ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଡାକ୍ତରଙ୍କ ଅବହେଳାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଏଠାରେ ଡାକ୍ତର ଜଣେ ବୃଦ୍ଧଙ୍କୁ ମୃତ ଘୋଷଣା କରିବା ସହ ଶବଗୃହକୁ ପଠାଇ ଦେଇଥିଲେ। ହେଲେ ଶବ ବ୍ୟବଚ୍ଛେଦ ଗୃହରେ ଜଣାପଡ଼ିଲା ଯେ ସେ ଜୀବିତ ଅଛନ୍ତି। ଅବଶ୍ୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା।
ସୂଚନା ଅନୁସାରେ, ଛତରପୁର ଅଞ୍ଚଳର କାଶୀରାମ ସୋନି (୭୨) ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଗୁରୁବାର ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସ୍ଥାନୀୟ ପୁଲିସ୍କୁ ବି ସୂଚନା ଦିଆଯାଇଥିଲା। ପୁଲିସ୍କୁ କୁହାଯାଇଥିଲା ଯେ ଚିକିତ୍ସାଧୀନ ଅବସ୍ଥାରେ କାଶୀରାମଙ୍କ ମୃତ୍ୟୁ ଘଟିଛି। ଏହା ସହିତ ତାଙ୍କ 'ମରଶରୀର'କୁ ଶବଗୃହକୁ ପଠାଇ ଦିଆଯାଇ ଥିଲା। ପୁଲିସ୍ ଆସି ସେଠାରେ ପହଞ୍ଚିବା ପରେ ଜଣାପଡ଼ିଲା ଯେ ତାଙ୍କ ଶ୍ୱାସକ୍ରିୟା ଚାଲିଛି। ଏହା ପରେ ତାଙ୍କୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।
ସାଗର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି,“ଡାକ୍ତର ଅଭିନାଶ ସକ୍ସେନାଙ୍କ ଅବହେଳାରୁ ଏହି ଘଟଣା ଘଟିଥିବା କୁହାଯାଉଛି। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।