ଆମ ଗଣତନ୍ତ୍ର କେତେ ସଫଳ?

ଦେବେନ୍ଦ୍ର ପୃଷ୍ଟି ‘ଭାରତ ରତ୍ନ’ ଭୂପେନ ହଜାରିକାଙ୍କର ‘ଆମି ଏକ ଯାଯାବର’ ଗୀତର ଗୋଟିଏ ପଦ୍ୟାଂଶ – ଆମି ଦେଖେଛି ଅନେକ ଗଗନଶ୍ଚୁମ୍ୱୀ ଅଟ୍ଟାଳିକାର ସାରି, ତାର ଛାୟାତେଇ ଦେଖେଛି ଅନେକ ଗୃହହୀନ ନରନାରୀ, ଆମି ଦେଖେଛି ଅନେକ ଗୋଲାପ ବକୁଳ ଫୁଟେ ଆଛେ ଥରେ ଥରେ, ଆବାର ଦେଖେଛି ନା ଫୋଟା ଫୁଲେର କଳିରା ଝରେଗେଛେ ଅନାଦରେ। ଏ ପଦ୍ୟାଂଶରେ ଭାରତର ସାମାଜିକ, ସାଂସ୍କୃତିକ, ଆର୍ଥନୀତିକ ଓ ରାଜନୀତିକ ବ୍ୟବସ୍ଥା ଯୋଗୁଁ ମାଡ଼ି ଚାଲିଥିବା ଅସମାନତା […]

rich1

Debendra Prusty
  • Published: Tuesday, 26 January 2021
  • , Updated: 26 January 2021, 05:24 PM IST

ଦେବେନ୍ଦ୍ର ପୃଷ୍ଟି

'ଭାରତ ରତ୍ନ' ଭୂପେନ ହଜାରିକାଙ୍କର 'ଆମି ଏକ ଯାଯାବର’ ଗୀତର ଗୋଟିଏ ପଦ୍ୟାଂଶ – ଆମି ଦେଖେଛି ଅନେକ ଗଗନଶ୍ଚୁମ୍ୱୀ ଅଟ୍ଟାଳିକାର ସାରି, ତାର ଛାୟାତେଇ ଦେଖେଛି ଅନେକ ଗୃହହୀନ ନରନାରୀ, ଆମି ଦେଖେଛି ଅନେକ ଗୋଲାପ ବକୁଳ ଫୁଟେ ଆଛେ ଥରେ ଥରେ, ଆବାର ଦେଖେଛି ନା ଫୋଟା ଫୁଲେର କଳିରା ଝରେଗେଛେ ଅନାଦରେ।

ଏ ପଦ୍ୟାଂଶରେ ଭାରତର ସାମାଜିକ, ସାଂସ୍କୃତିକ, ଆର୍ଥନୀତିକ ଓ ରାଜନୀତିକ ବ୍ୟବସ୍ଥା ଯୋଗୁଁ ମାଡ଼ି ଚାଲିଥିବା ଅସମାନତା ସଂପର୍କରେ କିଂଚିତ ଆଭାସ ଦିଆଯାଇଛି। ଏଠି ସୁଉଚ୍ଚ ନଭଶ୍ଚୁମ୍ବୀ ଅଟ୍ଟାଳିକା ନିକଟରେ ପଲିଥିନର କୁଡ଼ିଆ ଦେଖିବାକୁ ମିଳିପାରେ। ଏଠି ଦେଖିବାକୁ ମିଳିପାରେ ପ୍ରଚୁର ଖର୍ଚ୍ଚରେ ସଯତ୍ନ ପୋଷିତ ଓ ବର୍ଦ୍ଧିତ ବଗୀଚା ଯେଉଁଟି ଅନେକ ପ୍ରକାର ଗୋଲାପ ଓ ବକୁଳାଦି ଫୁଲର ସମ୍ଭାର ମଣିଷ ମନକୁ ବିମୋହିତ କରେ। ପୁଣି ଏଠି ବି ଦେଖିବାକୁ ମିଳିପାରେ ଯତ୍ନ ଓ ଆଦର ଅଭାବରୁ ଅନେକ ଫୁଲର କଢ଼ି ଅକାଳରେ ଝଡ଼ି ଯାଉଛି।

