୩ ବର୍ଷରେ ୨ ଲକ୍ଷର ଋଣ ହେଲା ୭୦ ଲକ୍ଷ, ସୁଧ ଦେଖି ସନ୍ନ୍ୟାସୀ ହୋଇଗଲେ କଣ୍ଟ୍ରାକ୍ଟର

ଅହମଦାବାଦ: ଋଣ ନେଇ ଅକଳରେ ପଡ଼ିଛନ୍ତି ଜଣେ କଣ୍ଟ୍ରାକ୍ଟର। ସେ ୨ ଲକ୍ଷ ଟଙ୍କା ଋଣ ଆଣିଥିଲେ। ହେଲେ ୩ ବର୍ଷ ମଧ୍ୟରେ ଅଧିକ ସୁଧ ହାର ଯୋଗୁ ଏହା ୭୦ ଲକ୍ଷ ଟଙ୍କା ହୋଇଗଲା। ଏହାକୁ କେମିତି ପରିଶୋଧ କରିବେ, ସେହି ଚିନ୍ତାରେ କଣ୍ଟ୍ରାକ୍ଟର ଜଣଙ୍କ ଏବେ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ଋଣ ପରିଶୋଧ କରିବା ପରିବର୍ତ୍ତେ ସଂସାରର ମୋହମାୟା ଛାଡ଼ି ସନ୍ନ୍ୟାସୀ ହୋଇଯାଇଛନ୍ତି। ଗୁଜରାଟର ଗାନ୍ଧିନଗର ଠାରେ ଘଟିଥିବା ଏହି ଘଟଣା […]

cf

Hemant Lenka
  • Published: Saturday, 14 November 2020
  • , Updated: 14 November 2020, 04:35 PM IST

ଅହମଦାବାଦ: ଋଣ ନେଇ ଅକଳରେ ପଡ଼ିଛନ୍ତି ଜଣେ କଣ୍ଟ୍ରାକ୍ଟର। ସେ ୨ ଲକ୍ଷ ଟଙ୍କା ଋଣ ଆଣିଥିଲେ। ହେଲେ ୩ ବର୍ଷ ମଧ୍ୟରେ ଅଧିକ ସୁଧ ହାର ଯୋଗୁ ଏହା ୭୦ ଲକ୍ଷ ଟଙ୍କା ହୋଇଗଲା। ଏହାକୁ କେମିତି ପରିଶୋଧ କରିବେ, ସେହି ଚିନ୍ତାରେ କଣ୍ଟ୍ରାକ୍ଟର ଜଣଙ୍କ ଏବେ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

ସେ ଋଣ ପରିଶୋଧ କରିବା ପରିବର୍ତ୍ତେ ସଂସାରର ମୋହମାୟା ଛାଡ଼ି ସନ୍ନ୍ୟାସୀ ହୋଇଯାଇଛନ୍ତି। ଗୁଜରାଟର ଗାନ୍ଧିନଗର ଠାରେ ଘଟିଥିବା ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି।

ଶ୍ରମିକ କଣ୍ଟ୍ରାକ୍ଟର ତଥା ପୂର୍ବତନ କ୍ଲାସ ୧ ଅଫିସରଙ୍କ ପୁଅ ପାର୍ଥ ଚୁଡ଼ଦାସମା ନିଜର ବ୍ୟବସାୟ ବୃଦ୍ଧି କରିବାକୁ ଚାହୁଁଥିଲେ। ତେଣୁ ସେ ୬ ଜଣ ଋଣଦାତାଙ୍କ ଠାରୁ ଆଣିଥିବା ଋଣର ପରିମାଣ ୩ ବର୍ଷ ମଧ୍ୟରେ ୭୦ ଲକ୍ଷ ଟଙ୍କା ହୋଇଯାଇଥିଲା। ଋଣ ପରିଶୋଧ କରିବା ପାଇଁ ୩୬ ବର୍ଷୀୟ ପାର୍ଥଙ୍କୁ ୬ ଜଣ ଯାକ ଋଣଦାତା ବାରମ୍ବାର ଧମକ ଦେଇ ଚାଲିଥିଲେ।

