେ ୨୧୨ ସୁସ୍ଥ ହୋଇ ସାରିଲେଣି। ଅନ୍ୟପକ୍ଷରେ ଏହି କାରଣରୁ ୭୫ ଜଣଙ୍କ ଜୀବନ ଯାଇସାରିଲାଣି।
ଏହି ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ସର୍ବାଧିକ ୪୯୦ ଆକ୍ରାନ୍ତ ରହିଛନ୍ତି। ଏହାପଛକୁ ଦିଲ୍ଲୀରେ ୪୪୫ ଆକ୍ରାନ୍ତ ରହିଛନ୍ତି। ସେହିଭଳି ତାମିଲନାଡ଼ୁ ଏବଂ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ଯଥାକ୍ରମେ ୪୧୧ ଏବଂ ୨୯୫ ରହିଛି। ଅନ୍ୟପକ୍ଷରେ ରାଜସ୍ଥାନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁସାରିଛି।
ଏହା ପୂର୍ବରୁ ଗତ ମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଥିଲେ। ଫଳରେ ଆସନ୍ତା ୧୪ ତାରିଖ ଯାଏ ଏହା ଲାଗୁ ରହିବ। କିଛି ସ୍ଥାନରେ କରୋନା ବ୍ୟାପିବାର ଆଶଙ୍କାକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ଲକ୍ଡାଉନ୍ ବା ଶଟ୍ଡାଉନ୍ କରାଯାଇଛି।