ଗଣତନ୍ତ୍ରର ଲକ୍ଷ୍ୟ ଓ ମୂଲ୍ୟବୋଧ କିନ୍ତୁ ଏଇଆ ନୁହେଁ। ଦାର୍ଶନିକ ହବ୍ସ, ଲକ୍‌ ଓ ରୁସୋଙ୍କର ତତ୍ତ୍ୱ ଭିତ୍ତିରେ ବିଶ୍ୱ ସ୍ତରରେ ଗଣତନ୍ତ୍ରର ଯେଉଁ ଲକ୍ଷ୍ୟ ଓ ମୂଲ୍ୟବୋଧ ନିର୍ଦ୍ଦିଷ୍ଟ ହୋଇଛି ତାହାକୁ ମୁଖ୍ୟତଃ ତିନିଟି ଶବ୍ଦ ବା ପରିକଳ୍ପନାରେ ପ୍ରକାଶ କରାଯାଇପାରେ। ତାହା ହେଉଛି ଲିବର୍ଟି, ଇକ୍ୱାଲିଟି ଓ ଫ୍ରାଟର୍ନିଟି ବା ସ୍ୱାଧୀନତା, ସମାନତା ଓ ଭାଇଚାରା। ଏଇ ତିନିଟି ଲକ୍ଷ୍ୟ ଓ ମୂଲ୍ୟବୋଧକୁ ଭିତ୍ତିକରି ହିଁ ପ୍ରଣୀତ ହୋଇଛି ଭାରତୀୟ ସମ୍ବିଧାନ। ଭାରତରେ ଯେଉଁ ସାମ୍ବିଧାନିକ ଗଣତନ୍ତ୍ରକୁ ୨୦୨୧ ଜାନୁଆରୀ ୨୬ ତାରିଖରେ ୭୧ ବର୍ଷ ପୂରି ୭୨ ବର୍ଷ ଚାଲିଲା ତାହାର ମୂଳଭିତ୍ତି ହେଉଛି ଭାରତୀୟ ସମ୍ବିଧାନ। ଏହି ସମ୍ବିଧାନରେ ଭାରତର ନାଗରିକମାନଙ୍କୁ ମୁଖ୍ୟତଃ ୬ଟି ମୌଳିକ ଅଧିକାର ପ୍ରଦାନ କରାଯାଇଛି। ଏହି ଅଧିକାରଗୁଡ଼ିକ ହେଲା ସମାନତାର ଅଧିକାର, ସ୍ୱାଧୀନତାର ଅଧିକାର, ଶୋଷଣ ବିରୋଧୀ ଅଧିକାର, ଧର୍ମର ଅଧିକାର, ଶୈକ୍ଷିକ ଓ ସାଂସ୍କୃତିକ ଅଧିକାର ଏବଂ ସାମ୍ବିଧାନିକ ସମାଧାନର ଅଧିକାର। ଏସବୁ ଅଧିକାରର ବର୍ଣ୍ଣନା ସମ୍ବିଧାନର ୧୪ ଧାରାରୁ ୩୫ ଧାରା ମଧ୍ୟରେ ଉଲ୍ଲେଖ ରହିଛି। ସମ୍ବିଧାନର ୧୪-୧୮ ଧାରା ମଧ୍ୟରେ ସମାନତାର ଅଧିକାର, ୧୯-୨୨ ଧାରା ମଧ୍ୟରେ ସ୍ୱାଧୀନତା ବା ସ୍ୱତନ୍ତ୍ରତାର ଅଧିକାର, ୨୩-୨୪ ଧାରା ମଧ୍ୟରେ ଶୋଷଣ ବିରୋଧୀ ଅଧିକାର, ୨୫-୨୮ ଧାରା ମଧ୍ୟରେ ଧର୍ମର ଅଧିକାର, ୨୯-୩୦ ଧାରା ମଧ୍ୟରେ ଶୈକ୍ଷିକ ଓ ସାଂସ୍କୃତିକ ଅଧିକାର ଏବଂ ୩୨-୩୫ ଧାରା ମଧ୍ୟରେ ସାମ୍ବିଧାନିକ ସମାଧାନର ଅଧିକାର ବିଷୟରେ ଉଲ୍ଲେଖ କରାଯାଇଛି।

