କରୋନା ସୃଷ୍ଟି କରୁଛି କୋକୁଆ ଭୟ: ୧୪୮୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବେଜିଂ: ଚାଇନାରେ ସୃଷ୍ଟି ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଛି। ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରିବା ସହ ଲୋକଙ୍କ ମୁଣ୍ଡ ନେବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଏହି ପ୍ରାଣଘାତୀ ଭାଇରସ ଆଉ ୧୨୧ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ମୃତ୍ୟୁସଂଖ୍ୟା ୧୪୮୮ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ ଆଉ ୫ ହଜାର ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ ରୋଗୀଙ୍କ ସଂଖ୍ୟା […]

q

Hemant Lenka
  • Published: Friday, 14 February 2020
  • , Updated: 14 February 2020, 03:07 PM IST

ବେଜିଂ: ଚାଇନାରେ ସୃଷ୍ଟି ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଛି। ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରିବା ସହ ଲୋକଙ୍କ ମୁଣ୍ଡ ନେବାରେ ଲାଗିଛି। ୨୪ ଘଣ୍ଟା ମଧ୍ୟରେ ଏହି ପ୍ରାଣଘାତୀ ଭାଇରସ ଆଉ ୧୨୧ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ମୃତ୍ୟୁସଂଖ୍ୟା ୧୪୮୮ରେ ପହଞ୍ଚି ଯାଇଛି। ସେହିପରି ୨୪ ଘଣ୍ଟାରେ ଆଉ ୫ ହଜାର ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ ରୋଗୀଙ୍କ ସଂଖ୍ୟା ୬୪ ହଜାର ଅତିକ୍ରମ କରିଛି।

ଚାଇନା ନ୍ୟାଶନାଲ ହେଲଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ଗତକାଲି କରୋନା ଭାଇରସରେ ସର୍ବାଧିକ ୨୫୪ ଜଣ ପ୍ରାଣ ହରାଇଥିଲା। ଏଥିପାଇଁ ମୃତ୍ୟୁସଂଖ୍ୟା ୧୩୬୭ରେ ପହଞ୍ଚି ଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨୧ ଜଣଙ୍କ ଜୀବନ ଯାଇଛି। ଏହି ୧୨୧ ଜଣଙ୍କ ମଧ୍ୟରୁ କେବଳ ହୁବେଇ ପ୍ରଦେଶରେ ୧୬୧ଙ୍କ ମୁଣ୍ଡ ଗଡ଼ିଛି। ହେଇଲୋନଗିଜଆଙ୍ଗରେ ୨ ଜଣ, ଅନହୁଇ, ହେନାନ ଓ ଚୋଙ୍ଗକିଆଙ୍ଗରେ ଜଣେ ଲେଖାଏ ଲୋକଙ୍କ ଜୀବନ ଯାଇଛି।

ସେହିପରି ହୁବେଇ ପ୍ରଦେଶରେ କରୋନା ଦ୍ୱାରା ଆଉ ୪,୮୨୩ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩,୦୯୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏଯାଏ କରୋନା ଭାଇରସରେ ମୋଟ ୬୪,୮୯୪ ଜଣ ଲୋକ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଚାଇନା ସରକାର ଏହି ଭାଇରସ ବ୍ୟାପିବା ଉପରେ ରୋକ ଲଗାଇବାକୁ ଉଦ୍ୟମ କରୁଥିଲେ ହେଁ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଲୋକଙ୍କୁ ଚାଇନା ସରକାର ସମସ୍ତ ପ୍ରକାରର ମେଡିକାଲ ସହାୟତା ଯୋଗାଇ ଦେଉଛନ୍ତି। ବିଶେଷ କରି ଭୂତାଣରୁ କେନ୍ଦ୍ରସ୍ଥଳ କୁହାଯାଉଥିବା ହୁବେଇ ପ୍ରଦେଶରେ ସ୍ୱତନ୍ତ୍ର ମେଡିକାଲ ବ୍ୟବସ୍ଥା କରାଯାଇଛି।

ଲୋକଙ୍କୁ ଯଥା ସମ୍ଭବ ଘରେ ରହିବାକୁ ପରାମର୍ଶ ଦିଆଯିବା ସହ ବାହାରୁ ବାହାରିଲେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ବିଭିନ୍ନ ସ୍ଥାନରେ ଭାଇରସକୁ ପ୍ରତିରୋଧ କରିବାର କ୍ଷମତା ରଖିଥିବା ମାସ୍କ ମଧ୍ୟ ବଣ୍ଟା ଯାଉଛି। ପୂର୍ବରୁ କେବଳ ଲୋକଙ୍କ ନ୍ୟୁକ୍ଲିକ ଏସିଡ ଟେଷ୍ଟ କରାଯାଉଥିଲା। ଏହାଦ୍ୱାରା ରୋଗର ଚିହ୍ନଟ ଓ ପ୍ରତିକାର ପାଇଁ ସମୟ ଲାଗୁଥିଲା।

ହେଲେ ଏବେ ସିଟି ସ୍କାନର ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ରୋଗର ଚିହ୍ନଟ ଓ ନିରାକରଣ ଶୀଘ୍ର ହୋଇପାରିବ। ଏହି ସିଟି ସ୍କାନ ଦ୍ୱାରା ଶରୀରର କେଉଁ ସବୁ ଅଞ୍ଚଳରେ ଭାଇରସ ବ୍ୟାପିଛି, ତାହା ଜଣାପଡ଼ିବ ବୋଲି ଚାଇନା ସରକାର କହିଛନ୍ତି।

ଚାଇନା ବ୍ୟତୀତ ବିଶ୍ୱର ଆଉ ୨୮ଟି ଦେଶରେ ମଧ୍ୟ କରୋନା ଭାଇରସ ପ୍ରବେଶ କରିସାରିଲାଣି। ଆମେରିକାରେ ୧୨ରୁ ଅଧିକ ରୋଗୀ ରହିଥିବା ବେଳେ ବ୍ରିଟେନରେ ୯ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଜାପାନରେ ମଧ୍ୟ ୧୦୦ରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଲେଣି।

Related story