ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ୧୧ରେ ବାହାରିବା ପୂର୍ବରୁ ଆଜି ଏକଜିଟ ପୋଲ୍ ପ୍ରକାଶ ପାଇଛି। ତୃତୀୟ ଥର ପାଇଁ ଦିଲ୍ଲୀରେ କ୍ଷମତା ଆସନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ବସିବେ ବୋଲି ବିଭିନ୍ନ ସଂସ୍ଥା ଦ୍ୱାରା ହୋଇଥିବା ଏକଜିଟ ପୋଲରୁ ପୂର୍ବାନୁମାନ ହୋଇଛି। ବିଭିନ୍ନ ସଂସ୍ଥାର ସମସ୍ତ ଏକଜିଟ ପୋଲର ରିପୋର୍ଟକୁ ଯଦି ଦେଖିବା ତାହେଲେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଆପ୍ ୫୧ଟି ଆସନରେ ଜିତିବ ବୋଲି ଆକଳନ ହୋଇଥିବା ବେଳେ ବିଜେପି ୧୮ ଏବଂ କଂଗ୍ରେସ ଗୋଟିଏ ଆସନରେ ଜିତିବ ବୋଲି ଆକଳନ ହୋଇଛି।
ସେହିପରି ୨୦୧୪ ପରି ୨୦୧୯ ସାଧାରଣ ନିର୍ବାଚନର ସମସ୍ତ ଲୋକସଭା ଆସନରେ କ୍ଲିନ ସୁଇପ କରିଥିବା ବିଜେପିର ଆଶା ଚଳିତ ଥର ମଧ୍ୟ ଦିଲ୍ଲୀବାସୀ କ୍ଷମତାରେ ବସାଇବା ପରିବର୍ତ୍ତେ ବିରୋଧୀ ଆସନରେ ବସାଇବାକୁ ମନସ୍ଥ କରିଥିବା ଏକଜିଟ ପୋଲ ରିପୋର୍ଟରୁ ଜଣାପଡ଼ିଛି। ଦିଲ୍ଲୀରେ ଦୀର୍ଘ ବର୍ଷ ଧରି କ୍ଷମତାରେ ଥିବା କଂଗ୍ରେସକୁ ଚଳିତଥର ମଧ୍ୟ ଦିଲ୍ଲାବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ଏକଜିଟ ପୋଲରୁ ଜଣାପଡ଼ିଛି। ଆଜି ଦିଲ୍ଲୀରେ ୭୦ ଲୋକସଭା ଆସନ ପାଇଁ ସକାଳ ୮ଟାରୁ ଭୋଟ ଗ୍ରହଣ ଚାଲିଥିଲା। ସଂଧ୍ୟା ୬ଟା ସୁଦ୍ଧା ଦିଲ୍ଲୀରେ ୫୪.୬୫% ମତଦାନ ହୋଇଛି। ୭୦ ବିଧାନସଭା ଆସନ ପାଇଁ ମୋଟ୍ ୬୭୨ ଜଣ ପ୍ରାର୍ଥୀ ଥିଲେ।
ଟାଇମ୍ସ ନାଓର ସର୍ଭେ ରିପୋର୍ଟ ଅନୁଯାୟୀ ୭୦ ଲୋକସଭା ଆସନରୁ ଆପ୍ ୪୪, ବିଜେପି ୨୬+, କଂଗ୍ରେସ ଏବଂ ଅନ୍ୟାନ୍ୟ କୌଣସି ଆସନରେ ଜିତି ପାରିବେ ନାହିଁ ବୋଲି ଆକଳନ କରିଛି।
ଆଜତକ ଆକ୍ସିସ ମାଇ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ଆପ୍ ୫୯-୬୮, ବିଜେପି ୦୨-୧୧, ଅନ୍ୟାନ୍ୟ ୦୪-୦୬, କଂଗ୍ରେସ କୌଣସି ଆସନରେ ବିଜୟୀ ହୋଇପାରିବ ନାହିଁ ବୋଲି ଆକଳନ କରିଛି।
ରିପବ୍ଲିକ ଟିଭି ଜନ କି ବାତର ରିପୋର୍ଟ ଅନୁଯାୟୀ ଆପ୍ ୪୮-୬୧, ବିଜେପି ୯-୨୧, କଂଗ୍ରେସ ୦-୧ ଆସନରେ ଜିତିବ ବୋଲି ଆକଳନ ହୋଇଛି।
ନ୍ୟୁଜ ଏକ୍ସ ପୋଲଷ୍ଟାର୍ଟର ରିପୋର୍ଟ ଅନୁଯାୟୀ ଆପ୍ ୫୦-୫୬, ବିଜେପି ୧୦-୧୪ ଏବଂ କଂଗ୍ରେସ ଏବଂ ଅନ୍ୟାନ୍ୟ ପ୍ରାର୍ଥୀ କୌଣସି ଆସନରେ ଜିତିପାରିବେ ନାହିଁ ବୋଲି ଏହି ସର୍ଭେ ସଂସ୍ଥା ଆକଳନ କରିଛି।
ସୂଚନାଯୋଗ୍ୟ, ୨୦୧୫ରେ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ୬୭ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୩ଟି ଆସନରେ ବିଜୟୀ ହୋଇଥିଲା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ହେଇଥିଲେ।
ଏହା ପୂର୍ବରୁ ୨୦୧୪ରେ ବିଧାନସଭା ନିର୍ବାଚନ ହୋଇଥିଲା। ଆପ୍ ଓ କଂଗ୍ରେସ ମିଶି ସରକାର ଗଢ଼ିଥିଲେ। ଅରବିନ୍ଦ କେଜ୍ରିଓ୍ୱାଲ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ କିଛି ଦିନ ପରେ ମେଣ୍ଚ ଭାଙ୍ଗିବା ପରେ ୨୦୧୫ରେ ପୁଣି ଥରେ ବିଧାନସଭା ନିର୍ବାଚନ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।