ଭାରତରେ ପୁଣି କରୋନା ନେଲା ୨ ଜୀବନ, ଆକ୍ରାନ୍ତଙ୍କ ସଂଖ୍ୟା ୬ଶହ ପାର

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଭାରତ ଯୁଦ୍ଧଂଦେହି ଡାକରା ଦେଇଛି। କରୋନା ମହାମାରୀକୁ ମୂଳପୋଛ କରିବା ପାଇଁ ୨୧ ଦିନିଆ ଲକଡାଉନକୁ କାର୍ଯ୍ୟକାରୀ କରାଯାଇଛି। ତଥାପି କରୋନା ଭାରତରେ ତା’ର ଉପସ୍ଥିତି ଜାହିର କରିବାରେ ଲାଗିଛି। ଆଜି ଏହି କରୋନା ଭାଇରସ ଦେଶରେ ଦୁଇ ଜଣଙ୍କ ଜୀବନ ନେଇଛି। ଜଣେ ତାମିଲନାଡୁରେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ୬୫ ବର୍ଷୀୟ ମହିଳା ମଧ୍ୟପ୍ରଦେଶରେ ଆଖି ବୁଜିଛନ୍ତି। ଫଳରେ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧ ଛୁଇଁଛି। […]

edf

Hemant Lenka
  • Published: Wednesday, 25 March 2020
  • , Updated: 25 March 2020, 09:13 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଭାରତ ଯୁଦ୍ଧଂଦେହି ଡାକରା ଦେଇଛି। କରୋନା ମହାମାରୀକୁ ମୂଳପୋଛ କରିବା ପାଇଁ ୨୧ ଦିନିଆ ଲକଡାଉନକୁ କାର୍ଯ୍ୟକାରୀ କରାଯାଇଛି। ତଥାପି କରୋନା ଭାରତରେ ତା’ର ଉପସ୍ଥିତି ଜାହିର କରିବାରେ ଲାଗିଛି।

ଆଜି ଏହି କରୋନା ଭାଇରସ ଦେଶରେ ଦୁଇ ଜଣଙ୍କ ଜୀବନ ନେଇଛି। ଜଣେ ତାମିଲନାଡୁରେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ୬୫ ବର୍ଷୀୟ ମହିଳା ମଧ୍ୟପ୍ରଦେଶରେ ଆଖି ବୁଜିଛନ୍ତି। ଫଳରେ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧ ଛୁଇଁଛି। ଦିଲ୍ଲୀରେ ଗତକାଲି ପ୍ରାଣ ହରାଇଥିବା ଜଣଙ୍କ ବ୍ୟକ୍ତିଙ୍କ ଶରୀରରେ କୌଣସି କରୋନା ଭୂତାଣୁ ଠାବ ହୋଇନାହିଁ। ପୂର୍ବରୁ ସେ କରୋନାରେ ପ୍ରାଣ ହରାଇଥିବା କୁହାଯାଉଥିଲା। ହେଲେ ପରେ ଏହାକୁ ସଂଶୋଧନ କରାଯାଇଛି।

ତାମିଲନାଡୁରେ ପ୍ରାଣ ହରାଇଥିବା ମୃତକ ଜଣଙ୍କ ମଦୁରାଇ ବାସିନ୍ଦା। ସେ କରୋନାରେ ଆକ୍ରାନ୍ତ ହେବା ପରେ ମଦୁରାଇରେ ଥିବା ରାଜାଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗତକାଲି ବିଳମ୍ୱିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଏ ନେଇ ତାମିଲନାଡୁର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ସି ବିଜୟବସ୍କର ସୂଚନା ଦେଇଛନ୍ତି।

ମୃତକ ଜଣଙ୍କ ଉଚ୍ଚ ରକ୍ତଚାପ ଓ ହୃଦରୋଗରେ ଆକ୍ରାନ୍ତ ଥିଲେ। ସେ ବିଦେଶ ଗସ୍ତ କରି ନଥିଲେ। ତେଣୁ ସେ କାହା ସଂସ୍ପର୍ଶରେ ଆସିବା ପରେ କରୋନାରେ ଆକ୍ରାନ୍ତ ହେଲେ ସେ ନେଇ ଅନୁଧ୍ୟାନ କରାଯାଉଛି ବୋଲି ତାମିଲନାଡୁର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ମଧ୍ୟପ୍ରଦେଶର ଜଣେ ୬୫ ବର୍ଷୀୟ ମହିଳା ଇନ୍ଦୋର ସ୍ଥିତ ଏମ ୱାଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ମହିଳା ଜଣଙ୍କ ଉଜ୍ଜୟୀନ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଏଠାକୁ ଆସିଥିଲେ। ତେବେ ସେ ବିଦେଶ ଗସ୍ତରେ ଯାଇଥିଲେ କି ନାହିଁ, ତା’ହା ଜଣାପଡ଼ିନାହିଁ।

