ସରିଲା ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌, ହିଂସା ସତ୍ତ୍ୱେ ପଶ୍ଚିମବଙ୍ଗରେ ସର୍ବାଧିକ ପୋଲିଂ

ନୂଆଦିଲ୍ଲୀ: ଇଭିଏମ୍‌ରେ ତ୍ରୁଟି, ଭୋଟ୍‌ ଗ୍ରହଣରେ ବିଳମ୍ବ ଓ ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆଜି ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର୯୫ଟି ଲୋକସଭା ଆସନରେ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏବେ ଏହି ସବୁ ଆସନରେ ପ୍ରାର୍ଥୀ ହୋଇଥିବା ୧୬୨୯ ଜଣ ରାଜନେତାଙ୍କ ଭାଗ୍ୟ ଏବେ ଇଭିଏମ୍‌ ମେସିନ୍‌ରେ ସିଲ୍‌ ହୋଇଯାଇଛି। ଆସନ୍ତା ମେ’ ୨୩ରେ ଇଭିଏମ ମେସିନ୍‌ ଖୋଲିବା ସହ […]

wb

Hemant Lenka
  • Published: Thursday, 18 April 2019
  • , Updated: 18 April 2019, 10:39 PM IST

ନୂଆଦିଲ୍ଲୀ: ଇଭିଏମ୍‌ରେ ତ୍ରୁଟି, ଭୋଟ୍‌ ଗ୍ରହଣରେ ବିଳମ୍ବ ଓ ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆଜି ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର୯୫ଟି ଲୋକସଭା ଆସନରେ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏବେ ଏହି ସବୁ ଆସନରେ ପ୍ରାର୍ଥୀ ହୋଇଥିବା ୧୬୨୯ ଜଣ ରାଜନେତାଙ୍କ ଭାଗ୍ୟ ଏବେ ଇଭିଏମ୍‌ ମେସିନ୍‌ରେ ସିଲ୍‌ ହୋଇଯାଇଛି। ଆସନ୍ତା ମେ’ ୨୩ରେ ଇଭିଏମ ମେସିନ୍‌ ଖୋଲିବା ସହ ଫଳାଫଳ ପ୍ରକାଶ ପାଇବ। ଆଜି ସମଗ୍ର ଦେଶରେ ୧.୭୬ ଲକ୍ଷ ବୁଥରେ ୧୫.୮ କୋଟି ପଞ୍ଜିକୃତ ଭୋଟର ସେମାନଙ୍କ ପରବର୍ତ୍ତୀ ଜନ ପ୍ରତିନିଧି ବାଛିଛନ୍ତି।

ପଶ୍ଚିମବଙ୍ଗର ଆଜି ୩ଟି ଆସନରେ ଭୋଟ୍‌ ଗ୍ରହଣ ବେଳେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ପଶ୍ଚିବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସର କର୍ମୀମାନେ ଉଭୟ ବିଜେପି ଓ ସିପିଏମ୍‌ ପ୍ରାର୍ଥୀଙ୍କୁ ଆକ୍ରମଣ କରିଛନ୍ତି। ତଥାପି ଏଠାରେ ସର୍ବାଧିକ ୭୬.୦୭% ମତଦାନ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଜମ୍ମୁ-କଶ୍ମୀରର ଦୁଇଟି ଆସନ ପାଇଁ ଭୋଟ୍‌ ହୋଇଥିଲା। ଏଠାରେ ସର୍ବନିମ୍ନ ୪୫.୫% ପୋଲିଂ ହୋଇଛି। ସେହିପରି ଆସାମରେ ୭୬.୨୨%, ବିହାରରେ ୬୨.୩୮%, କର୍ଣ୍ଣାଟକାରେ ୬୭.୬୭%, ମହାରାଷ୍ଟ୍ରରେ ୬୧.୨୨%, ମଣିପୁରରେ ୬୭.୧୫%, ତାମିଲନାଡୁରେ ୬୬.୩୬%, ଉତ୍ତର ପ୍ରଦେଶରେ ୬୬.୦୬%, ଛତିଶଗଡ଼ରେ ୭୧.୪୦% ଓ ପୁଡୁଚେରୀରେ ୭୬.୧୯% ଭୋଟ୍‌ ଗ୍ରହଣ ହୋଇଥିବା ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

