ଜେନେଭା: ସାଉଦି ସାମ୍ବାଦିକ ଜମାଲ୍ ଖସୋଗୀଙ୍କ ହତ୍ୟା ମାମଲାରେ ଜାତିସଂଘର ମାନବିକ ଅଧିକାର ଟିମ୍ ପାଇଛି ବଡ଼ ସଫଳତା। ଏଥିରେ ସାଉଦି ଆରବ କ୍ରାଉନ୍ ପ୍ରିନ୍ସଙ୍କ ସମ୍ପୃକ୍ତି ନେଇ ପ୍ରମାଣ ମିଳିଛି ଏବଂ ଅନ୍ତର୍ଜାତୀୟ ତଦନ୍ତ ପାଇଁ ବାଟ ଫିଟିଛି। ଜାତିସଂଘର ଜଣେ ସ୍ୱତନ୍ତ୍ର ରାପ୍ପୋର୍ଟିୟର୍ସ ଆଗ୍ନେଶ କାଲମାର୍ଡ କହିଛନ୍ତି, ଏହି ମାମଲାରେ ବିଶ୍ୱାସଯୋଗ୍ୟ ପ୍ରମାଣ ମିଳିସାରିଛି। ଏହା ଉଚ୍ଚସ୍ତରୀୟ ତଦନ୍ତକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବ।
ରିପୋର୍ଟରେ କୁହାଯାଇଛି, ଦୋଷୀ ସାବ୍ୟସ୍ତ କରିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। କିନ୍ତୁ ତଦନ୍ତ ଆଗକୁ ବଢ଼ାଇବା ଭଳି ପ୍ରମାଣ ମିଳିସାରିଛି। ସେ ପ୍ରମାଣ ପାଇଛନ୍ତି, ଖସୋଗୀ ନିଜେ କ୍ରାଉନ୍ ପ୍ରିନ୍ସଙ୍କ କ୍ଷମତା ବାବଦରେ ଜାଣିଥିଲେ ଏବଂ ସେଥିପାଇଁ ଭୟଭୀତ ଥିଲେ।
ୱାଶିଂଟନ୍ ପୋଷ୍ଟ ପାଇଁ କଣ୍ଟ୍ରିବ୍ୟୁଟ୍ କରୁଥିବା ଖସୋଗୀ ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍ଙ୍କର କଟ୍ଟର ସମାଲୋଚକ ଥିଲେ। ଗତ ବର୍ଷ ଅକ୍ଟୋବର ମାସ ୨ ତାରିଖରେ ତାଙ୍କୁ ଇସ୍ତାନବୁଲଠାରେ ଥିବା ସାଉଦି ଦୂତାବାସରେ ହତ୍ୟା କରାଯାଇଥିଲା। ସାଉଦି ପ୍ରଥମେ ଏହି ଘଟଣା ବାବଦରେ କିଛି ଜାଣି ନଥିବା କହିଥିଲା। ଏହାପରେ କଥା ବୁଲାଇବା ଆରମ୍ଭ କରିଥିଲା।
ଜାତିସଂଘର ସ୍ୱତନ୍ତ୍ର ରାପ୍ପୋର୍ଟିୟର୍ସ କାଲମାର୍ଡ କହିଛନ୍ତି ସେ ‘ସ୍ୱାଧୀନ ମାନବିକା ଅଧିକାର ତଦନ୍ତ’ କରୁଛନ୍ତି। ବୁଧବାର ସେ କହିଥିଲେ, ଉଭୟ ତୁର୍କୀ ଏବଂ ସାଉଦି ଆରବ ଅନ୍ତର୍ଜାତୀୟ ସ୍ତରର ତଦନ୍ତ କରିନାହାନ୍ତି। ସେ ଦାବି କରିଛନ୍ତି, ଜାତିସଂଘ ମହାସଚିବ ଆଣ୍ଟୋନିଓ ଗଟ୍ରେସ୍ ଅନ୍ତର୍ଜାତୀୟ ତଦନ୍ତର ବ୍ୟବସ୍ଥା କରନ୍ତୁ। ଖସୋଗୀ ଆମେରିକାର ନାଗରିକତ୍ୱ ଲାଭ କରିଥିଲେ ମଧ୍ୟ ସେଠାକାର ଏଫ୍ବିଆଇ ଏନେଇ ତଦନ୍ତ ନ କରିବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।