ଠିକ ସେହିପରି ସମ୍ବିଧାନର ଚତୁର୍ଥ ଭାଗରେ ରାଷ୍ଟ୍ର ଓ ରାଜ୍ୟଗୁଡ଼ିକୁ ଅନେକ ନିର୍ଦ୍ଦେଶ ଦିଆଯାଇଛି। ରାଷ୍ଟ୍ର ଓ ରାଜ୍ୟଗୁଡ଼ିକର ନୀତି, କାର୍ଯ୍ୟକ୍ରମ ଓ ଯୋଜନା ଆଦି ପ୍ରଣୟନ କରିବା ସମୟରେ ଏହି ନିର୍ଦ୍ଦେଶାବଳିକୁ ମନରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ସମ୍ବିଧାନର ୩୮ରୁ ୫୧ ଧାରା ମଧ୍ୟରେ ବ୍ୟାପିଥିବା ଏହି ଭାଗରେ ମୁଖ୍ୟତଃ ସମାଜବାଦୀ, ଗାନ୍ଧିବାଦୀ ଓ ଉଦାରବାଦୀ-ବୁଦ୍ଧିବାଦୀ ଲକ୍ଷ୍ୟ ଓ ଉଦ୍ଦେଶ୍ୟଗୁଡ଼ିକର ଅବତାରଣା କରାଯାଇଛି। ସମାଜବାଦୀ ଚିନ୍ତାଧାରାର ପ୍ରଧାନ ଲକ୍ଷ୍ୟ ହେଲା ସମାଜବାଦୀ ଅର୍ଥନୀତି ଓ ଆଧିକାରିକ ସମାନତା, ଗାନ୍ଧିବାଦୀ ଚିନ୍ତାଧାରାର ପ୍ରଧାନ ଲକ୍ଷ୍ୟ ହେଲା ପଂଚାୟତିରାଜ, ନିଶା ନିବାରଣ ଓ ସମବାୟ ଆନ୍ଦୋଳନ ଏବଂ ଉଦାରବାଦୀ-ବୁଦ୍ଧିବାଦୀ ଚିନ୍ତାଧାରାର ପ୍ରଧାନ ଲକ୍ଷ୍ୟ ହେଲା ସମାନ ସାମାଜିକ ସଂହିତା।

୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେଲା। ଇତିମଧ୍ୟରେ ବିତିଗଲାଣି ୭୧ ବର୍ଷ। କିନ୍ତୁ ଭାରତୀୟ ସମ୍ବିଧାନର ଏହି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଏଯାଏଁ ହାସଲ ହୋଇପାରି ନାହିଁ। ବରଂ ବିଭିନ୍ନ ସରକାରର ନୀତି ଓ ନିଷ୍ପତ୍ତି ଯୋଗୁଁ ଭାରତବର୍ଷ ଏସବୁ ଲକ୍ଷ୍ୟ ଓ ଉଦ୍ଦେଶ୍ୟରୁ ଦୂରେଇ ଦୂରେଇ ଚାଲିଛି। ଭାରତୀୟ ସମ୍ବିଧାନର ୩୯ ଧାରା ଅନୁସାରେ ରାଷ୍ଟ୍ର ଓ ରାଜ୍ୟଗୁଡ଼ିକ ସମସ୍ତ ଲୋକମାନଙ୍କୁ ଜୀବିକାର ପର୍ଯ୍ୟାପ୍ତ ମାଧ୍ୟମ ଯୋଗେଇଦେବା ଉଚିତ ଅର୍ଥାତ ଲୋକମାନଙ୍କୁ ଉପଯୁକ୍ତ ରୋଜଗାର ମାଧ୍ୟମ ଯୋଗାଇଦେବା ହେଉଛି ରାଷ୍ଟ୍ରର କର୍ତ୍ତବ୍ୟ। ଠିକ ସେହିପରି ସମତା ଭିତ୍ତିରେ ତଥା ସର୍ବସାଧାରଣଙ୍କ ଉନ୍ନତି ପାଇଁ ଭାରତର ବସ୍ତୁଗତ ସଂପତ୍ତିର ପରିବଣ୍ଟନ ହେବା ଉଚିତ। ସଂପତ୍ତି ଓ ଉତ୍ପାଦନର ମାଧ୍ୟମ ଯେପରି କୌଣସି ଗୋଟିଏ ସ୍ଥାନ ବା ପାତ୍ରରେ କେନ୍ଦ୍ରୀଭୂତ ହେବ ନାହିଁ ରାଷ୍ଟ୍ର ତାହା ନିଶ୍ଚିତ କରିବା ଦରକାର। ସମାନ କାମକୁ ସମାନ ପାଉଣା ମିଳିବା ଦରକାର।

ଗଣତନ୍ତ୍ରର ୭୧ ବର୍ଷ ପରେ ଯଦି ନିରପେକ୍ଷ ଭାବେ ଅନୁଶୀଳନ କରାଯାଏ ତେବେ କ’ଣ କୁହାଯାଇପାରିବ ଯେ ଭାରତ ସରକାର ଏହି ସାମ୍ବିଧାନିକ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହାସଲ କରିପାରିଛନ୍ତି? ଲୋକମାନେ କ’ଣ ଅନୁଭବ କରିପାରିବେ ଯେ ସେମାନେ ଭାରତୀୟ ସମ୍ବିଧାନ ପ୍ରଦତ୍ତ ଏହି ସମତା ଓ ସମାନତାର ଉପଭୋକ୍ତା ହୋଇପାରିଛନ୍ତି?

ଏବେ ତ ମହାରାଷ୍ଟ୍ରଠାରୁ ଓଡ଼ିଶା ଅନେକ ପଛୁଆ। ଓଡ଼ିଶାଠାରୁ ଝାଡ଼ଖଣ୍ଡ ଅନେକ ପଛୁଆ। ମୁକେଶ ଅମ୍ବାନିଠାରୁ ଏ ଦେଶର ଅନ୍ୟ ସମସ୍ତ ଲୋକ ଶହଶହ ହଜାରହଜାର ଗୁଣରେ ଗରୀବ। ଜାତି, ଧର୍ମ, ବର୍ଣ୍ଣ ଓ ବର୍ଗ ନିର୍ବିଶେଷରେ ସମସ୍ତେ ସମାନ ହେବା କଥା। କିନ୍ତୁ ଏହା ହୋଇପାରି ନାହିଁ। ଏବେ ଜାତି, ଧର୍ମ, ବର୍ଣ୍ଣ ଓ ବର୍ଗ ଭିତ୍ତିରେ ସମସ୍ତେ ଅସମାନ। ସାମ୍ବିଧାନିକ ଦୃଷ୍ଟିରୁ ନହେଲେ ମଧ୍ୟ ଶାସକୀୟ ଦୃଷ୍ଟିଭଙ୍ଗିରେ।