ଏହି ପର୍ଯ୍ୟାୟରେ ତାମିଲନାଡୁର ୩୯ଟି ଲୋକସଭା ଆସନ ସମେତ ୧୮ଟି ବିଧାନସଭାରେ ଉପ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ କରାଯାଇଛି। ତେବେ ଟଙ୍କା ଜବତ ଘଟଣାକୁ ନେଇ ଭେଲ୍ଲୋର ଆସନରେ ଆଜି ଭୋଟ୍‌ ହୋଇନାହିଁ। ସେହିପରି ଆଇନ୍‌ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୂର୍ବ ତ୍ରିପୁରାରେ ମଧ୍ୟ ଭୋଟ୍‌ ଗ୍ରହଣ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି।

ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ବେଳେ ପଶ୍ଚିମବଙ୍ଗରେ ଟିଏମସି କର୍ମୀଙ୍କ ଦାଦାଗିରି ଦେଖିବାକୁ ମିଳିଥିଲା। ରାଜ୍ୟର ମାତ୍ର ୩ଟି ଆସନରେ ଆଜି ଭୋଟ୍ ହୋଇଥିଲେ ବି ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଦଳୀୟ କର୍ମୀ ରାଇଗଞ୍ଜ ନିର୍ବାଚନ ମଣ୍ଡଳୀର ଦିଗିରପାର ପୋଲିଂ ବୁଥ ନିକଟରେ ପୁଲିସ ଉପରକୁ ଟେକାପଥର ମାଡ଼ କରିଥିଲେ। ଭୋଟ୍ ଦେବାକୁ ଆସୁଥିବା ଲୋକଙ୍କୁ ମଧ୍ୟ କର୍ମୀମାନେ ଅଧା ରାସ୍ତାରେ ଅଟକାଇ ଦେଇଥିବା ଅଭିଯୋଗ ହୋଇଥିଲା। ସ୍ଥିତି ସମ୍ଭାଳିବା ଲାଗି ପୁଲିସ ଓ ସିଆରପିଏଫ୍‌ ପକ୍ଷରୁ ଲାଠିଚାର୍ଜ କରାଯିବା ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିଲା। ରାଇଗଞ୍ଜ ଲୋକସଭା ଆସନର ସିପିଏମ୍ ପ୍ରାର୍ଥୀ ମହମ୍ମଦ ସଲିମଙ୍କ ଗାଡି ଉପରେ ମଧ୍ୟ ଆକ୍ରମଣ ହୋଇଛି।

ଆଜି ତାମିଲନାଡୁରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ, ବିଜେପି ରାଜ୍ୟ ସଭାପତି ଟି. ସୌନ୍ଦରରାଜନ, ଡିଏମକେ ସଭାପତି ଏମକେ ଷ୍ଟାଲିନ ପ୍ରମୁଖ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଉତ୍ତର ପ୍ରଦେଶର ମଥୁରା ଆସନରେ ହେମା ମାଲିନୀଙ୍କର ଭାଗ୍ୟ ଇଭିଏମରେ ସିଲ୍‌ ହୋଇଥିବା ବେଳେ ଶ୍ରୀନଗରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦ୍ଦୁଲାଙ୍କ ଆସନରେ ମଧ୍ୟ ଭୋଟ ଗ୍ରହଣ ହୋଇଛି।

ଏହାବାଦ୍‌ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ତୋମାର, ଜୁଏଲ ଓରାମ, ସଦାନନ୍ଦ ଗୌଡ଼ା, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା, ପୂର୍ବତନ ମନ୍ତ୍ରୀ ଦୟାନିଧି ମାରାନ୍‌, ଏ. ରାଜା ଓ ଡିଏମକେ ନେତ୍ରୀ କାନିମୋଝିଙ୍କ ଆସନରେ ମଧ୍ୟ ଆଜି ଭୋଟରମାନେ ମତାଧିକାର ସାବ୍ୟସ୍ତ କରିଛନ୍ତି।

ଆଜି କର୍ଣ୍ଣାଟକର ୧୪, ମହାରାଷ୍ଟ୍ରର ୧୦, ଉତ୍ତର ପ୍ରଦେଶର ୮, ପଶ୍ଚିମ ବଙ୍ଗର ୩, ଛତିଶଗଡ଼ରେ ୩, ଜମ୍ମୁ ଓ କାଶ୍ମୀରର ୨, ଆସାମ, ବିହାର ଏବଂ ଓଡ଼ିଶାରେ ୫ଟି ଲେଖାଏ ଓ ମଣିପୁର, ପୁଡୁଚେରୀରେ ଗୋଟିଏ ଲେଖାଏ ଲୋକସଭା ଆସନ ଲାଗି ମତଦାନ ହୋଇଛି।

Related story