୩୮ ଛୁଇଁଲା ଦିଲ୍ଲୀ ମୃତ୍ୟୁ ସଂଖ୍ୟା, ୨ ଏସ୍‌ଆଇଟି ଗଠନ କଲା ପୁଲିସ୍‌

ନୂଆଦିଲ୍ଲୀ: ଦିଲ୍ଲୀରେ ଗତ କିଛି ଦିନ ହଲା ଲାଗିରହିଥିବା ଭୟଙ୍କର ସ୍ଥିତି ବର୍ତ୍ତମାନ ସୁଧୁରିବାରେ ଲାଗିଛି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୩୮ରେ ପହଞ୍ଚିଛି। ଜିଟିବି ହସ୍ପିଟାଲ ପକ୍ଷରୁ କୁହାଯାଇଛି ରବିବାର ହିଂସା ପରଠାରୁ ୨୨ ଜଣଙ୍କ ମୃତଦେହ ଆସି ପହଞ୍ଚିଥିଲା। ଅନ୍ୟପକ୍ଷରେ ଆହତ ହୋଇ ହସ୍ପିଟାଲ ଆସିଥିବା ୨୦୦ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ଏଲ୍‌ଏନ୍‌ଜେପି ହସ୍ପିଟାଲ ଏବଂ ଜେପି ହସ୍ପିଟାଲରେ ଯଥାକ୍ରମେ ୩ ଜଣ ଏବଂ ଜଣଙ୍କର ମୃତ୍ୟୁ […]

fire

Subrat Kumar Nayak
  • Published: Thursday, 27 February 2020
  • , Updated: 27 February 2020, 09:50 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଗତ କିଛି ଦିନ ହଲା ଲାଗିରହିଥିବା ଭୟଙ୍କର ସ୍ଥିତି ବର୍ତ୍ତମାନ ସୁଧୁରିବାରେ ଲାଗିଛି। ତେବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୩୮ରେ ପହଞ୍ଚିଛି। ଜିଟିବି ହସ୍ପିଟାଲ ପକ୍ଷରୁ କୁହାଯାଇଛି ରବିବାର ହିଂସା ପରଠାରୁ ୨୨ ଜଣଙ୍କ ମୃତଦେହ ଆସି ପହଞ୍ଚିଥିଲା। ଅନ୍ୟପକ୍ଷରେ ଆହତ ହୋଇ ହସ୍ପିଟାଲ ଆସିଥିବା ୨୦୦ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ଏଲ୍‌ଏନ୍‌ଜେପି ହସ୍ପିଟାଲ ଏବଂ ଜେପି ହସ୍ପିଟାଲରେ ଯଥାକ୍ରମେ ୩ ଜଣ ଏବଂ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ଆସନ୍ତା ୨୮ ଏବଂ ୨୯ରେ ହେବାକୁ ଥିବା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଘୁଞ୍ଚାଇ ଦେଇଛି। ଏଠାରେ ପରିସ୍ଥିତି ଶାନ୍ତ ପଡ଼ିବାପରେ ପରୀକ୍ଷା ହେବ।

ପୁଲିସ୍‌ ଆମ୍‌ ଆଦମୀ ପାର୍ଟି ନେତା ତାହିର ହୁସେନ୍‌ଙ୍କ ଘର ଉପରେ ଲଗାତାର ଚଢ଼ଉ କରିଛି। ଏହାପରେ ତାଙ୍କ ନାମରେ ହତ୍ୟା, ହିଂସା ଓ ଜଳାପୋଡ଼ା ଆଦି ଦଫା ଲଗାଇ ଏଫ୍‌ଆଇଆର ରୁଜୁ କରିଛି। ଏହା ପୂର୍ବରୁ ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ବେଳେ ଆମ୍ ଆଦମୀ ପାର୍ଟି ନେତା ତଥା କାଉନସିଲର ତାହିର ହୁସେନଙ୍କ ଘର ଛାତ ଉପରୁ ପେଟ୍ରୋଲ ବୋମା ଏବଂ ପଥର ମିଳିଥିବା ଅଭିଯୋଗ ହୋଇଥିଲା। ତେଣୁ ତାଙ୍କ ଉପରେ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ତେବେ ତାହିର କହିଛନ୍ତି, ହିଂସାରେ ତାଙ୍କର କିଛି ଭୂମିକା ନାହିଁ। ପୁଲିସ୍‌ ଖଜୁରୀ ଖାସ୍‌ଠାରେ ଥିବା ତାହିରଙ୍କର ଏକ ଫ୍ୟାକ୍ଟ୍ରି ସିଲ୍‌ କରିଦେଇଛି।

