ଭୁବନେଶ୍ୱର (ସୌଜନ୍ୟ: ଦି ହିନ୍ଦୁ): କୋଭିଡ ୧୯ ବା କରୋନା ଭାଇରସର କେନ୍ଦ୍ରସ୍ଥଳ ଚାଇନାର ହୁବେଇ ପ୍ରଦେଶର ଉହାନ ସହର ବୋଲି କୁହାଯାଉଛି। ଗତବର୍ଷ ଡିସେମ୍ୱର ଶେଷ ବେଳକୁ ଉହାନରେ ଏହି ମହାମାରୀ ବ୍ୟାପିଥିଲା। ଏଯାବତ ଚାଇନାରେ ୩,୩୦୫ ଜଣଙ୍କର ମୃତ୍ୟୁ ଘଟିଛି। ଏବେ ବିଶ୍ୱର ୨୦୨ଟି ଦେଶକୁ ବ୍ୟାପିଛି ଏହି ମହାମାରୀ। କରୋନାର ମୁକାବିଲା କରିବା ପାଇଁ କୌଣସି ପ୍ରତିଷେଧକ କିମ୍ୱା ଔଷଧ ବାହାରି ନଥିବା ବେଳେ ଚାଇନା କରୋନାକୁ ରୋକିବାରେ ସଫଳ ହୋଇଛି। ଏବେ ଦୀର୍ଘ ଦୁଇ ମାସରୁ ଅଧିକ ଦିନ ଲକ୍ଡାଉନ୍ ଥିବା ଉହାନ ଏବେ ସ୍ୱାଭାବିକ ହୋଇଛି। ହେଲେ ଇଟାଲୀ, ଆମେରିକା, ସ୍ପେନ ଏବଂ ଫ୍ରାନ୍ସରେ ଏହି ମହାମାରୀ ଦୌରାତ୍ମ ଦେଖାଉଛି। ଚାଇନାର ମୃତ୍ୟୁ ସଂଖ୍ୟା ୩, ୩୦୫ ଛୁଇଁଥିବା ବେଳେ ଇଟାଲୀରେ ମୃତ୍ୟୁ ସଂଖ୍ୟା ୧୨ ହଜାର ଛୁଇଁଲାଣି। ହେଲେ ଚାଇନା ହଠାତ୍ କେମିତି କରୋନାକୁ ରୋକିବାରେ ସଫଳ ହେଲା? ସପ୍ତାହେ ହେବ ନୂଆ କରୋନା ଆକ୍ରାନ୍ତ ଚାଇନାରେ ଚିହ୍ନଟ ହୋଇ ନାହାନ୍ତି। ଏ ନେଇ ଉହାନ ବିଶ୍ୱବିଦ୍ୟାଳୟରେ ଥିବା ରେନମିନ ହସ୍ପିଟାଲର ଇନଫେକସନ ବିଭାଗର ନିର୍ଦ୍ଦେଶକ ଡକ୍ଟର ଗୋଙ୍ଗ ଜୁଉଜିଅଙ୍ଗ ଜାତୀୟ ଗଣମାଧ୍ୟମ ‘ଦି ହିନ୍ଦୁ’କୁ ସାକ୍ଷାତକାର ଦେଇଛନ୍ତି।
ଡକ୍ଟର ଗୋଙ୍ଗ ଜୁଉଜିଅଙ୍ଗ କହିଛନ୍ତି, ଦୁଇ ମାସ ଧରି ଉହାନକୁ ଲକ୍ଡାଉନ୍ ରଖିବା ଏବଂ ହୁବେଇକୁ ଅନ୍ୟ ରାଜ୍ୟଠୁ ଅଲଗା କରିବା ଫଳରେ କରୋନାକୁ ରୋକିବାରେ ସଫଳ ହୋଇଛି ଚାଇନା। ଏବେ ନୂଆ କେହି ଆକ୍ରାନ୍ତ ହେଉନାହାନ୍ତି। ତଥାପି ଏବେ ବି ଚାଇନା ସରକାର ସମସ୍ତ ନିୟମକୁ କଡ଼ାକଡ଼ି ରଖିଛନ୍ତି। ପ୍ରଥମେ କରୋନା ସଂକ୍ରମିତ ହେବାବେଳେ ସଂଖ୍ୟାଧିକ ଆକ୍ରାନ୍ତିତ ହୋଇଥିବା କହିଥିଲେ ଡକ୍ଚର ଗୋଙ୍ଗ। ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ବେଡ୍ ନଥିଲା କି ଆବଶ୍ୟକ ସ୍ୱାସ୍ଥ୍ୟ ଉପକରଣ ବି ନଥିଲା। ଏହାପରେ ଉହାନର ପୂର୍ବରେ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ ତିଆରି କରାଯାଇଥିଲା ବୋଲି ସେ କହିଛନ୍ତି।
ଫେବୃଆରୀରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ନେଇ ଷ୍ଟାଟିକ୍ସ ରିପୋର୍ଟରୁ ଜଣାପଡ଼ିଥିଲା। ଏହାପରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନରେ ପହଞ୍ଚିଛି ବୋଲି ଡକ୍ଟର ଗୋଙ୍ଗ କହିଛନ୍ତି। ଲକ୍ଡାଉନ୍ ବେଳେ ପ୍ରଥମେ କରୋନା ରୋଗୀଙ୍କ ସଂକ୍ରମଣରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ଖୋଜିବା ଆରମ୍ଭ ହୋଇଥିଲା। ଯେଉଁମାନେ ସଂକ୍ରମିତ ହୋଇଥିଲେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହିସମୟରେ ଲୋକଙ୍କୁ ଏକାଠି ହେବା ପାଇଁ ମନା କରାଯିବା ସହିତ ମାସ୍କ ଓ ହାତକୁ ବାରମ୍ୱାର ସାନିଟାଇଜ କରିବାକୁ କୁହାଯାଇଥିଲା ବୋଲି ସେ କହିଛନ୍ତି।
ଭାରତ ଏବଂ ଚାଇନାରେ ଲୋକସଂଖ୍ୟା ଅଧିକ ରହିଛନ୍ତି। ଗୋଟିଏ ପରିବାରରେ ସର୍ବନିମ୍ନ ୪ରୁ ୫ ଜଣ ସଦସ୍ୟ ଥିବେ। ତେଣୁ ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହିଛି। ତେଣୁ ଚାଇନା ସରକାର ପରିବାର କୌଣସି ବ୍ୟକ୍ତି କରୋନାରେ ସଂକ୍ରମିତ ହେବା ମାତ୍ରେ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ହସ୍ପିଟାଲରେ ଥିବା କ୍ୱାରେଣ୍ଟାଇନ ଓ୍ୱାର୍ଡରେ ରଖୁଥିଲେ ବୋଲି ଡକ୍ଟର ଗୋଙ୍ଗ ଜୁଉଜିଅଙ୍ଗ କହିଛନ୍ତି।
ତେବେ କରୋନା ଟେଷ୍ଟ ପ୍ରତିଦିନ କେତେ ହେଉଥିଲା ପ୍ରଶ୍ନରେ ସେ କହିଛନ୍ତି, ସଂଖ୍ୟା ମନେନଥିଲେ ବି ସର୍ବନିମ୍ନ ୧,୦୦୦ଟି କରୋନା ପରୀକ୍ଷା ହେଉଥିଲା। ମାତ୍ରାଧିକ କରୋନା ଟେଷ୍ଟ ହେଲେ ଏହି ମହାମାରୀକୁ ଶୀଘ୍ର ରୋକି ହେବ। ନଚେତ ଏହା ହଠାତ୍ ଅଣାୟତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ବୋଲି ଡକ୍ଟର ଗୋଙ୍ଗ ଜୁଉଜିଅଙ୍ଗ କହିଛନ୍ତି।
ଏହି ଭାଇରସ ମାନବଜାତି ପାଇଁ ବିପଦପୂର୍ଣ୍ଣ। ଏଭଳି ସ୍ଥିତିରେ ସାରା ବିଶ୍ୱ ଏକାଠି ହେବା ଦରକାର। ଭାରତ ଖୁବଶୀଘ୍ର କରୋନାକୁ ହରାଇ ବିଜୟୀ ହେବ ବୋଲି ଡକ୍ଟର ଗୋଙ୍ଗ ଜୁଉଜିଅଙ୍ଗ ‘ଦ ହିନ୍ଦୁ’କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି।