ନୂଆଦିଲ୍ଲୀ: ଡିରେକ୍ଟୋରେଟ୍ ଜେନେରାଲ ଅଫ୍ ସିଭିଲ୍ ଆଭିଏସନ୍ ବା ଡିଜିସିଏ ପକ୍ଷରୁ କୁହାଯାଇଛି, ତୁରନ୍ତ ବିମାନ ଟିକେଟ୍ କାଟିବା ବନ୍ଦ କର। ମେ’ ୩ରେ ଲକ୍ଡାଉନ୍ ବର୍ତ୍ତମାନ ସରିବାକୁ ଅଛି। ଲକ୍ଡାଉନ୍ ପରବର୍ତ୍ତୀ ସମୟ ପାଇଁ କିଛି ବିମାନ କମ୍ପାନୀ ଟିକେଟ୍ ବୁକିଂ କରାଇବା ଆରମ୍ଭ କରିଥିବାରୁ ଡିଜିସିଏ ଏପରି ତାଗିଦ କରିଛି। ବର୍ତ୍ତମାନ ଯାଏ ପୁନଃ ବିମାନ ଚଳାଚଳ ନେଇ କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇନଥିବାରୁ ଏପରି ପଦକ୍ଷେପ ନିଆଯାଇଛି।
ଏହି ନିୟାମକ ପକ୍ଷରୁ କୁହାଯାଇଛି, ମେ’ ୪ ପରଠାରୁ ବିମାନ ଯାତ୍ରା ପାଇଁ କିଛି କମ୍ପାନୀ ଟିକେଟ୍ ବୁକିଂ କରାଇବା ଆରମ୍ଭ କରିଛନ୍ତି। ତେବେ ୨୦୨୦ ମସିହା ମେ’ ୪ ପରଠାରୁ କୌଣସି ବ୍ୟବସାୟିକ ଘରୋଇ ବା ଅନ୍ତର୍ଜାତୀୟ ଉଡ଼ାଣ ନେଇ ନିଷ୍ପତ୍ତି ହୋଇନି। ପୁଣି ଅପରେସନ୍ ଆରମ୍ଭ ପାଇଁ ଯଥେଷ୍ଟ ସମୟ ଓ ନୋଟିସ୍ ଦିଆଯିବ।
ଏହା ପୂର୍ବରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଏଚ୍ଏସ୍ ପୁରୀ ଶନିବାର ବିଳମ୍ବିତ ରାତିରେ ପରାମର୍ଶ ଦେଇଥିଲେ, ଆଗାମୀ ସରକାରୀ ନିର୍ଦ୍ଦେଶ ଯାଏ କମ୍ପାନୀମାନେ ବୁକିଂରୁ ବିରତ ରୁହନ୍ତୁ। ଏହାପରେ ଯଦିଓ ରାଷ୍ଟ୍ରାୟତ୍ତ କମ୍ପାନୀ ଏୟାର ଇଣ୍ଡିଆ ଟିକେଟ୍ ବୁକିଂ ବନ୍ଦ କରିଥିଲା, ଅନ୍ୟମାନେ ବୁକିଂ ଚାଲୁ ରଖିଥିଲେ।