ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ୍ ଖାନ୍ଙ୍କ ବଙ୍ଗଳାରେ ବୁଧବାର କ୍ରାଇମ୍ ବ୍ରାଞ୍ଚ ଚଢ଼ଉ ହୋଇଥିବା ସୂଚନା ମିଳିଛି। କ୍ରାଇମ୍ ବ୍ରାଞ୍ଚ ସେଠାରୁ ଏଭଳି ଜଣେ ବ୍ୟକ୍ତିକୁ ଗିରଫ କରିଛି ଯେକି ଗତ ୨୦ ବର୍ଷ ଧରି ଏହି ବଙ୍ଗଳାର ଦେଖାଶୁଣା କରୁଥିଲା। ଧରାପଡ଼ିଥିବା ବ୍ୟକ୍ତି ମୁମ୍ବାଇ ପୁଲିସ୍ର ୱାଣ୍ଟେଡ୍ ତାଲିକାରେ ଥିଲା ଏବଂ ଗତ ୨୯ ବର୍ଷ ଧରି ପୁଲିସ୍ ତା’କୁ ଖୋଜିଆସୁଥିଲା।
କୁହାଯାଉଛି, ସଲମାନଙ୍କ ଗୋରାଇ ସ୍ଥିତ ବଙ୍ଗଳାରୁ ଶକ୍ତ ସିଦ୍ଧେଶ୍ୱର ରାଣା ନାମକ ଜଣେ ଅପରାଧିକୁ ଗିରଫ କରାଯାଇଛି। ୬୨ ବର୍ଷ ବୟସ୍କ ଏହି ଅପରାଧି ସଲମାନଙ୍କ ବଙ୍ଗଳାରେ କାମ କରୁଥିବା ପୁଲିସ୍ ଖବର ପାଇ ସେଠାରେ ଚଢ଼ଉ କରିଥିଲା।
ପୁଲିସ୍ ସୂଚନା ଅନୁଯାୟୀ, ୧୯୯୦ ମସିହାରେ ସେ ଏବଂ ତା’ର କିଛି ସାଥୀ ଏକ ଚୋରି ମାମଲାରେ ଗିରଫ ହୋଇଥିଲେ। ସେ ଏହାପରେ ଜାମିନ୍ରେ ଆସି ପୁଲିସ୍କୁ ଚକମା ଦେଇ ଲୁଚିବାରେ ସଫଳ ହୋଇଥିଲା। ତା’କୁ ଅନେକ ଥର କୋର୍ଟରେ ହାଜର ହେବାକୁ କୁହାଯାଇଥିଲେ ମଧ୍ୟ ସେ ଏଡ଼ାଇ ଆସିଥିଲା। ଏହାପରେ ତା’ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା।