ଥିରୁଭନନ୍ତପୁରମ: ମଦ ଆଣିବାକୁ ଯାଇ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ୫ ଜଣ ମିଶି ମଦ ପିଇଥିଲେ। ସେମାନେ ବି ଏଥିପାଇଁ କରୋନାରେ ସଂକ୍ରମିତ ହେଲେ। ଶେଷରେ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ବି ମଦ ଖୋଜିଲେ। କିନ୍ତୁ ହସ୍ପିଟାଲରେ ମଦ ନ ମିଳିବାରୁ ଶେଷରେ ଆଇସୋଲେସନ ୱାର୍ଡ ମଧ୍ୟରେ ବେକରେ ବେଡସିଟ୍ ବାନ୍ଧି ଝୁଲିପଡ଼ିଲେ। ଏପରି ମଦ ପାଇଁ ବ୍ୟାକୁଳ ଥିବା ଜଣେ ୩୩ ବର୍ଷୀୟ କରୋନା ଆକ୍ରାନ୍ତ କେରଳର ଥିରୁଭନନ୍ତପୁରମ ମେଡିକାଲ କଲେଜରେ ଆତ୍ମହତ୍ୟା କରିଛନ୍ତି।
ଏହି ବ୍ୟକ୍ତି ଜଣଙ୍କ ଥିରୁଭନନ୍ତପୁରମର ଆନନ୍ଦ ଗାଁରେ ରହୁଥିଲେ। ରଙ୍ଗ କାମ କରି ପରିବାର ପୋଷୁଥିଲେ। ସେ ଲକଡାଉନ ବେଳେ ମଦ କିଣିବାକୁ ଯାଇ ମେ’ ୨୮ରେ କରୋନାରେ ସଂକ୍ରମିତ ହୋଇଥିଲେ। ତାଙ୍କୁ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେ ମେଡିକାଲ କଲେଜର ଆଇସୋଲେସନ ୱାର୍ଡରୁ ଜୁନ୍ରେ ଡିଆଁ ମାରି ଖସି ଯାଇଥିଲେ।
ପ୍ରଥମେ ଅଟୋ ଓ ପରେ ଏକ ବସ୍ ଯୋଗେ ନିଜ ଘରେ ପହଞ୍ଚି ଯାଇଥିଲେ। କିନ୍ତୁ ସ୍ଥାନୀୟ ପଞ୍ଚାୟତ ଅଧିକାରୀମାନେ ତାଙ୍କୁ ଠାବ କରି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କୁ ଖବର ଦେଇଥିଲେ। ସ୍ୱାସ୍ଥ୍ୟ ଅଧିକାରୀମାନେ ତାଙ୍କୁ ଆମ୍ବୁଲାନ୍ସରେ ନେବାକୁ ଆସିଥିଲେ ହେଁ ସେ ରାଜି ହୋଇ ନଥିଲେ ଏବଂ ମଦ ମାଗିଥିଲେ।
ତେବେ ଦୀର୍ଘ ୧ ଘଣ୍ଟା କାଳ ତାଙ୍କୁ ବୁଝାସୁଝା କରିବା ପରେ ସେ ହସ୍ପିଟାଲ ଯାଇଥିଲେ। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଦୁଇଥର ରିପୋର୍ଟ ନେଗେଟିଭ ମଧ୍ୟ ଆସିଥିଲା। ତୃତୀୟ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ ଆଜି ଉକ୍ତ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି।