ନୂଆଦିଲ୍ଲୀ: ସାରା ଦେଶରେ ୨୧ ଦିନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ ଡାଉନ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଲୋକଙ୍କ ମନରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ଲୋକଙ୍କୁ ଭୟଭୀତ ନ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି କହିଛନ୍ତି।
ସେ କହିଛନ୍ତି, “ଲକ ଡାଉନ ବେଳେ ଜରୁରୀ ସାମଗ୍ରୀ, ମେଡିସିନ ଇତ୍ୟାଦି ଉପଲବ୍ଧ ରହିବ। ଲୋକଙ୍କୁ ସମସ୍ତ ପ୍ରକାରର ଜରୁରୀ ସାମଗ୍ରୀ ଯୋଗାଇ ଦେବାକୁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାର୍ଯ୍ୟ କରିବେ। ଆମେ ଏକାଠି କୋଭିଡ୍-୧୯ ବିପକ୍ଷରେ ଲଢ଼େଇ କରିବା ଓ ଭାରତକୁ ସଶକ୍ତ କରିବା। ଜୟ ହିନ୍ଦ।”
ଲକ ଡାଉନ ଯୋଗୁ ଆସନ୍ତା ଏପ୍ରିଏ ୧୪ ଯାଏ କୌଣସି ପ୍ରକାରର ଟ୍ରେନ୍ ଚଳାଚଳ କରିବ ନାହିଁ। ପୂର୍ବରୁ ମାର୍ଚ୍ଚ ୩୧ ଯାଏ ଭାରତୀୟ ରେଳ ବାଇ ଟ୍ରେନ ଚଳାଚଳ ବନ୍ଦ କରିଥିଲା। ଏବେ ଏହା ଏପ୍ରିଲ ୧୪ ଯାଏ କୌଣସି ଟ୍ରେନ ଚଳାଚଳ କରିବ ନାହିଁ। ତେବେ ଏହି ସମୟରେ ମାଲବାହୀ ଟ୍ରେନ ଚଳାଚଳ କରିବ।
ସେହିପରି ଲକ ଡାଉନ ସମୟରେ ବିମାନ ଓ ବସ୍ ଚଳାଚଳ ମଧ୍ୟ କରିବ ନାହିଁ।
ମୋଦି ଏହି ଟ୍ୱିଟ ପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୨୧ ଦିନିଆ ଲକ ଡାଉନ ବେଳେ କ’ଣ ସବୁ ଖୋଲା ରହିବ ଓ ବନ୍ଦ ରହିବ, ସେ ସମ୍ପର୍କରେ ଗାଇଡ୍ ଲାଇନ ଜାରି କରାଯାଇଛି।
ଗାଇଡ୍ ଲାଇନ ଅନୁଯାୟୀ, ଭାରତ ସରକାରଙ୍କ ସମସ୍ତ ଅଫିସ ବନ୍ଦ ରହିବ। ତେବେ ପ୍ରତିରକ୍ଷା, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ଫୋର୍ସ, ଟ୍ରେଜେରୀ, ସମସ୍ତ ପ୍ରକାରର ପେଟ୍ରୋଲିୟମ ଜାତୀୟ ସାମଗ୍ରୀ, ସିଏନଜି, ଏଲପିଜି, ପିଏନଜି, ପ୍ରାକୃତିକ ବିପର୍ଯ୍ୟୟ, ବିଜୁଳି, ଫୋଷ୍ଟ ଅଫିସ ଖୋଲା ରହିବ। ରାଜ୍ୟରେ ଜରୁରୀ ସେବାରେ ନିୟୋଜିତ ସମସ୍ତ ଅଫିସ ଓ ଅଧିକାରୀ କାର୍ଯ୍ୟ କରିବେ।
ବିଶେଷ କରି ବିଜୁଳି, ସଫେଇ ଓ ପାଣି ଯୋଗାଣ ବ୍ୟବସ୍ଥା ଚାଲୁ ରହିବ। ସେହିପରି ପେଟ୍ରୋଲ ପମ୍ପ, ମେଡିସନ ଦୋକାନ, ହସ୍ପିଟାଲ, ଏଟିଏମ, ବ୍ୟାଙ୍କ ଆଦି ଖୋଲା ରହିବ। କ୍ଷୀର, ପନି ପରିବା, ରାସନ ଓ ଗ୍ରୋସରୀ ଦୋକାନ ଖୋଲା ରହିବ। ଲକ ଡାଉନ ଯୋଗୁ ଫସି ଥିବା ଟୁରିଷ୍ଟ ମାନଙ୍କ ପାଇଁ ଲଜ, ହୋଟେଲ ମଧ୍ୟ ଖୋଲି ପାରିବ। ସମସ୍ତ ଗଣମାଧ୍ୟମ ପୂର୍ବ ଭଳି କାର୍ଯ୍ୟ କରିବେ।
ରେଳ, ଆକାଶ ଓ ସଡ଼କ ପଥ ବନ୍ଦ ରହିବ। ସମସ୍ତ ସ୍କୁଲ, କଲେଜ ଓ ଧର୍ମାନୁଷ୍ଠାନରେ ତାଲା ପଡ଼ିବ। ଧର୍ମାନୁଷ୍ଠାନରେ କୌଣସି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାରିବ ନାହିଁ। ସମସ୍ତ ରାଜନୀତି, ସାମାଜିକ ଓ କ୍ରୀଡ଼ା କାର୍ଯ୍ୟ ବନ୍ଦ ରହିବ।
ଶବ ସତ୍କାର ବେଳେ ୨୦ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳିବ ନାହିଁ। ଯେଉଁ ମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି, ସେମାନେ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବେ। ୨୧ ଦିନିଆ ଲକ ଡାଉନ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।