ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)କୁ ସମାଲୋଚନା କରିଛନ୍ତି। ଡବ୍ଲ୍ୟୁଏଚଓର ନିଷ୍ପତ୍ତି ଚାଇନା କେନ୍ଦ୍ରୀତ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସକୁ ନେଇ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛି ସେଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି। ଡବ୍ଲ୍ୟୁଏଚଓର ପାଣ୍ଠିକୁ ଆମେରିକା ବଡ଼ ପରିମାଣର ପାଣ୍ଠି ଯୋଗାଇଥାଏ। ଏବେ ଏହି ପାଣ୍ଠି ଉପରେ ଟ୍ରମ୍ପ ରୋକ୍ ଲଗାଇବେ ବୋଲି ଚେତାବନୀ ଦେଇଛନ୍ତି।
ଟ୍ରମ୍ପ ନିଜ ଟୁଇଟର ଆକାଉଣ୍ଟରେ ଏ ବାବଦରେ ଉଲ୍ଲେଖ କରି କହିଛନ୍ତି ଯେ, WHOକୁ ଅଧିକ ପାଣ୍ଠି ଆମେରିକା ଦେଉଛି। କିନ୍ତୁ ଏହା ଚାଇନା କେନ୍ଦ୍ରୀତ ହୋଇଛି। ଆମେ ଏନେଇ ଭଲ ଭାବେ ବିଚାର କରିବୁ। ସୌଭାଗ୍ୟ ବଶତଃ ସେ WHOର ଉପଦେଶକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ଯେଉଁଥିରେ ଚାଇନା ପାଇଁ ଆମେକାର ସୀମା ଖୋଲି ଦେବାକୁ କୁହାଯାଇଥିଲା। ସେମାନେ କାହିଁକି ଆମକୁ ଏଭଳି ଏକ ଭୁଲ୍ ପରାମର୍ଶ ଦେଇଥିଲେ?
ଏହି ଟ୍ୱିଟ୍ ପରେ WHOକୁ ଆମେରିକା ଆଉ ପାଣ୍ଠି ଦେବନାହିଁ ବୋଲି ଚର୍ଚ୍ଚା ହୋଇଥିଲା। ତେବେ ଏହା ଉପରେ ଆମେରିକା ରାଷ୍ଟ୍ରପତି ସ୍ପଷ୍ଟୀକରଣ ରଖି କହିଛନ୍ତି ଯେ ପାଣ୍ଠି ପ୍ରଦାନ ଉପରେ ରୋକ୍ ଲଗାଯାଇନି। ତେବେ ଏବାବଦରେ ବିଚାର ବିମର୍ଶ ଚାଲିଛି।
https://twitter.com/realDonaldTrump/status/1247540701291638787
ଅନ୍ୟପଟେ ଆମେରିକା ସିନେଟର ବୈଦେଶିକ କମିଟିର ଅଧ୍ୟକ୍ଷ ଜିମ୍ ରିଚ୍ ‘କୋଭିଡ-୧୯’ ମାମଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିଷ୍ପତ୍ତି ତଦନ୍ତ ପରିସରଭୁକ୍ତ ହେବା ଦରକାର ବୋଲି ସରକାରଙ୍କ ନିକଟରେ ଦାବି କରିଛନ୍ତି। ଚାଇନାର କମ୍ୟୁନିଷ୍ଟ ସରକାର କରୋନା ଭାଇରସକୁ ନେଇ ଯେଉଁ ଭୁଲ୍ କରିଛି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାହାକୁ ଲୁଚାଇବାକୁ ଚେଷ୍ଟା କରୁଛି ବୋଲି ଆମେରିକାର ୨୪ ଜଣ ସାଂସଦ ଦାବି କରିଛନ୍ତି। ଆମେରିକାର ଏହି ସାଂସଦମାନେ ମଙ୍ଗଳବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଗେବ୍ରରେୟେସୁସଙ୍କ ଇସ୍ତଫା ଦାବି କରିବା ସହିତ ପାଣ୍ଠି ଯୋଗାଣ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ।
କରୋନା ଭାଇରସର ବିପଦ ଏବେ ସାରା ବିଶ୍ୱକୁ ଘାରିଛି। ଆମେରିକାରେ ଏଯାବତ ୧୨,୮୫୪ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି। ଅନ୍ୟପଟେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ହେଲେ ଏହି ଭାଇରସର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଚାଇନାର ଉହାନ ସହର ଏବେ ସ୍ୱାଭାବିକ ହୋଇଛି। ସପ୍ତାହେ ହେବ ଏଠାରେ କେହି କରୋନାରେ ଆକ୍ରାନ୍ତ ହୋଇନାହାନ୍ତି । ସେହିଭଳି ଚିକିତ୍ସାଧୀନ ଥିବା କୌଣସି କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ବି ହୋଇନି।