ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି କିମ୍ବା ପଦୋନ୍ନତି ପାଇଁ ଗଠିତ କଲେଜିୟମର ବିଚାର ଓ ଆଲୋଚନା ପ୍ରକ୍ରିୟା ସୂଚନା ଅଧିକାର ଆଇନ ଅଧିନରେ ନ ଆସିବା ଉଚିତ। ଯଦି ଏଭଳି ଅନୁମତି ଦିଆଯାଏ ତାହେଲେ ନ୍ୟାୟପାଳିକାର ଗରିମା ପ୍ରସଙ୍ଗରେ ପ୍ରଶ୍ନ ଉଠିପାରେ ବୋଲି ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ ସୁପ୍ରିମକୋର୍ଟରେ ବୁଧବାର କହିଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ପୀଠ ଏହି ପ୍ରସଙ୍ଗରେ ବିଚାର କରୁଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଏହି ପ୍ରସଙ୍ଗରେ ଶୁଣାଣି କରି କହିଥିଲେ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟକାଳ ଆରଟିଆଇ ଅଧୀନରେ ଆସିବ। ହେଲେ ଏହି ନିଷ୍ପତ୍ତିକୁ ବିରୋଧ କରି ସୁପ୍ରିମକୋର୍ଟର ଜେନେରାଲ ସେକ୍ରେଟେରୀ ଓ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ ୨୦୧୦ରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଯାହାର ଶୁଣାଣି କରିବା ପ୍ରକ୍ରିୟା ଏବେ ଆରମ୍ଭ ହୋଇଛି।
ଦିଲ୍ଲୀ ହାଇକୋର୍ଟର ନିଷ୍ପତ୍ତି ପ୍ରସଙ୍ଗରେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କହିଛନ୍ତି ପୂର୍ବତନ ବିଚାରପତି ଏଚ.ଏଲ ଦତ୍ତୁ, ଆରଏମ ଲୋଧା ଏବଂ ଏ ଗାଙ୍ଗୁଲିଙ୍କ ନିଯୁକ୍ତି ସମୟରେ କଲେଜିୟମ ଏବଂ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନାକୁ ସୂଚନା ଅଧିକାର ଆଇନ ଜରିଆରେ ଦେବାକୁ କୁହାଯାଇଥିଲା।
ଏହାପରେ ପ୍ରଧାନ ବିଚାରପତି କହିଛନ୍ତି, ସୂଚନା ଅଧିକାର ଆଇନରେ ଲୋକଙ୍କ ଜାଣିବାର ଅଧିକାର ଓ ନ୍ୟାୟପାଳିକାର ସ୍ବତନ୍ତ୍ରତାକୁ ଦୃଷ୍ଟିରେ ରଖି ଏହି ପ୍ରସଙ୍ଗରେ ସମାନତା ବଜାୟ ରଖିବାକୁ ହେବ ବୋଲି କହିଛନ୍ତି।