ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଚ୍ୟାଲେଞ୍ଜ କରି ଦଳେ ବ୍ୟକ୍ତି ଆଜି ଓକିଲଙ୍କ ପୋଷାକରେ ଦିଲ୍ଲୀର ପଟିଆଲା କୋର୍ଟକୁ ଆସିଥିଲେ ଏବଂ ଜଣେ ସାମ୍ବାଦିକ ଓ ଜଣେ ଛାତ୍ରଙ୍କୁ ମାଡ଼ ମାରିଥିଲେ। ପଟିଆଲା କୋର୍ଟରେ ଜେଏନ୍ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କ ବିରୋଧରେ ଦେଶଦ୍ରୋହ ମାମଲାର ଶୁଣାଣି ପୂର୍ବରୁ ଏହି କାଣ୍ଡ ଘଟି ଥିଲା। ଦଳେ ଲୋକ ଓକିଲ ପୋଷାକ ପିନ୍ଧି ‘ବନ୍ଦେ ମାତରମ୍’ ସ୍ଲୋଗାନ୍ ଦେଇ ଓ ଭାରତର ଜାତୀୟ ପତାକା ଉଡ଼ାଇ ପଟିଆଲା କୋର୍ଟ ପରିସରରେ ପ୍ରବେଶ କରିଥିଲେ। ସେମାନଙ୍କର ନେତୃତ୍ୱ ନେଉଥିଲେ ଆଇନଜୀବୀ ବିକ୍ରମ ଚୌହାନ। ଫେବ୍ରୁଆରୀ ୧୫ ତାରିଖରେ ସେ ପଟିଆଲା କୋର୍ଟ ପରିସରରେ ଜେଏନ୍ୟୁ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ମାଡ଼ ମାରିଥିଲେ।
ଏ ଘଟଣାରେ ସୁପ୍ରିମକୋର୍ଟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମାରପିଟ୍ କରିଥିବା ଲୋକଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୋର୍ଟ ଦିଲ୍ଲୀ ପୋଲିସ୍ କମିଶନର ବି.ଏସ୍ ବାସୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଆସନ୍ତକାଲି ସକାଳ ସୁଦ୍ଧା ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପଟିଆଲା କୋର୍ଟରେ ସ୍ଥିତି ଯାଞ୍ଚ କରିବାକୁ ଯାଇଥିବା ୬ ଜଣିଆ ଆଇନଜୀବୀ ପ୍ୟାନେଲଙ୍କ ରିପୋର୍ଟ ଆଧାରରେ ସୁପ୍ରମ୍କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ୟାନେଲ୍ କହିଛି ଯେ ସୁରକ୍ଷା ବଳୟ ଭିତରେ ନ ଥିଲେ ସେମାନଙ୍କ ଉପରେ ମଧ୍ୟ ମାଡ଼ ହୋଇ ଥାଆନ୍ତା। ପଟିଆଲା କୋର୍ଟ ପରିସରରେ ମୁତୟନ ପୋଲିସ୍ ଆଇନଶୃଙ୍ଖଳା ବଜାୟ ରଖିବାକୁ ବିଫଳ ହୋଇଛନ୍ତି। ଏପରିକି ଅଭିଯୁକ୍ତ କହ୍ନେୟା କୁମାରଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଏହି ପ୍ୟାନେଲ୍ ତା’ର ରିପୋର୍ଟରେ ଦର୍ଶାଇଛି। ଏହି କମିଟିରେ କପିଲ ଶିବଲ୍, ରାଜୀବ ଧାୱନ, ଦୁଶୟନ୍ତ ଦାବେ, ଏ.ଡି.ଏନ୍ ରାଓ, ଅଜିତ ସିହ୍ନା ଓ ହରିନ୍ ରାଭାଲ ଥିଲେ।
ଅନ୍ୟପକ୍ଷରେ ଭାରତ ବିରୋଧୀ ସ୍ଲୋଗାନ ଦେବା ଅଭିଯୋଗରେ ଗିରଫ ଜେଏନ୍ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ବିଚାର ବିଭାଗୀୟ ହାଜତକୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କିଛି ଓକିଲ କହ୍ନେୟାଙ୍କୁ କୋର୍ଟରୁମ୍ ବାହାରେ ଟଣାଓଟରା କରିବାକୁ ଚେଷ୍ଟା କରିଥିଲେ।
ଫେବ୍ରୁଆରୀ ୧୫ ତାରିଖରେ ସାମ୍ବାଦିକ ଓ ଜେଏନ୍ୟୁ ଛାତ୍ରଛାତ୍ରୀଙ୍କୁ ଓକିଲମାନେ ମାଡ଼ ମାରୁଥିବା ବେଳେ ପୋଲିସ୍ ନିରବଦ୍ରଷ୍ଟା ସାଜିଥିବା ନେଇ ଅଭିଯୋଗ କରି ସୁପ୍ରିମ୍କୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଥିଲା। ଏହି ପିଟିସନ୍ର ଶୁଣାଣି କରି ସୁପ୍ରିମ୍କୋର୍ଟ କହ୍ନେୟା କୁମାରଙ୍କ ଶୁଣାଣି ବେଳେ କୋର୍ଟ ରୁମ୍ ଭିତରକୁ ମାତ୍ର ୫ ଜଣ ସାମ୍ବାଦିକ ଓ ଗିରଫ ଛାତ୍ରଛାତ୍ରୀଙ୍କ ଦୁଇ ଜଣ ସମର୍ଥକଙ୍କୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ।
ଅନ୍ୟପକ୍ଷରେ ଫେବ୍ରୁଆରୀ ୧୫ ତାରିଖରେ ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ଗତକାଲି ଦେଶର ପ୍ରମୁଖ ଜାତୀୟ ଖବର କାଗଜର ସଂପାଦକ ଓ ସାମ୍ବାଦିକମାନେ ଦିଲ୍ଲୀରେ ରାଜରାସ୍ତାକୁ ଓହ୍ଲାଇଥିଲେ ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।