ଏହି ହିଂସା ଓ ଦଙ୍ଗା ସମ୍ପର୍କିତ ସମସ୍ତ ମାମଲାର ତଦନ୍ତ ପାଇଁ ଦିଲ୍ଲୀ ପୁଲିସ୍‌ ଦୁଇଟି ସ୍ୱତନ୍ତ୍ର ତଦନ୍ତ ଟିମ୍‌ ଗଠନ କରିଛି। ଡିସିପି ପାହ୍ୟାର ଅଧିକାରୀ ଦୁଇଟିଯାକ ଟିମ୍‌ର ନେତୃତ୍ୱ ନେବେ। ମିଳିଥିବା ସୂଚନା ଅନୁଯାୟୀ, ଡିସିପି ରାଜେଶ ଦେଓ ଏବଂ ଡିସିପି ଜୟ ତିର୍କୀ ଏହି ଏସ୍‌ଆଇଟିଗୁଡ଼ିକର ନେତୃତ୍ୱ ନେବେ। ଏତଦ୍‌ବ୍ୟ୍‌ ଅତିରିକ୍ତ ପୁଲିସ୍‌ କମିଶନର ବିକେ ସିଂହ ଏହି ଦୁଇ ଏସ୍‌ଆଇଟିର କାମକୁ ତତ୍ତ୍ୱାବଧାନ କରିବେ। ସମସ୍ତ ଏଏଫ୍‌ଆଇଆର ଏହି ଦୁଇ ଏସ୍‌ଆଇଟିକୁ ହସ୍ତାନ୍ତର କରାଯାଇଛି। ଏହା ପୂର୍ବରୁ ଦିଲ୍ଲୀ ପୁଲିସ୍‌ ପିଆରଓ କହିଥିଲେ, ବର୍ତ୍ତମାନ ସୁଦ୍ଧା ୪୮ଟି ଏଫ୍‌ଆଇଆର ରୁଜୁ ସରିଲାଣି।

ଦିଲ୍ଲୀର ସ୍ୱତନ୍ତ୍ର ପୁଲିସ୍‌ କମିଶନର ଏସ୍‌ଏନ୍‌ ଶ୍ରୀବାସ୍ତବ କହିଛନ୍ତି, ମୁଁ ଏଠାକୁ ଆସି ଲୋକଙ୍କୁ ଜଣାଉଛି ଆମେ ତାଙ୍କ ସାଥିରେ ଅଛୁ ଏବଂ ସେମାନଙ୍କ ମଙ୍ଗଳ ପାଇଁ ଅଛୁ। ଲୋକେ ମଧ୍ୟ ସକାରାତ୍ମକ ଭାବେ ପ୍ରତିକ୍ରିୟା ରଖୁଛନ୍ତି। ଶାନ୍ତି କମିଟି ମାଧ୍ୟମରେ ଭାଇଚାରା ଫେରାଇ ଆଣିବାର ପ୍ରୟାସ ଜାରି ରଖିଛୁ।

ଏହି ହିଂସାରେ ମୃତାହତଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି। ମୃତକଙ୍କ ପାଇଁ ୧୦ ଲକ୍ଷ ଟଙ୍କା, ମୃତ ନାବାଳକଙ୍କ ପାଇଁ ୫ ଲକ୍ଷ ଟଙ୍କା, ସବୁଦିନ ପାଇଁ ଦିବ୍ୟାଙ୍ଗଙ୍କୁ ୫ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା, ଅନାଥଙ୍କୁ ୩ ଲକ୍ଷ ଟଙ୍କା, ପଶୁଧନ ହରାଇଥିବା ଲୋକଙ୍କୁ ପଶୁ ପ୍ରତି ୫ ହଜାର ଟଙ୍କା, ରିକ୍ସା ହରାଇଥିବା ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା, ଇ-ରିକ୍ସା ପାଇଁ ୫୦ ହଜାର ଟଙ୍କା, କାହା ଘର ପୋଡ଼ି ହୋଇଯାଇଥିଲେ ୫ ଲକ୍ଷ ଟଙ୍କା, ଦୋକାନ ପୋଡ଼ି ପାଇଁ ୫ ଲକ୍ଷ ଟଙ୍କା ଏବଂ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲେ ତୁରନ୍ତ ୨୫ ହଜାର ଟଙ୍କା ଦେବାକୁ ଘୋଷଣା କରାଯାଇଛି। ଏଠାକାର ଲୋକଙ୍କ କାଗଜପତ୍ର ପୋଡ଼ି ହୋଇଯାଇଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ସ୍ୱତନ୍ତ୍ର କ୍ୟାମ୍ପ ଯୋଗେ ସେମାନଙ୍କୁ ଡକ୍ୟୁମେଣ୍ଟ ପ୍ରଦାନ କରାଯିବ। ଏତଦ୍‌ବ୍ୟତୀତ ପ୍ରଭାବିତ ଲୋକଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରାଯାଉଥିବା ସେ କହିଛନ୍ତି।

Related story