ନୂଆଦିଲ୍ଲୀ:ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବାତ୍ୟା ‘ଗଜ’ ଆଜି ତାମିଲନାଡୁର କଡାଲୁର ଓ ପାମ୍ବନ ମଝିରେ ଉପକୂଳ ଛୁଇଁବ। ଏହାର ପ୍ରଭାବରେ ଆଜିଠାରୁ ପ୍ରବଳ ସାଙ୍ଗକୁ ଜୋରରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଘଣ୍ଟାପ୍ରତି ୧୧୦ କିଲୋମିଟରରୁ ଅଧିକ ବେଗରେ ପବନ ବହିବା ନେଇ ଆକଳନ କରାଯାଇଛି । ତେବେ ପରିସ୍ଥିତିର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୩୦ ହଜାର ୫୦୦ ଉଦ୍ଧାରକାରୀ ଦଳକୁ ସଜାଗ ରଖାଯାଇଛି।
ସେହିପରି ପୁଡୁଚେରୀରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ଚେନ୍ନାଇଠାରୁ ୨୭୦ କିଲୋମିଟର ପୂର୍ବ ଓ ଉତ୍ତରପୂର୍ବରେ କେନ୍ଦ୍ରୀଭୂତ ସାମୁଦ୍ରିକ ଝଡ଼ ଧିରେ ଧିରେ ତାମିଲନାଡୁ ଉପକୂଳ ଆଡ଼େ ଅଗ୍ରସର ହେଉଛି ।ଏହି ସମୟରେ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟର ୪୩୯୯ଟି ଅଞ୍ଚଳକୁ ସମ୍ବେଦନଶୀଳ ଭାବେ ଘୋଷଣା କରିବା ସହ ରିଲିଫ ସାମଗ୍ରୀ ମହଜୁଦ ରଖାଯାଇଛି।
କଡାଲୁରୁ ଓ ନାଗପାଟନମ ଜିଲ୍ଲାରେ ସତର୍କ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁର ୬ଟି ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ୍କୁ ଆଜି ବନ୍ଦ ରଖାଯାଇଛି। ‘ଗଜ’ ଅତିକ୍ରମ କରିବା ବେଳେ ଉଭୟ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।