ଅନ୍ୟପକ୍ଷରେ ଆଜି ଦେଶରେ ୯୦ରୁ ଅଧିକ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏଥିପାଇଁ କରୋନା ରୋଗୀଙ୍କ ସଂଖ୍ୟା ଦେଶରେ ୬ଶହ ପାର କରି ଯାଇଛି। ବର୍ତ୍ତମାନ ୬୦୬ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପୂର୍ବଭଳି ମହାରାଷ୍ଟ୍ର ସର୍ବାଧିକ ସଂକ୍ରମିତ ରାଜ୍ୟ ଭାବେ ତାଲିକାର ୧ନଂ ସ୍ଥାନରେ ରହିଛି। ଏଠାରେ ୩ ବିଦେଶୀ ନାଗରିକଙ୍କ ସେମତ ୧୨୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ଜଣଙ୍କ ଜୀବନ ଯାଇଛି।

ଆଜି ମିଜୋରାମ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଦେଶରେ ୫୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସୋମବାର ଏହି ସଂଖ୍ୟା ୯୯ ଥିଲା।

ଆଜି ମଧ୍ୟପ୍ରଦେଶରେ ୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୪ ଜଣ ଇନ୍ଦୋରର ହୋଇଥିବା ବେଳେ ଜଣେ ଉଜ୍ଜୟୀନର ବାସିନ୍ଦା। ଫଳରେ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚି ଯାଇଛି। ବୁଧବାର ଉତ୍ତର ପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି। ଆଜି ପିଲଭିଟର ଜଣେ ୩୩ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ଏହି ବ୍ୟକ୍ତି ଜଣଙ୍କ କେବେ ହେଲେ ବିଦେଶ ଗସ୍ତ କରି ନଥିଲେ। ତଥାପି ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଗୁଜରାଟରେ ୩ ନୂଆ ରୋଗୀ ଚିହ୍ନଟ ହେବା ପରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି। ମହାରାଷ୍ଟ୍ରରେ ଆଜି ୧୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି। ଏହା ପଛକୁ କେରଳରେ ୧୦୯ ଜଣ କରୋନା ଆକ୍ରାନ୍ତ ରହିଛନ୍ତି।

ମିଜୋରାମରେ ପ୍ରଥମଥର ପାଇଁ ଜଣେ ବ୍ୟକ୍ତିଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ତାଙ୍କୁ ଜୋରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କର୍ଣ୍ଣାଟକାରେ ୪୧, ତେଲେଙ୍ଗାନାରେ ୩୫ ଓ ରାଜସ୍ଥାନରେ ୨ ବିଦେଶୀ ନାଗରିକଙ୍କ ସେମତ ୩୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଦିଲ୍ଲୀରେ ଆଜି ୫ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଛୁଇଁଛି। ହରିଆଣାରେ ୨୮, ପଞ୍ଜାବରେ ୨୯, ଲଦାଖରେ ୧୩, ତାମିଲନାଡୁରେ ୧୮, ପଶ୍ଚିମବଙ୍ଗରେ ୯, ଆନ୍ଧ୍ର ପ୍ରଦେଶରେ ୯, ଚଣ୍ଡିଗଡ଼ରେ ୭, ଜମ୍ମୁ-କଶ୍ମୀରରେ ୭, ଉତ୍ତରାଖଣ୍ଡରେ ୪, ବିହାରରେ ୪, ହିମାଚଳ ପ୍ରଦେଶରେ ୩, ପୁଡ଼ୁଚେରୀରେ ୨, ଓଡ଼ିଶାରେ ୨, ମଣିପୁର ଓ ଛତିଶଗଡ଼ରେ ଜଣେ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତି ଅନୁସାରେ ଏଯାବ ୫୬୩ ଜଣ ଭାରତୀୟ ଓ ୪୩ ଜଣ ବିଦେଶୀ ନାଗରିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Related story