୨୦୨୧ ଜାନୁଆରୀ ୨୫ ତାରିଖ ଦିନ ଅନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ସଂସ୍ଥା ଅକ୍ସଫାମ୍‌ ତରଫରୁ ଏକ ରିପୋର୍ଟ ପ୍ରକାଶ କରାଯାଇଛି। ଏହି ରିପୋର୍ଟ ଅନୁସାରେ କରୋନା ଲକ୍‌ଡାଉନ୍‌ ଅବଧି ମଧ୍ୟାର ଭାରତର କୋଟିପତିମାନଙ୍କର ସଂପତ୍ତି ୩୫ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଲକ୍ଷଲକ୍ଷ ଲୋକ ରୋଜଗାର ହରେଇଛନ୍ତି। ଏଇ ସଂଗଠନ ତରଫରୁ ପୂର୍ବରୁ ପ୍ରକାଶ ପାଇଥିବା ଅନ୍ୟ ଏକ ରିପୋର୍ଟ ଅନୁସାରେ ଭାରତର ମାତ୍ର ୧ ପ୍ରତିଶତ ଧନୀ ଲୋକଙ୍କ ନିକଟରେ ଭାରତବର୍ଷର ୭୦ ପ୍ରତିଶତ ସଂପତ୍ତି ଠୁଳ ବା କେନ୍ଦ୍ରୀଭୂତ ହୋଇଛି, ବାକି ୯୯ ପ୍ରତିଶତଙ୍କ ଭାଗର ପଡ଼ୁଛି ମାତ୍ର ୩୦ ପ୍ରତିଶତ ସଂପତ୍ତି। ଅର୍ଥାତ ଟଙ୍କାକରୁ ୭୦ ପଇସା ଖାଉଛନ୍ତି ଜଣେ ଲୋକ ଏବଂ ବାକି ୩୦ ପଇସାରେ ଚଳୁଛନ୍ତି ୯୯ ଜଣ। ଏ ଅସମାନତା ଆଉ ଦୂର ହୋଇପାରିବ? ଆଉ ସବୁଠୁଁ ଲକ୍ଷ୍ୟଣୀୟ କଥା ହେଲା ସରକାରଗୁଡ଼ିକ ଏହା ଦୂର କରିବା ପରିବର୍ତ୍ତେ ଧନୀ-ଗରୀବ ତାରତମ୍ୟ କିପରି ଅଧିକ ବ୍ୟାପକ ହେବ ସେ ବ୍ୟବସ୍ଥା କରିଚାଲିଛନ୍ତି। କେବଳ ଆର୍ଥିକ କ୍ଷେତ୍ରରେ ନୁହେଁ, ଅନ୍ୟସବୁ କ୍ଷେତ୍ରରେ ମଧ୍ୟ ଅସମାନତା ବଢ଼ିବଢ଼ି ଚାଲିଛି। ସର୍ବଶେଷ ଆକଳନ ଅନୁଯାୟୀ ଭାରତର ୨୮ କୋଟି ଲୋକ ନିରକ୍ଷର, ୨୬ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ, ୧୯ ପ୍ରତିଶତ ଲୋକ ଭୋକିଲା ଏବଂ ୪୨ ପ୍ରତିଶତ ଶିଶୁ ଅପପୁଷ୍ଟିର ଶିକାର। ଏହି ପରିସଂଖ୍ୟାନ କ’ଣ ପ୍ରମାଣ କରୁଛି ଯେ ଆମେ ସମସ୍ତେ ସମାନ?

ଠିକ ସେହିପରି ସ୍ୱାଧୀନତା ବା ସ୍ୱତନ୍ତ୍ରତା। କିଛି ଲୋକ ଯାହା କହିବାକୁ ଚାହୁଁଛନ୍ତି କହିପାରୁଛନ୍ତି। ସେମାନେ ହେଲେ ନେତା। ଆଉ କିଛି ଲୋକଙ୍କ କହିବା ଉପରେ ବିଭିନ୍ନ ପ୍ରକାର ଅଙ୍କୁଶ ଲଗାଇବାର ଅପଚେଷ୍ଟା ଜାରି ରହିଛି। ଅନେକ ଭୟରେ କିଛି କହିପାରୁ ନାହାନ୍ତି। ଅନେକ ଲୋକଙ୍କ ପାଇଁ କହିବାର ମଞ୍ଚ କିଛି ନାହିଁ। ଶୋଷଣର ଧାରା ଓ ଉପଧାରା ବଢ଼ି ଚାଲିଛି। ୧୯୫୦ରେ ଶିଶୁ ଶ୍ରମିକ ପ୍ରଥା ବିରୋଧରେ ସମ୍ବିଧାନ ପ୍ରତିଶ୍ରୁତି ଦେଇଥିଲେ ବି ଏହା ଏଯାଏଁ ବଳବତ୍ତର ରହିଛି। ଏ ଦେଶର ଅନେକ ଶିଶୁ ଏବେ ବି ବିଦ୍ୟାଳୟରେ ପାଠ ପଢ଼ିବା ବଦଳରେ ବିଲ ବା କାରଖାନାରେ କାମ କରୁଛନ୍ତି। ନାନା ଭାବରେ ଶୋଷଣର ଶିକାର ହେଉଛନ୍ତି ଲକ୍ଷଲକ୍ଷ ଶିଶୁ। ମହିଳାଙ୍କର ଯୌନ ଶୋଷଣ କାହାଣୀ ଏବେ ବି ଲେଖା ଚାଲିଛି ଭାରତର ବିଭିନ୍ନ ଗାଁରୁ ଆରମ୍ଭ କରି ସହର ବଜାରରେ। ସମାନ କାମକୁ ସମାନ ମଜୁରୀ ଏବେ ବି ଏକ ସ୍ୱପ୍ନ। କୃଷକ ଓ ଖାଉଟିମାନଙ୍କୁ ନିର୍ବିରୋଧରେ ଶୋଷଣ କରିଚାଲିଛନ୍ତି ବ୍ୟବସାୟୀ ଗୋଷ୍ଠୀ। ରୋଗୀମାନେ ଡାକ୍ତରଖାନାରେ ଶୋଷଣର ସମ୍ମୁଖୀନ ହେଉଛନ୍ତି ତ ତଳ ସ୍ତରୀୟ କର୍ମଚାରୀ ଉପର ସ୍ତରର ଅଧିକାରୀଙ୍କ ଶୋଷଣର ଅନୁଭବ ନେଉଛନ୍ତି। ପ୍ରାକୃତିକ ସଂପଦର ଶୋଷଣ ବଢ଼ି ବଢ଼ି ଚାଲିଛି।