ଋଣ ଚାପ ବଢ଼ିବାରୁ ମାସକ ତଳେ ପାର୍ଥ ନିଖୋଜ ହୋଇଯାଇଥିଲେ। ଏବେ ତାଙ୍କୁ ଗିରନର ଠାରେ ଠାବ କରାଯାଇଛି। ହେଲେ ସେ ଆଉ ଜଣେ ସାଧାରଣ ଲୋକ ହୋଇ ନାହାନ୍ତି। ପାର୍ଥ କଣ୍ଟ୍ରାକ୍ଟରରୁ ସିଧା ସନ୍ନ୍ୟାସୀ ହୋଇଯାଇଛନ୍ତି। ଏହା ଦେଖି ତାଙ୍କ ପରିବାର ଲୋକ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି।

ପାର୍ଥ ଏକାଧିକ ସରକାରୀ କଣ୍ଟ୍ରାକ୍ଟ ପାଇଛନ୍ତି। ୨୦୧୭ରେ ଶ୍ରିମକଙ୍କୁ ଟଙ୍କା ଦେବା ପାଇଁ ସେ ଅର୍ଥ ଆବଶ୍ୟକ କରିଥିଲେ। ଏହି କାରଣରୁ ସେ ଜଣେ ବ୍ୟକ୍ତିଙ୍କ ଠାରୁ ୨ ଲକ୍ଷ ଟଙ୍କା ଋଣ ଆଣିଥିଲେ। ପ୍ରଥମେ ସେ ରାଜୁ ଦେଶାଇଙ୍କ ଠାରୁ ୨% ସୁଧରେ ୨ ଲକ୍ଷ ଟଙ୍କା ୪ ମାସ ପାଇଁ ଆଣିଥିଲେ। ଏଥିପାଇଁ ସେ ଦୁଇଟି ବ୍ୟାଙ୍କ ଚେକ୍‌ ମଧ୍ୟ ଦେଇଥିଲେ। ୪ ମାସ ପରେ ପାର୍ଥ ୨.୭୦ ଲକ୍ଷ ଟଙ୍କା ନେଇ ରାଜୁଙ୍କ ପାଖରେ ପହଞ୍ଚିଥିଲେ। ହେଲେ ସେ ଏହାକୁ ଗ୍ରହଣ ନ କରି ୭ ଲକ୍ଷ ଟଙ୍କା ଦାବି କରିଥିଲେ। ୨% ବଦଳରେ ସେ ୧୦% ସୁଧ ଲାଗୁ କରିଥିଲେ। ଯଦି ପାର୍ଥ ଟଙ୍କା ନ ଦେବେ, ତା’ହେଲେ ବ୍ୟାଙ୍କରେ ସେ ଚେକ୍‌ ଜମା କରି ତାଙ୍କ ନାଁରେ କେସ୍‌ କରିବେ ବୋଲି ରାଜୁ ଧମକ ଦେଇଥିଲେ।

ଏହାପରେ ଟଙ୍କା ପରିଶୋଧ କରିବା ପାଇଁ ପାର୍ଥ ଲାଗି ପଡ଼ିଥିବା ବେଳେ ରାଜୁ ୭ ଲକ୍ଷରୁ ଏହାକୁ ବୃଦ୍ଧି କରି ୭.୫୦ ଲକ୍ଷ କରିଦେଇଥିଲେ। ତାଙ୍କ ପାଖରେ ୫.୫୦ ଲକ୍ଷ ଥିଲା। ସେ ୨ ଲକ୍ଷ ଟଙ୍କା ଆଉ ଜଣେ ଋଣଦାତା ନବଘନଙ୍କ ଠାରୁ ୧୦% ସୁଧରେ ଆଣିଥିଲେ।

