ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଘଟଣାରେ ଆଜି ଦିଲ୍ଲୀ ହାଇକୋର୍ଟ ପୁଲିସ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିବା ବିଜେପିର ୩ ନେତା କପିଲ ମିଶ୍ରା, ଅନୁରାଗ ଠାକୁର ଓ ପରଭେଶ ବର୍ମାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ମଧ୍ୟ କୋର୍ଟ ଦିଲ୍ଲୀ ପୁଲିସ୍କୁ ୨୪ ଘଣ୍ଟାର ସମୟ ଦେଇଛନ୍ତି।
ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏଥିସହ କୋର୍ଟ ଦଙ୍ଗା ପୀଡ଼ିତଙ୍କୁ ସହଯୋଗ କରିବା ପାଇଁ ପ୍ରଶାସନ ତୁରନ୍ତ ବ୍ୟବସ୍ଥା କରିବାକୁ ମଧ୍ୟ କୋର୍ଟ କହିଛନ୍ତି।
ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର ଓ ଜଷ୍ଟିସ ଅନୂପ ଜୟରାମ ବମ୍ବାନିଙ୍କ ଖଣ୍ଡପୀଠ ଦିଲ୍ଲୀ ହିଂସା ଉପରେ ଶୁଣାଣି କରିଛନ୍ତି। ରବିବାର କପିଲ ମିଶ୍ରା ହିଂସା ସୃଷ୍ଟି କରିବା ଭଳି ବୟାନ ଦେଇଥିବାରୁ ତାଙ୍କ ବିରୋଧରେ ପୁଲିସ୍ ଏଫଆଇଆର ରୁଜୁ କରି ନଥିବାରୁ କୋର୍ଟ ବିସ୍ମୟ ହୋଇଛନ୍ତି।
ଏଥିସହ କୋର୍ଟ ପୁଲିସ୍ର କାର୍ଯ୍ୟ ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କୋର୍ଟ କହିଛନ୍ତି, ଯଦି ପୋଡ଼ାଜଳା ଓ ହିଂସାକାଣ୍ଡ ପାଇଁ ଏଫଆଇଆର ରୁଜୁ କରାଯାଇ ପାରୁଛି, ତା’ହେଲେ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ପାଇଁ ଦିଲ୍ଲୀ ପୁଲିସ୍ କାହିଁକି ଏଫଆଇଆର ରୁଜୁ କରୁନାହିଁ? ଦିଲ୍ଲୀରେ ଆର୍ମି ମୁତୟନ ହେବ କି ନ ହେବ, ସେକଥା ପଛରେ ବିଚାର କରାଯିବ। ଏବେ କେବଳ ଏଫଆଇଆର ରୁଜୁ ଉପରେ କୋର୍ଟ ଫୋକସ କରିବେ।
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନ ପୀଡ଼ିତଙ୍କ ପରିବାରଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ସେମାନଙ୍କ ସହ ଆଲୋଚନା କରନ୍ତୁ। ଏହାଦ୍ୱାରା ସମସ୍ୟା ସମାଧାନ ହୋଇପାରିବ। ପୀଡ଼ିତଙ୍କ ପାଇଁ ୧୧୨ ନମ୍ବର ହେଲ୍ପ ଲାଇନ, ପୀଡ଼ିତଙ୍କ ପରିବାର ଲୋକଙ୍କ ପାଇଁ ହସ୍ପିତଟାଲରେ ହେଲ୍ପ ଡେସ୍କ, ଦୁଇ ସପ୍ତାହ ପାଇଁ ରାତ୍ର କାଳୀନ ମାଜିଷ୍ଟ୍ରେଟ ନିଯୁକ୍ତ ଓ ପୀଡ଼ିତଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦେବାକୁ କୋର୍ଟ କହିଛନ୍ତି। ଏଥିସହ ଲୋକଙ୍କ ଆତ୍ମବିଶ୍ୱାସ ରକ୍ଷା କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପୀଡ଼ିତଙ୍କୁ ଭେଟିବା ଉପରେ କୋର୍ଟ ଗୁରୁତ୍ୱ ଦେଇଛନ୍ତି।
ଖଣ୍ଡପୀଠ କହିଛନ୍ତି, “ଆମେ ୧୯୮୪(ଶିଖ୍ ଦଙ୍ଗା) ଭଳି ସ୍ଥିତି ସୃଷ୍ଟି ହେବାକୁ ଦେବୁନାହିଁ। କୋର୍ଟ ଆଗରେ ଏହା କେବେ ବି ସମ୍ଭବ ନୁହେଁ।”
ଖଣ୍ଡପୀଠ ଚାନ୍ଦବାଗରୁ ମିଳିଥିବା ଗୁଇନ୍ଦା ଅଫିସରଙ୍କ ମୃତଦେହ ମିଳିବା ଘଟଣାରେ ବି ଚିନ୍ତା ପ୍ରକଟ କରିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୋର୍ଟ କହିଛନ୍ତି।
ସରକାରୀ କଳ ତୁରନ୍ତ ଲୋକଙ୍କ ପାଖରେ ପହଞ୍ଚିବା ଦରକାର। କାରଣ ବିଳମ୍ବ ହେଲେ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି। ପ୍ରଶାସନ ପକ୍ଷରୁ ପୀଡ଼ିତଙ୍କୁ କମ୍ବଳ, ମେଡିସିନ, ଖାଦ୍ୟ ଓ ନାଇଟ ସେଲଟର ନିର୍ମାଣ କରିବାକୁ କହିଛନ୍ତି। ପୀଡ଼ିତମାନେ କେମିତି ଭଲ ଭାବେ ଚିକିତ୍ସା ପାଇପାରିବେ ଓ ତଦନ୍ତକାରୀ ସଂସ୍ଥାଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିପାରିବେ, ସେନେଇ ହାଇକୋର୍ଟ ଆଇନଜୀବୀ ଜୁଭେଦା ବେଗମଙ୍କୁ ଆମିକସ କ୍ୟୁରୀ ଭାବେ ନିଯୁକ୍ତ କରିଛନ୍ତି।