ଭାରତରେ ଯଦିଓ ଏକ ନିର୍ବାଚିତ ସରକାରର ବ୍ୟବସ୍ଥା ରହିଛି ତଥାପି ଏହାକୁ ବିଭିନ୍ନ ବାଗରେ ବଙ୍କେଇ ତେଢ଼େଇ ଏକଛତ୍ରବାଦ ଚଳେଇବାର ସୁଯୋଗ ସୃଷ୍ଟି କରୁଛନ୍ତି ଅନେକ ଦଳର ଅନେକ ନେତା। ଭାରତୀୟ ସମ୍ବିଧାନରେ ରାଜନୀତିକ ଦଳର ନାମୋଲ୍ଲେଖ ନଥିଲେ ବି ନିର୍ବାଚନ କମିଶନଙ୍କୁ ହାତବାରିସି କରି ରାଜନୀତିକ ଦଳଗୁଡ଼ିକ ସଂଖ୍ୟାମତକୁ ଆଧାର କରି ଜଣତନ୍ତ୍ରର ଜୟଗାନ କରୁଛନ୍ତି। ହାଇକମାଣ୍ଡ ବା ନେତା ଭିତ୍ତିକ ସରକାର ବାସ୍ତବରେ ଗଣତାନ୍ତ୍ରିକ ନୀତି ଓ ଆଦର୍ଶର ପରିପନ୍ଥୀ। ଗଣତନ୍ତ୍ରରେ ଭିନ୍ନମତକୁ ପ୍ରାଧାନ୍ୟ ଦିଆଯିବା କଥା। କିନ୍ତୁ ଭାରତର ରାଜନୀତିକ ଦଳଗୁଡ଼ିକରେ ଭିନ୍ନମତକୁ ବିଶୃଙ୍ଖଳା ବା ଦଳବିରୋଧୀ କାର୍ଯ୍ୟ ଭାବେ ଗ୍ରହଣ କରାଯାଏ। ସରକାରଙ୍କ ନୀତି ଓ ନିଷ୍ପତ୍ତିକୁ ସମାଲୋଚନା କଲେ ଦେଶଦ୍ରୋହୀ ବୋଲି ଆଖ୍ୟା ମିଳେ। ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କ ଭୁଲତ୍ରୁଟି ଉପରେ ମତବ୍ୟକ୍ତ କରିବା ଅପରାଧ ଭାବେ ବିବେଚିତ ହୁଏ। ଏଭଳି ସ୍ଥଳେ ଭାରତର ଗଣତନ୍ତ୍ର କେତେ ସୁଦୃଢ଼, କେତେ ସର୍ବଜନ ହିତକାରୀ?

ମୋ-୯୪୩୭୦୩୬୨୭୬

Related story