ପାର୍ଥ ୭.୫୦ ଲକ୍ଷ ଟଙ୍କା ନେଇ ରାଜୁ ଦେଶାଇଙ୍କ ପାଖରେ ପହଞ୍ଚିଥିଲେ। କିନ୍ତୁ ରାଜୁ ପୁଣି ସୁଧର ପରିମାଣକୁ ବଢ଼ାଇ ଏହାକୁ ୧୨.୫୦ ଲକ୍ଷ ଟଙ୍କା କରିଦେଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ ପାର୍ଥ କ’ଣ କରିବେ କିଛି ଜାଣି ପାରି ନଥିଲେ। ତାଙ୍କ ମୁଣ୍ଡ ଉପରେ ରାଜୁଙ୍କ ୧୨.୫୦ ଲକ୍ଷ ଓ ନବଘନଙ୍କ ୩ ଲକ୍ଷ ଟଙ୍କାର ଋଣ ରହିଥିଲା। ଏଥିପାଇଁ ସେ କୌଶଲ ଜସାନୀଙ୍କ ଠାରୁ ୪ ଲକ୍ଷ ଟଙ୍କା ଆଣି ତାଙ୍କୁ ୪ଟି ବ୍ଲାଙ୍କ ଚେକ୍‌ ଦେଇଥିଲେ।

୩ ଋଣ ଦାତାଙ୍କୁ ଟଙ୍କା ଦେବା ପାଇଁ ପାର୍ଥ ପୁଣିଥରେ ୪ର୍ଥ ବ୍ୟକ୍ତି ପ୍ରକାଶ ଦେଶାଇଙ୍କ ଠାରୁ ୪.୫୦ ଲକ୍ଷ ଓ ୫ମ ବ୍ୟକ୍ତି ରଜନୀକାନ୍ତ ପଟେଲଙ୍କ ଠାରୁ ୧୩.୫୦ ଲକ୍ଷ ଟଙ୍କା ଆଣିଥିଲେ। ଏତିକିରେ ତାଙ୍କର ଋଣ ନେବା ଅଭ୍ୟାସ ସରି ନଥିଲା। ସେ ବ୍ରିଜେଶ ପାରମରଙ୍କ ଠାରୁ ମଧ୍ୟ ୧୦ ଲକ୍ଷ ଟଙ୍କା ଆଣିଥିଲେ।

ଶେଷରେ ଋଣ ଟ୍ରାପ୍‌ରେ ପଡ଼ି ପାର୍ଥ ଚାପ ଗ୍ରସ୍ତ ହୋଇଯାଇଥିଲେ। ଇତି ମଧ୍ୟରେ ସେ ୨୦ ଲକ୍ଷ ଟଙ୍କା ପରିଶୋଧ କରି ସାରିଥିଲେ ହେଁ ତାଙ୍କ ମୁଣ୍ଡ ଉପରେ ଆହୁରି ୭୦ ଲକ୍ଷ ଟଙ୍କା ରହିଥିଲା। ଏହାକୁ କେମିତି ପରିଶୋଧ କରିବେ, ସେ ଚିନ୍ତା ତାଙ୍କୁ ଘାରିଥିଲା।

ଅକ୍ଟୋବର ୨୫ରେ ପାର୍ଥ ଗୋଟିଏ ସୁଇସାଇଡ ନୋଟ ଲେଖି ଘରୁ ନିଖୋଜ ହୋଇଯାଇଥିଲେ। ପ୍ରଥମେ ସେ ନର୍ମଦା କେନାଲକୁ ଯାଇ ଆତ୍ମହତ୍ୟା କରିବାକୁ ଚାହିଁଥିଲେ। ହେଲେ ଶେଷ ମୁହୂର୍ତ୍ତରେ ସେ ଦିଲ୍ଲୀ ଯାଇ ଦୀର୍ଘ ଗୋଟିଏ ସପ୍ତାହ ରାସ୍ତାକଡ଼ରେ ରହିଥିଲେ।

ଶେଷରେ ସେ ଏକାଧିକ ଗାଡ଼ିର ବ୍ୟବହାର କରି ଗିରନର ଠାରେ ପହଞ୍ଚି ଦୁଇ ସପ୍ତାହ ହେଲାଣି ସାଧୁସନ୍ଥମାନଙ୍କ ସହ ରହୁଛନ୍ତି। ନଭେମ୍ବର ୬ରେ ସେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଦେଖି କାନ୍ଦିଥିଲେ ଓ ପୂରା ଘଟଣା ତାଙ୍କୁ ଜଣାଇଥିଲେ।

Related story